ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ରକ୍ତ ଦାନ କଲେ ସାଂସଦ ଡକ୍ଟର ସମ୍ବିତ୍ ପାତ୍ର

ନୟାଗଡ଼, (ନୟାଗଡ଼ ଦର୍ପଣ) : ନୟାଗଡ଼ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାର ଗୃହରେ ଦୈନିକ ଖବର କାଗଜ ‘ସମାଜ’ ଓ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ମିଳିତ ଆନୁକୂଲ୍ୟରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ ତମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଅନୁଷ୍ଠିତ ଏହି ରକ୍ତ ଦାନ ଶିବିରରେ ମୁଖ୍ଯ ଅତିଥି ଭାବେ ପୁରୀର ମାନ୍ଯବର ସାଂସଦ ଡକ୍ଟର ସମ୍ବିତ୍ ପାତ୍ର ଯୋଗଦେବା ସହିତ ନିଜେ ରକ୍ତ ଦାନ କରି “ରକ୍ତ ଦାନ ମହତ ଦାନ ” ବାର୍ତ୍ତା ଦେଇଥିଲେ। ନୟାଗଡ଼ ରକ୍ତ ଭଣ୍ଡାରରେ ଆବଶ୍ଯକତା ଠାରୁ ବହୁତ କମ୍ ରକ୍ତ ଥିବାରୁ ନିଜେ ରକ୍ତ ଦାନ କରି ନୟାଗଡ଼ ଜନସାଧାରଣ ତଥା ଯୁବବର୍ଗଙ୍କୁ ରକ୍ତ ଦାନ କରି ଅନ୍ୟ ମୁହଁରେ ହସ ଫୁଟାଇ ସମାଜସେବାରେ ବ୍ରତୀ ହେବା ପାଇଁ ନିବେଦନ କରିଥିଲେ।

ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ଯ ଚିକିତ୍ସା ଅଧିକାରୀ ଡାକ୍ତର ରମାକାନ୍ତ ପଣ୍ଡା, ପୌରପରିଷଦ ଅଧ୍ଯକ୍ଷା ନିରୁପମା ଖଟେଇ,ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ମୁଖ୍ଯ ଚିକିତ୍ସା ଅଧିକାରୀ ଡାକ୍ତର ଅଜୟ କୁମାର ବାହିନୀପତି ଯୋଗଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ନୟାଗଡ଼ ଜିଲ୍ଲା ମୁଖ୍ଯ ଚିକିତ୍ସା ଅଧିକାରୀ ଶ୍ରୀଯୁକ୍ତ ପଣ୍ଡା ମାନ୍ଯବର ସାଂସଦଙ୍କୁ ପୁଷ୍ପ ଗଛ ସହିତ ଉପଢୌକନ ଦେଇ ସ୍ବାଗତ କରିଥିଲା ବେଳେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ସ୍କାଉଟ୍ ଗାଇଡ୍ ଛାତ୍ରଛାତ୍ରୀ ମାନେ ସାଂସଦଙ୍କୁ ରକ୍ତଦାନ କେନ୍ଦ୍ରକୁ ପାଛୋଟି ନେଇଥିଲେ। ସ୍କାଉଟ୍ ଗାଇଡ୍ ଛାତ୍ରଛାତ୍ରୀ ମାନେ ରକ୍ତ ଦାନ ଭଳି ଏକ ମହତ୍ କାର୍ଯ୍ୟକ୍ରମରେ ନିଜକୁ ସାମିଲ୍ କରିଥିବାରୁ ଖୁସି ହୋଇ ସ୍କାଉଟ୍ ଗାଇଡ୍ ଛାତ୍ରଛାତ୍ରୀ ମାନଙ୍କ ସହିତ ଫଟୋ ଉଠାଇ ପାଠପଢା ସହିତ ଦେଶସେବାରେ ମନ ଦେବାକୁ ପରାମର୍ଶ ଦେଇଥିଲେ।

ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ବାରା ପ୍ରତିଷ୍ଠିତ ‘ସମାଜ’ ଅନୁଷ୍ଠାନର ସମାଜ ମଙ୍ଗଳ ମୂଳକ କାର୍ଯ୍ୟକୁ ସାଂସଦ ଡକ୍ଟର ପାତ୍ର ଭୂୟସୀ ପ୍ରଶଂସା କରିଥିଲେ। ନୟାଗଡ଼ ସମାଜ ପ୍ରତିନିଧି ତଥା ବରିଷ୍ଠ ଆଇନଜିବୀ ଶୁଭେନ୍ଦୁ କୁମାର ଦାସ ଓ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର,ନୟାଗଡର ସଂପାଦକ ଶ୍ରୀଧର ସାହୁଙ୍କ ନେତୃତ୍ବରେ ଏହି ରକ୍ତ ଦାନ ଶିବିରରେ ୨୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ସେବାବ୍ରତୀ ଗୁରୁଜୀ ଗୁରୁମା,ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ ଓ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ଯୁବଛାତ୍ରଛାତ୍ରୀ ରକ୍ତ ଦାନ କରିଥିଲେ।ପ୍ରଥମ କରି ଯୁବଛାତ୍ରଛାତ୍ରୀ ମାନେ ରକ୍ତଦାନ କରିଥିବାରୁ ସାଂସଦ ଡକ୍ଟର ପାତ୍ର ଛାତ୍ରଛାତ୍ରୀ ମାନଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।

ଏହି ଶିବିରକୁ ଡାକ୍ତର ଅମରଜ୍ଯୋତି ସାହୁ, ସରୋଜ କୁମାର ସାହୁ,ସତ୍ଯପ୍ରିୟ ସାହୁ,ସସ୍ମିତା ଦାସ, ଲୀଲା ଦଳେଇ ଓ ଜିତେନ୍ଦ୍ର କୁମାର ସେଠୀ ପରିଚାଳନା କରିଥିଲେ। ଏହି ମହତ୍ କାର୍ଯ୍ୟକ୍ରମରେ ଶିକ୍ଷାକେନ୍ଦ୍ରର ସେବାବ୍ରତୀ ଗୁରୁଜୀ ଗୁରୁମା, ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ ଏନ୍ଏସ୍ଏସ୍ ର ପ୍ରୋଗ୍ରାମ ଅଫିସର ରଶ୍ମିତା ଭୁଜବଳ, ନୟାଗଡ଼ ମହାବିଦ୍ୟାଳୟର ଅଧ୍ଯାପକ କେଶବଚନ୍ଦ୍ର ରାଉତରାୟ, ଆଇନଜୀବୀ ସନ୍ତୋଷ ରାଉତରାୟ,ରୋଟାରୀ ସଂପାଦକ ଅବିନାଶ ସାହୁ,ସମାଜସେବୀ ସନ୍ତୋଷ କୁମାର ପ୍ରଧାନ, ସୁବାନ ମଲ୍ଲିକ, ଦାମୋଦର ସାହୁ,ଦୁର୍ଯୋଧନ ପାଇକରାୟ,ପ୍ରହଲ୍ଲାଦ ବରଡ, ପ୍ରେସ ଫଟୋଗ୍ରାଫର ସମୁ ମଲ୍ଲିକ ଓ ଜଗତକଲ୍ଯାଣ କାଶ୍ଯପଙ୍କ ସମେତ ବହୁ ସମାଜସେବୀ ସହଯୋଗ କରିଥିଲେ।।

Related posts