ଆରୋମିରା ଟ୍ରଷ୍ଠ ପକ୍ଷରୁ ବିଶ୍ୱ ଧରିତ୍ରୀ ଦିବସ ପାଳିତ

ଓଡଗାଁ, (ନୟାଗଡ଼ ଦର୍ପଣ): ଧରିତ୍ରୀ ମା’ର ସୁରକ୍ଷା ନିମନ୍ତେ ଜନ ସଚେତନତା ସୃଷ୍ଟି ପାଇଁ ସାରା ବିଶ୍ୱରେ ଆଜି ପବିତ୍ର ଧରିତ୍ରୀ ଦିବସ ପାଳିତ ହେଉ ଅଛି। ଏ ଅବସରରେ ନୟାଗଡ଼ ଜିଲ୍ଲା କୁରାଳ ଗ୍ରାମର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଅରୋମିରା ଟ୍ରଷ୍ଟ ତରଫରୁ ଧରିତ୍ରୀ ଦିବସ ପାଳନ କରାଯାଇଛି। ଟ୍ରଷ୍ଟ ପରିଚାଳକ ତଥା ପ୍ରକୃତି ବନ୍ଧୁ ସୁକାନ୍ତ ଚୌଧୁରୀଙ୍କ ମାର୍ଗ ଦର୍ଶନରେ ଶାଳ ବଣ ସୁରକ୍ଷା ସମିତି ଏବଂ ପଞ୍ଚୁପାଣ୍ଡବ ସୁରକ୍ଷା ମଞ୍ଚ ସହାୟତାରେ ଓଡଗାଁ ବନାଞ୍ଚଳ ଅଧିନସ୍ଥ ବାହାଡାଝୋଲା ରିଜର୍ଭ ଶାଳ ବଣକୁ ଘେରି ରହିଥିବା ଗ୍ରାମ ସମୂହ ଏବଂ ଓଡଗାଁ ବନାଞ୍ଚଳ ଓ ବୁଗୁଡ଼ା ବନାଞ୍ଚଳ ଅଧିନସ୍ଥ ପଞ୍ଚୁପାଣ୍ଡବ ପାହାଡକୁ ଘେରି ରହିଥିବା ନୟାଗଡ଼ ତଥା ଗଞ୍ଜାମ ଜିଲ୍ଲାର ୧୫ ଟି ଗ୍ରାମରେ ଧରିତ୍ରୀ ମାତାଙ୍କ ବିଧିବଦ୍ଧ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ତତସହିତ ଜଙ୍ଗଲ ଓ ପାହାଡକୁ ନିଆଁ ଦାଉରୁ ରକ୍ଷା କରିବା, ପାନୀୟ ଜଳ ସଂରକ୍ଷଣ, ଏକକ ବ୍ୟବହୃତ ପ୍ଲାଷ୍ଟିକ ବର୍ଜନ ତଥା ପରିବେଶ ସୁରକ୍ଷା ସମ୍ବନ୍ଧୀୟ ଆଲୋଚନା ଓ ଶପଥ ଗ୍ରହଣ କାର୍ଯ୍ୟକ୍ରମ ମାନ କରାଯାଇଥିଲା। ସ୍ଥାନୀୟ ଜନସାଧାରଣ ତଥା ପରିବେଶ ପ୍ରେମୀଙ୍କ ସ୍ଵତଃ ଅଂଶଗ୍ରହଣ ପ୍ରେରଣାଦାୟୀ ଥିଲା । ଧରିତ୍ରୀ ମାତାଙ୍କ ଜୟଗାନ ସହ ଜଙ୍ଗଲ ସୁରକ୍ଷା, ଆମର ଦୀକ୍ଷା, ଏକକ ବ୍ୟବହୃତ ପ୍ଲାଷ୍ଟିକ ବର୍ଜନ, ସୁରକ୍ଷିତ ହେବ ଆମ ଜୀବନ, ଆସ ଆମେ ପ୍ରକୃତିର ବନ୍ଧୁ ହେବା ଇତ୍ୟାଦି ସ୍ଲୋଗାନ ଗ୍ରାମ ମାନଙ୍କରେ ଭାବାବେଗ ସୃଷ୍ଟି କରିଥିଲା। ପରିବେଶ ସାଥୀ, ବାଗଦେବୀ ବିକାଶ ମଞ୍ଚ, ସାଧୁ ସନ୍ଥ ବିକାଶ ମଞ୍ଚ ପ୍ରଭୃତି ଅନୁଷ୍ଠାନ ମାନଙ୍କ ସହ ସମ୍ଭବଙ୍କ ପ୍ରେରଣା ଓ ସହଯୋଗ ଯୋଗୁଁ ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦିତ ହୋଇଥିଲା।

Related posts