ନୟାଗଡ଼ରେ ଜିଲାସ୍ତରୀୟ ପ୍ରବନ୍ଧ ଲିଖନ ପ୍ରତିଯୋଗୀତା, ଶୁଭସ୍ମିତା ଜିଲ୍ଲାରେ ପ୍ରଥମ

ନୟାଗଡ଼, (ନୟାଗଡ଼ ଦର୍ପଣ): ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧୋତ୍ସବ ଅବସରରେ ‘ସମାଜ’ ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ଜିଲାସ୍ତରୀୟ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ରବିବାର ନୟାଗଡ଼ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଯୋଗଦେଇଥିଲେ। ସମ୍ମାନୀୟ ଅତିଥିଭାବେ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ନୟାଗଡ଼ ବ୍ଲକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନ, ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମାକାନ୍ତ ସେଠୀ ପ୍ରମୁଖ ଯୋଗଦେଇଥିଲେ।

ନୟାଗଡ଼ ଜିଲା ପ୍ରତିନିଧି ଉଦିତ୍‌ ନାରାୟଣ ଦାଶ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ଦେଇଥିଲେ। ଗୋପବନ୍ଧୁଙ୍କ ଜୀବନୀ ସମ୍ପର୍କରେ ଅତିଥିମାନେ ବକ୍ତବ୍ୟ ରଖିଥିଲେ। ପ୍ରତିଯୋଗିତାରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରୁ ୨୪ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ସେଥିମଧ୍ୟରୁ ନୟାଗଡ଼ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଶୁଭସ୍ମିତା ରଥ ପ୍ରଥମ ହୋଇଥିଲେ। ସେହିପରି ମଝିଆଖଣ୍ଡ ରଘୁନାଥ ନୋଡାଲ ଉଚ୍ଚ ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ର ଦେବଦତ୍ତ ପ୍ରଧାନ ଦ୍ବିତୀୟ ଏବଂ ଖଣ୍ଡପଡ଼ା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୯ମ ଶ୍ରେଣୀ ଛାତ୍ରୀ ଇପ୍‌ସିତା ପଣ୍ଡା ତୃତୀୟ ସ୍ଥାନ ଅଧିକାର କରିଥିଲେ। ବିଚାରକ ଭାବେ ଜିଲା ଆଇନ ସେବା ପ୍ରାଧିକରଣର ସଦସ୍ୟ ତଥା ଓଡ଼ଗାଁ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ମହମ୍ମଦ ଓମାର ମଲ୍ଲିକ ଏବଂ ଇଟାମାଟି ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଅଶୋକ ନାୟକ ପ୍ରତିଯୋଗୀଙ୍କ ଖାତା ମୁଲ୍ୟାୟନ କରିଥିଲେ। ଶେଷରେ କୃତୀ ପ୍ରତିଯୋଗୀଙ୍କୁ ‘ସମାଜ’ ପକ୍ଷରୁ ପ୍ରଶଂସାପତ୍ର ଓ ଅର୍ଥ ପୁରସ୍କାର ପ୍ରଦାନ କରାଯାଇଥିଲା। ନୟାଗଡ଼ ସହର ପ୍ରତିନିଧି ଶୁଭେନ୍ଦୁ କୁମାର ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଧନ୍ୟବାଦ ଦେଇଥିଲେ।

Related posts