ବଲାଙ୍ଗୀ ବନ୍ଧ ପାର୍କରେ ତୃତୀୟ ନୟାଗଡ଼ ସାହିତ୍ୟ ଉତ୍ସବ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହର ସ୍ଥିତ ବଲାଙ୍ଗୀ ବନ୍ଧ ପ୍ରମୋଦ ଉଦ୍ୟାନ ପରିସରରେ ତୃତୀୟ ନୟାଗଡ଼ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଆୟୋଜିତ ଏହି ସାହିତ୍ୟ ଉତ୍ସବରେ ମୁଖ୍ୟଅତିଥି ଭାବେ କବି, ଦାର୍ଶନୀକ ତଥା ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦେଇ ଉଦଘାଟନ କରିଥିଲେ। ଏହି ଅବସରରେ କବି ତଥା ବିଧାୟକ ଡ. ସାହୁ କହିଥିଲେ ଯେ, ସାହିତ୍ୟ ହୃଦୟକୁ ଯୋଡ଼ିଥାଏ, ମଣିଷ ଭିତରେ ମଣିଷପଣିଆ ଭରିଥାଏ। ସାହିତ୍ୟ ବିପ୍ଳବ କରେ, ସାହିତ୍ୟ ହୃଦୟକୁ ତରଳାଇଦିଏ। ସାହିତ୍ୟ ମଣିଷ ଜୀବନରେ ମହୁ ଭରିଦିଏ ବୋଲି କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଆୟୋଜିତ ଏହି ଉତ୍ସବରେ ସ୍ୱତନ୍ତ୍ରଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲୀପ ରାଉତରାଏ ଆତ୍ମ ଅନୁଶୀଳନ ଓ ଆତ୍ମ ପରିବର୍ତ୍ତନ ଉପରେ ଗୁରୁତ୍ବ ଦେଇଥିଲେ। ସାହିତ୍ୟିକମାନେ ହିଁ ଏହା କରିପାରିବେ ବୋଲି ସେ ମତବ୍ୟକ୍ତ କରିଥିଲେ।

ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ କଥାଶିଳ୍ପୀ ଡ. ଗୌରହରି ଦାସ କହିଥିଲେ ଯେ ଓଡ଼ିଆ ସାହିତ୍ୟ ବିଶ୍ବକୁ ଦୟା ଓ କରୁଣା ଶିକ୍ଷା ଦେଇଛି। ନାରୀବାଦ ଓ ଜାତିବିରୋଧୀ ଆନ୍ଦୋଳନର ଶତାବ୍ଦୀ ଶତାବ୍ଦୀ ପୂର୍ବରୁ ଆମର ନମସ୍ୟ କବି ବଳରାମ ଦାସ ଲକ୍ଷ୍ମୀପୁରାଣ ମାଧ୍ୟମରେ ମାନବିକତା ଓ ସମତାର ବାର୍ତ୍ତା ଦେଇଛନ୍ତି। ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରତିଷ୍ଠାତା ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ଏ ଉଦ୍‌ଘାଟନୀ ସଭାରେ ସଭାପତିତ୍ବ କରି କହିଥିଲେ ଯେ ନୟାଗଡ଼ ଲେଖକଙ୍କ ମଧ୍ୟରେ ସଦ୍‌ଭାବ ବଢ଼ାଇବା ଓ ସେମାନଙ୍କୁ ରାଜ୍ୟର ପ୍ରମୁଖ ସାହିତ୍ୟିକଙ୍କ ସହ ଯୋଡ଼ିବା ଏ ଉତ୍ସବର ଉଦ୍ଦେଶ୍ୟ। ଉତ୍ସବରେ ଜିଲ୍ଲାର ଆଠଟି ବ୍ଲକ୍‌ରୁ ଓ ଜିଲ୍ଲା ବାହାରରୁ ୭୦୦ରୁ ଅଧିକ ଲେଖକ ଓ ସାହିତ୍ୟ ଅନୁରାଗୀ ଯୋଗ ଦେଇଥିଲେ।

ଉଦ୍‌ଘାଟନୀ ସଭା ପରେ “ସାହିତ୍ୟରୁ ପ୍ରାପ୍ତି” ଶୀର୍ଷକ ଆଲୋଚନାରେ ନିଜର ବକ୍ତବ୍ୟ ରଖିଥିଲେ ଡ. ବିଜୟ କୁମାର ଚୌଧୁରୀ, ଡ. ତପନ କୁମାର ପଣ୍ଡା, ଅଶୋକ କୁମାର ନାୟକ, ବିଶ୍ବନାଥ ମହାପାତ୍ର ଓ ଡ. ବାନାମ୍ବର ପୃଷ୍ଟି। ପରେପରେ “ସାହିତ୍ୟର କୁହୁକ : ତାରୁଣ୍ୟର ମହକ” ଶୀର୍ଷକ ଆଲୋଚନାରେ ଭାଗନେଇଥିଲେ ଯୁବ ଲେ‌ଖକ ମିୟୋଗ ରଂଜନ ପାତ୍ର, ରଜତ କୁମାର ମିଶ୍ର, ସ୍ବରୂପ କୁମାର ନାୟକ ଓ ସ୍ବୟଂସମ୍ପନ୍ନା କର। ପରେ ହାଡ଼ିବନ୍ଧୁ ମହାଖୁଡ଼ଙ୍କ ସଭାପତିତ୍ବରେ ଆୟୋଜିତ ବ୍ୟଙ୍ଗ ସଂପାନରେ ବକ୍ତବ୍ୟ ରଖିଥିଲେ ଗଦାଧର ନନ୍ଦ ଓ ଡ. ଗିରୀଶ ରଂଜନ।

ମୁଖ୍ୟ ମଞ୍ଚ ବାହାରେ ଅନ୍ୟ ଏକ ସମାନ୍ତରାଳ ମଞ୍ଚରେ ୫ଟି କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଟ ୨୨୩ ଜଣ କବି କବିତା ପଢ଼ିଥିଲେ। ଅପରାହ୍ନରେ ଅନୁଷ୍ଠିତ ଉଦ୍‌ଯାପନୀ ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ। ଏଥିରେ ବିଶିଷ୍ଟ ନାଟ୍ୟକାର ଡ ରାମଚନ୍ଦ୍ର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇଥିବାବେଳେ ବିଶିଷ୍ଟ ସାହିତ୍ୟିକ ଡ. ମିହିର କୁମାର ସାହୁ ଓ ସମାଜସେବୀ ପ୍ରମୋଦ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଏ ଅବସରରେ କବିତା ପଢ଼ିଥିବା କବିମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସ୍ମୃତି ଫଳକ ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା।

କବିତା ପାଠୋତ୍ସବରେ ପ୍ରଧାନି ବୃନ୍ଦାବନ ମହାପାତ୍ର, ବସିରନ ବିବି, ଡ. ଆଶୁତୋଷ ମିଶ୍ର, ଗୋଦାବରୀଶ ମିଶ୍ର, ଡ. କୈଳାଶ ବାଣ୍ଠ, ବିରଞ୍ଚି ନାରାୟଣ ତ୍ରିପାଠୀ, ଡ. ସୁକାନ୍ତି ମହାନ୍ତି, ମହମ୍ମଦ ଆଜାଦ, ଶରତ ଚନ୍ଦ୍ର ଆଚାର୍ଯ୍ୟ, ନିର୍ମଳ ଚନ୍ଦ୍ର ଶୂରଦେଓ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସଂଯୋଜନା କରିଥିଲେ ଯଜ୍ଞଦତ୍ତ ରଥ, କାଦମ୍ବିନୀ ମହାପାତ୍ର, ଶ୍ରାବଣୀ ନାଥ, ଯଶୋବନ୍ଦ ପଟ୍ଟନାୟକ, ଜୟଶ୍ରୀ ଦେବୀ, ରଞ୍ଜନ କୁମାର ଦାଶ, ସ୍ମିତା ସ୍ବାଇଁ, ନୀଳିମା ନନ୍ଦ ଓ ଗୋପୀନାଥ ସେଠୀ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ କବି ଓ ସଂଗଠକ ଶେଖ୍‌ ଅବଦୁଲ ଖାଲିକ।

Related posts