ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି । ସକାଳୁ ରାମଧୁନ ସହ ତ୍ରିନାଥ ଛକଠାରେ ଥିବା ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା। ଅପରାହ୍ନରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ପ୍ରମୁଖ ଉପସ୍ଥିତ ରହିଥିଲେ । ମୁଖ୍ୟବକ୍ତା ଭାବେ ନାଟ୍ୟକାର ଡ଼ଃ. ବିଜୟ କୁମାର ଚୌଧୁରୀ ଯୋଗଦେଇ ଗାନ୍ଧୀ ଓ ସାହିତ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟତମ ବକ୍ତା ମହମ୍ମଦ ଓମାର ମଲ୍ଲିକ ଗାନ୍ଧୀ ବାଦ ଓ ଗାନ୍ଧୀ ଦର୍ଶନ ଉପରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଡ. ସାହୁ ଗାନ୍ଧୀଙ୍କ ବିଷୟରେ ତର୍କ ଓ ବିତର୍କର ପରିସୀମା ବୃଦ୍ଧି ପାଇଥିବା କହିଥିଲେ । ଗଣତନ୍ତ୍ର ପ୍ରତିଷ୍ଠା କରିବାରେ ପ୍ରମୂଖ ଭୂମିକା ନିର୍ବାହ କରିଥିବା ବ୍ୟକ୍ତିଙ୍କ ଅବସାନ ଘଟିଲେ, ଗଣତନ୍ତ୍ର ଉପରେ ବିପଦ ସୃଷ୍ଟି ହୁଏ ବୋଲି ମତ ରଖିଥିଲେ । ଗାନ୍ଧୀଙ୍କର କେବଳ ଜନ୍ମ ଅଛି, ଯେ ପର୍ଯ୍ୟନ୍ତ ଗାନ୍ଧୀବାଦ ଅଛି, ସେ ପର୍ଯ୍ୟନ୍ତ ତାଙ୍କର ମୃତ୍ୟୁ ନାହିଁ ବୋଲି ବିଧାୟକ କହିଥିଲେ । ଏହି ଅବସରରେ ସର୍ବଧର୍ମ ସଭା ଅନୁଷ୍ଠିତ ହୋଇଥିବା ବେଳେ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର ନାଥ ସାହୁ ପରିଚାଳନା କରିଥିଲେ ।

Related posts