ରଣପୁର ରାଜନୀତିରେ ନୂଆ ମୋଡ଼, ଚିନ୍ତାରେ ବାଦଲ !!

ନୟାଗଡ଼,(ନୟାଗଡ଼ ଦର୍ପଣ): ରଣପୁର ରାଜନୀତିରେ ନୂଆ ମୋଡ଼। ରଣପୁର ମୈଦାନକୁ ଆସିଲେ ସୁରମା ପାଢ଼ୀ। ଟେନସନରେ ବିଜେଡ଼ି ବିଧାୟକ ବାଦଲ। ବିଜେପି ନିଷ୍ପତି ପରିବର୍ତ୍ତନ କରି ତାପସଙ୍କୁ ବଦଳାଇ ଏବେ ସୁରମା ପାଢ଼ୀଙ୍କୁ ଟିକେଟ ଦେଇଛି। ସୁରମା ଟିକେଟ ପାଇବା ପରେ ଏବେ ବିଜେଡ଼ି ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କ ଛାତିରେ ଛନକା ପଶିଛି। ଖୁବ କମ ଭୋଟରେ ସୁରମାଙ୍କ ଠାରୁ ଜିତିଥିଲେ ବାଦଲ। ତେଣୁ ଏହି ନିର୍ବାଚନକୁ ନେଇ ହାରୁ ହାରୁ ଜିତିଥିବା ବାଦଲ ଏବେ କୁଆଡେ ଚିନ୍ତାରେ ଥିବା ନେଇ ଆଲୋଚନା ହେଉଛି। କାରଣ ବାଦଲଙ୍କ ବିଜୟ ଆଉ ସହଜ ନୁହେଁ। ସୁରମାଙ୍କ ଜବରଦସ୍ତ ଏଣ୍ଟ୍ରି ପରେ ରଣପୁରରେ ଏବେ ଖୁସିର ଲହରୀ। ମାତ୍ର ପାଖାପାଖି ୪ହଜାର ଭୋଟରେ ଜିତି ବିଧାୟକ ହେବାରେ ସକ୍ଷମ ହୋଇଥିଲେ ବାଦଲ। ବ୍ଲକ ଚେୟାରମ୍ୟାନ ଦଖଲ ପରେ ଏବେ ବିଧାୟିକା ହେବା ପାଇଁ ବଡ଼ ମାଷ୍ଟରଷ୍ଟ୍ରୋକ ଖେଳିଛନ୍ତି ସୁରମା। ସୁରମାଙ୍କୁ ଟିକେଟ ମିଳିବା ପରେ ବିଜେପିର ତୁଙ୍ଗ ନେତାମାନଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି। ଛାମୁଆ ନେତାଙ୍କ ଦାବି ପରେ ଶେଷରେ ବିଜେପି ନିଷ୍ପତି ବଦଳାଇଛି। ବିଜେପି ନିଷ୍ପତି ପରିବର୍ତ୍ତନ ପରେ ତାପସ ରଞ୍ଜନ ମାର୍ଥାଙ୍କ ମନ ଉଣା ହୋଇଛି ସତ, ହେଲେ ତାଙ୍କ ଭବିଷ୍ୟତ ଏକପ୍ରକାର ଉଜ୍ଜଳ ବୋଲି ଆଲୋଚନା ହେଉଛି। କାରଣ ତାପସ ଲଢ଼ିଥିଲେ ହାରିବାର ଅନେକ ସମ୍ଭାବନା ଥିବା ରାଜନୈତିକ ସମୀକ୍ଷକଙ୍କ ମତ। ପୁଣି ଥରେ ବାଦଲ ବିଧାୟକ ହେଲେ ସମିତି ସଭ୍ୟଙ୍କ ମନବଳ ଭାଙ୍ଗିବା ସହ ସେମାନେ ବିଜେଡ଼ିକୁ ସମର୍ଥନ ଦେବାକୁ ବାଧ୍ୟ ହୋଇଥାନ୍ତେ। ଫଳରେ ଏହି ସମର୍ଥନ ପାଇ ଅନାସ୍ଥା ଆଣିବାରେ ବିଜେଡ଼ି ସକ୍ଷମ ହେବ ବୋଲି କୁହାଯାଉଛି। ତେଣୁ ଏହି କଥାକୁ ଏଡାଇବା ପାଇଁ ହେଉ କିମ୍ବା ଧର୍ମପତ୍ନୀ ତଥା ବ୍ଲକ ଚେୟାରମ୍ୟାନ ପଦବୀ ହରାଇବା ପାଇଁ କେବେ ବି ଚାହିଁବେ ନାହିଁ ତାପସ। ତେଣୁ ସେ ସୁରମାଙ୍କୁ ସମର୍ଥନ ଦେବା ସହ ନେତୃତ୍ୱ ନେବେ ବୋଲି ଶୁଣାଯାଉଛି। ତାପସ ଏବେ ନୟାଗଡ଼ ଜିଲ୍ଲା ବିଜେପି ସଭାପତି ରହିଛନ୍ତି। ତେଣୁ ତାଙ୍କ ନେତୃତ୍ୱରେ ରଣପୁର ବିଜେପି ଜିତିବା ପାଇଁ ସେ ନେତୃତ୍ୱ ନେଇପାରନ୍ତି। ସୁରମା ଏବଂ ବାଦଲଙ୍କ ମଧ୍ୟରେ ଗତ ୧୯ ନିର୍ବାଚନରେ ଜୋରଦାର ଲଢେଇ ହୋଇଥିଲା। ପୁନର୍ବାର ବିଜେପି ଏବଂ ବିଜେଡ଼ି ମଧ୍ୟରେ କଡା ଟକ୍କର ହେବ। ହେଲେ ଏବେ ସୁରମା ମୈଦାନକୁ ଆସିବା ପରେ ଜନମତ ତାଙ୍କ ସପକ୍ଷରେ ଯାଇପାରେ ବୋଲି କୁହାଯାଉଛି। ଏପଟେ ଶାସକ ଦଳର ବିଧାୟକ ଥାଇ ହାରିବାକୁ ଏଡାଇବା ପାଇଁ ପ୍ରାଣପ୍ରଣେ ଉଦ୍ୟମ କରୁଛନ୍ତି ବିଧାୟକ ସତ୍ୟନାରାୟଣ ପ୍ରଧାନ। ହେଲେ ନୟାଗଡ଼ର ୪ଟି ନିର୍ବାଚନ ମଣ୍ଡଳୀରୁ ରଣପୁର ଆସନ ବିଜେଡ଼ିକୁ ମିଳିବ ନା ନାହିଁ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ତେବେ ରଣପୁର ରାଜନୀତିରେ ଆଗକୁ ଆହୁରି ରୋଚକ ଦିଗ ଦେଖିବାକୁ ମିଳିବ।

Related posts