ଗୁରୁକବି ଶ୍ରୀଯୁକ୍ତ ସୋମନାଥ ରାଜଗୁରୁଙ୍କୁ ସମର୍ପିତ ସୃଜନୀର ‘ସ୍ମୃତି ଶ୍ରଦ୍ଧାଞ୍ଜଳି’

ନୟାଗଡ଼, (ନୟାଗଡ଼ ଦର୍ପଣ): ସୃଜନୀ ପରିବାର (ଚେନ୍ନାଇ) ଦିବଂଗତ ଗୀତିକାର, ସ୍ୱର ସଂଯୋଜକ, କଣ୍ଠଶିଳ୍ପୀ, ସଙ୍ଗୀତ ନିର୍ଦ୍ଦେଶକ ଗୁରୁକବି ସୋମନାଥ ରାଜଗୁରୁଙ୍କ ୮୪ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ସମର୍ପିତ “ସ୍ମୃତି ଶ୍ରଦ୍ଧାଞ୍ଜଳି” କାର୍ଯ୍ୟକ୍ରମ “ ଗୀତି ଭାରତୀ”ସହ ଭଜନ ସନ୍ଧ୍ୟା “ଶରଧାବାଲି” କାର୍ଯ୍ୟକ୍ରମ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ସଭାରେ ପ୍ରମୁଖ ବକ୍ତା ତଥା ଆଲୋଚକ ଭାବରେ ଜାତୀୟ ସଂସ୍କୃତ ମହାବିଦ୍ୟାଳୟ (ତିରୁପତି) ର ଉପ-ନିର୍ଦ୍ଦେଶକ ପ୍ରାଧ୍ୟାପକ ଡ଼ଃ ଭାରତ ଭୂଷଣ ରଥ ଏବଂ ସାହିତ୍ୟିକ ତଥା ଗବେଷକ ଶ୍ରୀଯୁକ୍ତ ଚନ୍ଦ୍ରବିଜୟୀ ମିଶ୍ର ଉପସ୍ଥିତ ରହି
ପ୍ରଭୁ ଶ୍ରୀ ଜଗନ୍ନାଥ ସଂସ୍କୃତି , ପରମ୍ପରା ଓ ବାହୁଡା ଯାତ୍ରାର ମାହାତ୍ମ୍ୟ ପ୍ରସଙ୍ଗରେ ଆଲୋଚନା କରିବା ସହ ଶ୍ରୀ ଜଗନ୍ନାଥ ସଂସ୍କୃତି କୁ ଉଦ୍ଜୀବିତ କରିବା ଓ ଓଡ଼ିଆ ସଂଗୀତ ଜଗତକୁ ଗୁରୁକବି ସୋମନାଥ ରାଜଗୁରୁଙ୍କ ଅବଦାନ ପ୍ରସଙ୍ଗରେ ରେ ନିଜସ୍ୱ ଅଭିମତ ପ୍ରଦାନ କରିଥିଲେ।

ଚଳଚ୍ଚିତ୍ର ତଥା ପ୍ରସାରଭାରତୀର ସ୍ୱନାମଧନ୍ୟ ବରିଷ୍ଠ କଣ୍ଠଶିଳ୍ପୀ ଶ୍ରୀମାନ ନବକିଶୋର ମିଶ୍ର,ବରିଷ୍ଠ କଣ୍ଠଶିଳ୍ପୀ -ପ୍ରସାର ଭାରତୀ ଶ୍ରୀମାନ ଜଗଦୀଶ ପ୍ରସାଦ ରଥ,ସଙ୍ଗୀତଜ୍ଞ ତଥା ବରିଷ୍ଠ କଣ୍ଠଶିଳ୍ପୀ ଶ୍ରୀମାନ ରଜନୀକାନ୍ତ ମହାପାତ୍ର,ପ୍ରବାସୀ ଉତ୍କଳ ସାହିତ୍ୟ ସଂସ୍ଥା(ମୁମ୍ବାଇ ) ର ସଂସ୍ଥାପିକା ଶ୍ରୀମତୀ ମୈତ୍ରୟୀ କମିଳା, ଉତ୍କଳିକା (ଗୁଜୁରାଟ )ର ସମ୍ପାଦିକା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ଓଝା ,ସାହିତ୍ୟିକା ତଥା ଅନୁବାଦିକା ଶ୍ରୀମତୀ ପାରମିତା ଷଡ଼ଙ୍ଗୀ ଓ ସାହିତ୍ୟିକ ଶ୍ରୀମାନ ସନ୍ୟାସୀ ନାୟକ ଆଦି ଆଭାସୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସ୍ୱର୍ଗତ ଶ୍ରୀଯୁକ୍ତ ସୋମନାଥ ରାଜଗୁରୁଙ୍କ ବ୍ୟକ୍ତିତ୍ୱ ସହ ତାଙ୍କ ସାରସ୍ୱତ ସୃଷ୍ଟି କୁ ମୁଖ୍ୟ ପ୍ରସଙ୍ଗ କରି ଦିଗନ୍ତ ପ୍ରସାରି ଆଲୋଚନା କରିବା ସହ ଓଡ଼ିଆ ସାହିତ୍ୟ,ସଂଗୀତ ତଥା ବିଶ୍ୱ ସମୁଦାୟକୁ ତାଙ୍କର ଅବଦାନ ବିଷୟରେ ଆଲୋକପାତ କରିଥିଲେ।

କବିରତ୍ନ ସୋମନାଥ ରାଜଗୁରୁ ତାଙ୍କ ଜୀବନ କାଳରେ ବହୁ ଭଜନ ଜଣାଣ, ଚମ୍ପୁ, ଛାନ୍ଦ, ଓଡିଶୀ, ପଲ୍ଲୀଗୀତ, ଦେଶବନ୍ଦନା, ଚଳଚିତ୍ର ସଙ୍ଗୀତ, ସୁଗମ ସଙ୍ଗୀତ ରଚନା କରିଛନ୍ତି। ଯାହା କି ଓଡ଼ିଆ ଜନମାନସ ରେ ଆଦୃତ ହୋଇଥିବା ସହ ଆତ୍ମପ୍ରଚାର ବିମୁଖ ଏହି ଶିଳ୍ପୀ ସାଧକ ବିଶ୍ଵକର୍ମା ସୃଷ୍ଟି କରିଛନ୍ତି ନିଜସ୍ୱ ସଂଗୀତ ସାମ୍ରାଜ୍ୟ ଯାହାକି ବହୁ କଳାକାର ଏବଂ ସଂଗୀତ ନିର୍ଦ୍ଦେଶକଙ୍କୁ ଦେଇପାରିଛି ଅନେକ ପ୍ରତିଷ୍ଠା ସହ ମାନସମ୍ମାନ।

ଓଡିଶା ସଙ୍ଗୀତ ଜଗତର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଶ୍ରୀମତୀ ଜ୍ୟୋତିର୍ମୟୀ ତ୍ରିପାଠୀ ( ନୟାଗଡ଼) / ଶ୍ରୀମତୀ ଅମିତା ପ୍ରଭା ସ୍ଵାଇଁ ( ଭୁବନେଶ୍ଵର ) / ଶ୍ରୀଯୁକ୍ତ ଶତୃଘ୍ନ ସାହୁ ( ବେଗୁନିଆ )/ଶ୍ରୀଯୁକ୍ତ ପ୍ରଦୀପ୍ତ ତ୍ରିପାଠୀ ( ବେଗୁନିଆ ) / ଶ୍ରୀମତୀ ସବିତା ଶୁକ୍ଳା ( ନୟାଗଡ଼ ) / ଶ୍ରୀମତୀ ସଲିଳା ମହାନ୍ତି ( ଭୁବନେଶ୍ଵର )/ଶ୍ରୀଯୁକ୍ତ ରଞ୍ଜନ କୁମାର ମାହାନ୍ତି ( ମୁମ୍ବାଇ ) / ଶ୍ରୀମତୀ ଶୁଭଶ୍ରୀ ପଟ୍ଟନାୟକ ( ମୁମ୍ବାଇ) / ଶ୍ରୀମତୀ ମମତା ସାମନ୍ତରାୟ ( ମୁମ୍ବାଇ) ଆଦି ‘ଗୁରୁକବି ‘ ଶ୍ରୀଯୁକ୍ତ ସୋମନାଥ ରାଜଗୁରୁଙ୍କୁ ସମର୍ପିତ ଭକ୍ତି ସଙ୍ଗୀତ ସମାରୋହ ” ଶରଧାବାଲି ” କାର୍ଯ୍ୟକ୍ରମରେ ଉପସ୍ଥିତ ରହି ରାଜଗୁରୁଙ୍କ ରଚିତ ତଥା ସଂଗୀତ ନିର୍ଦ୍ଦେଶିତ ଭଜନ ଓ ଜଣାଣ କୁ କଣ୍ଠ ଦାନ କରିଥିବା ସହ ସମାରୋହକୁ ଭାବଭକ୍ତି ଭରା କରିଥିଲେ।
ଏହି ବିଶେଷ ଅବସରରେ ଆୟୋଜିତ ସଭାରେ ସୃଜନୀ ପରିବାରର ମୁଖ୍ୟ ଉପଦେଷ୍ଟା ଅବସରପ୍ରାପ୍ତ ଆଇ ଏଫ୍ ଏସ୍ ଶ୍ରୀଯୁକ୍ତ ଆଶୁତୋଷ ସାମନ୍ତସିଂହ , ସାରସ୍ଵତ ସାଧିକା ଡକ୍ଟର ବାସନ୍ତୀ ମହାନ୍ତି , ନାଳନ୍ଦା ବିଶ୍ୱବିଦ୍ୟାଳୟର ଡିନ ପ୍ର.ଗୋଦାବରୀଶ ମିଶ୍ର, ସଂପାଦକ ଶ୍ରୀ ଅଶୋକ କୁମାର ସାମନ୍ତ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହାୟତା କରିଥିଲେ ।
ଉକ୍ତ ଆଭାସୀ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ତଥା କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଶ୍ରୀମାନ ପ୍ରତାପ ଚନ୍ଦ୍ର ଆଚାର୍ଯ୍ୟ , କବିଙ୍କ ସୁପୁତ୍ର ଇଂ ଶଶୀକାନ୍ତ ରାଜଗୁରୁ ସହ ଶ୍ରୀଯୁକ୍ତ ରାଜଗୁରୁଙ୍କ ପରିବାର ବର୍ଗ , ରାଜଗୁରୁ ବଂଶଜ ଏବଂ ବହୁ ମାନ୍ୟଗଣ୍ୟ ବିକ୍ତିତ୍ଵ ଉପସ୍ଥିତ ରହି ଦିବଂଗତ ସ୍ରଷ୍ଟାଙ୍କୁ ବିନମ୍ର ସ୍ମୃତି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହ ସ୍ମୃତିଚାରଣ କରିଥିଲେ।

Related posts