ନୟାଗଡ଼ ବ୍ଲକର ୨୯ଟି ପଞ୍ଚାୟତର ୨୨୦୫ଜଣ ନୂତନ ହିତାଧିକାରୀ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ସାମିଲ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ସରକାର ମଧୁବାବୁ ପେନ୍‌ସନ୍‌
ଯୋଜନାରେ ମାସିକ ୫୦୦ ଟଙ୍କା ବୃଦ୍ଧି କରିଛନ୍ତି । ସେହିପରି ଜାତୀୟ ସାମାଜିକ ସହାୟତା ଅଧୀନରେ ରାଜ୍ୟ ସରକାର ଅତିରିକ୍ତ ପ୍ରୋତ୍ସାହନ ରାଶିକୁ ୫୦୦ ଟଙ୍କା ବୃଦ୍ଧି କରିଛନ୍ତି । ରାଜ୍ୟର ସର୍ବନିମ୍ନ ସାମାଜିକ ସୁରକ୍ଷା ଭତ୍ତା ୧୦୦୦ ଟଙ୍କାକୁ ବୃଦ୍ଧି ପାଇଛି। ଏହି ଅବସରରେ ଆଜି ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ହୀରକ ଜୟନ୍ତୀ କକ୍ଷରେ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ନୟାଗଡ଼ ପୌରଧ୍ୟକ୍ଷା ନିରୁପମା ଖଟେଇ, ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ଜିଲ୍ଲା ପରିଷଦ ସଭ୍ୟ ସୁବାଷ କଅଁର, ନୟାଗଡ଼ ବିଡିଓ ପଦ୍ମ ଚରଣ ସାହୁ ଓ ଜିଲ୍ଲା ସୁଚନା ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର ନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ନୟାଗଡ଼ ବ୍ଲକ ଅନ୍ତର୍ଗତ ୨୯ ଗୋଟି ପଞ୍ଚାୟତର ୨୨୦୫ଜଣ ନୂତନ ହିତାଧିକାରୀଙ୍କୁ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ସାମିଲ କରାଯାଇ ଭତ୍ତା ବଣ୍ଟନ କରାଯାଇଛି।

ଏହି ଅବସରରେ ମୁଖ୍ୟ ଅତିଥି ଇଂ ପଟ୍ଟନାୟକ ରାଜ୍ୟ ସରକାର ମମତା, କଳାକାର, ସାମାଜିକ ସୁରକ୍ଷା, ପାଚିକା ସହାୟିକା ଓ ବୁଣାକାର ମାନଙ୍କର ଭତ୍ତା ବୃଦ୍ଧି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସହାୟମାନଙ୍କର ସହାୟକ ପାଲଟିଛନ୍ତି। ଏହି ଅବସରରେ ସମସ୍ତ ହିତାଧିକାରୀମାନଙ୍କୁ ଅତିଥିମାନେ ଭତ୍ତା ବଣ୍ଟନ କରିଥିଲେ। ପ୍ରତ୍ୟେକ ପଞ୍ଚାୟତର ଜନପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Related posts