ଓଡ଼ଗାଁ ପଞ୍ଚାୟତ ସମିତିର ଷଷ୍ଠ ସାଧାରଣ ଅଧିବେଶନ ଅନୁଷ୍ଠିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ପଞ୍ଚାୟତ ସମିତିର ଷଷ୍ଠ ସାଧାରଣ ଅଧିବେଶନ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ଅଧ୍ଯକ୍ଷତାରେ ଆୟୋଜିତ ବୈଠକରେ ପୁରୀ ସାଂସଦ ଡ଼. ସମ୍ବିତ ପାତ୍ର, ଓଡିଶା ବିଧାନସଭା ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ, ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁ, ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ, ତହସିଲଦାର ମାନସ ରଞ୍ଜନ ଭୋଇ, ଉପାଧ୍ୟକ୍ଷା ମୀରା ନାୟକ, ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ, ଝିଲି ପ୍ରଧାନଙ୍କ ସମେତ ୩୬ ଗୋଟି ପଞ୍ଚାୟତର ଜନପ୍ରତିନିଧି ଉପସ୍ଥିତ ଥିଲେ।

ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ
ରହିଲେ ବିକାଶମୂଳକ କାର୍ଯ୍ୟ ତ୍ବରାନ୍ବିତ ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା। ବ୍ଳକର ୩୬ଗୋଟି ପଞ୍ଚାୟତର ୪୭୫୮୩ ଜଣ ହିତାଧିକାରୀଙ୍କ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ମେଗା ପାନୀୟ ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ହେଉଥ‌ିବାରୁ ଅସନ୍ତୋଷ ପ୍ରକାଶ
ପାଇଥିଲା। ଏଥି ନିମନ୍ତେ ସମୀକ୍ଷାର ଆବଶ୍ୟକତା ଥିବା ନେଇ ନୟାଗଡ଼ ବିଧାୟକ କହିଥିଲେ। ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ମନରେଗା ଟଙ୍କା ପାଇ ନ ଥ‌ିବା ହିତାଧିକାରୀଙ୍କୁ ଯଥା ଶ୍ରୀଘ୍ର ଅର୍ଥ ପ୍ରଦାନ ପାଇଁ ଆଲୋଚନା ହୋଇଥିଲା। ଠିକ ସେହିପରି ବ୍ଲକର ପ୍ରାଥମିକ ବିଦ୍ୟାଳୟରେ ଖାଲିଥିବା ଶିକ୍ଷକ ନିଯୁକ୍ତି ପୂରଣ ଉପରେ ଆଗାମୀ ଦିନରେ ଗୁରୁତ୍ବ ଦିଆଯିବ।

ଉନ୍ନୟନ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ସରପଞ୍ଚ ଓ ସମିତିସଭ୍ୟଙ୍କ
ସହଯୋଗ ଆବଶ୍ୟକ। ଠିକ ସେହିପରି ମେଗା ପାନୀୟ ଜଳ ପ୍ରକଳ୍ପ
ଶେଷ ନ ହେବା ପର୍ଯ୍ୟନ୍ତ ଅସଜଡ଼ା ନଳକୂପ ମରାମତି ଓ ନୂତନ
ନଳକୂପ ଖନନ ପାଇଁ ରଣପୁର ବିଧାୟିକା ତଥା ବାଚସ୍ପତି ସୁରମା ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ। ଦଳମତ ନିର୍ବିଶେଷରେ ସମସ୍ତଙ୍କ ପାଇଁ ମୋ ଦ୍ବାର ଖୋଲା, ପଞ୍ଚାୟତ-ପଞ୍ଚାୟତ ମଧ୍ଯରେ ଉନ୍ନୟନମୂଳକ କାର୍ଯ୍ୟ କରିବା ପାଇଁ ପ୍ରତିଦ୍ବନ୍ଦିତା କରିବାର ଆବଶ୍ୟକତା ଅଛି ବୋଲି ପୁରୀ ସାଂସଦ ମତ ରଖିଥିଲେ। ଠିକ ସେହିପରି ଅଧ‌ିକ ଶ୍ରମ ଦିବସ ସୃଷ୍ଟି କରିବା ପାଇଁ ପଞ୍ଚାୟତ ପ୍ରତିନିଧିଙ୍କୁ ବିଡ଼ିଓ କହିଥିଲେ। ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ସମେତ ଗୃହର ସମସ୍ତ ସଦସ୍ୟ ଶୃଙ୍ଖଳିତ ଆଚରଣ କରିଥିବାରୁ ବାଚସ୍ପତି ଖୁସିବ୍ୟକ୍ତ କରିଥିଲେ। ପରିଶେଷରେ ପଞ୍ଚାୟତ ସମିତି ଷ୍ମାଣ୍ଡିଙ୍ଗ କମିଟି ଗଠନ, ଅଧିବେଶନରେ ସ୍ଥାନ ପାଉଥ‌ିବା ପ୍ରସ୍ତାବ ଉପରେ ବିଭିନ୍ନ ବିଭାଗ ଗ୍ରହଣ କରୁଥିବା ପଦକ୍ଷେପଗୁଡିକୁ ବିଡ଼ିଓ ଓ ବ୍ଲକ ଅଧ୍ୟକ୍ଷଙ୍କ ନିକଟରେ ଦାଖଲ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥଲା। ବୈଠକରେ ବ୍ଲକ ସହକାରୀ ଯନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Related posts