ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ବିଭିନ୍ନ ଦାବି ନେଇ ରେଳ ଷ୍ଟେସନରେ ଧାରଣା, ଉଚ୍ଚସ୍ତରୀୟ ବୈଠକ ପରେ ଆନ୍ଦୋଳନ ସ୍ଥଗିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ପୂର୍ବ ନିଷ୍ପତ୍ତି ମୁତାବକ ବିଭିନ୍ନ ଦାବି ନେଇ ନୟାଗଡ଼ ନାଗରିକ ମଞ୍ଚ ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ନୟାଗଡ଼ ଟାଉନ ରେଳ ଷ୍ଟେସନରେ ଆଜି ସକାଳେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଥିଲା । ତେବେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା ପରେ ଆନ୍ଦୋଳନକୁ ଦୁଇମାସ ପାଇଁ ସ୍ଥଗିତ ରଖାଯାଇଛି । ସୂଚନାଯୋଗ୍ୟ ଯେ ଗତ ୧୦ ତାରିଖ ଦିନ ୮ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଖୋର୍ଦ୍ଧାରୋଡ଼ ଡିଭିଜନାଲ ରେଲୱେ ମ୍ୟାନେଜରଙ୍କ ଉଦ୍ଦେଶ୍ୟରେ ନୟାଗଡ଼ ଷ୍ଟେସନ ମ୍ୟାଜେନର ସଞ୍ଜୟ ପ୍ରଧାନଙ୍କୁ ପ୍ରଦାନ କରାଯାଇଥିଲା । ଏହି ଦାବି ଗୁଡ଼ିକ ମଧ୍ୟରେ ନୟାଗଡ଼ରୁ ଭୁବନେଶ୍ୱର ଯାଉଥିବା ମେମୁ ଟ୍ରେନ ବାରମ୍ବାର ଅଚଳ ହେବା, ଅପେକ୍ଷାରତ ଯାତ୍ରୀଙ୍କ ପାଇଁ ବିଶ୍ରାମସ୍ଥଳୀର ସଂପ୍ରସାରଣ, ଯାତ୍ରୀମାନଙ୍କ ପାଇଁ ଥଣ୍ଡାପାନୀୟ ଜଳର ବ୍ୟବସ୍ଥା, ନୟାଗଡ଼ରୁ କଲିକତା ଏବଂ ବିଶାଖାପାଟଣାକୁ ଟ୍ରେନ ଚଳାଚଳ, ନିର୍ମାଣଧିନ ଓଭରବ୍ରିଜ ଏବଂ ଦ୍ୱିତୀୟ ପ୍ଲାଟଫର୍ମ କାର୍ଯ୍ୟ ତୁରନ୍ତ ଶେଷ କରିବା, ଦଶପଲ୍ଲା ରେଳଷ୍ଟେସନ କାର୍ଯ୍ୟ ତୁରନ୍ତ ଶେଷ କରି ରେଳ ଚଳାଚଳ କରିବା, ଷ୍ଟେସନକୁ ସଂଯୋଗ କରୁଥିବା ରାସ୍ତାର ମରାମତି ତଥା ଭୁବନେଶ୍ୱରଠାରେ ନୂଆଗାଁ ରୋଡ଼ ଏବଂ ଭଦ୍ରକ ଟ୍ରେନ ମଧ୍ୟରେ ରହୁଥିବା ୧୦ ମିନିଟ ବ୍ୟବଧାନକୁ ଏକଘଣ୍ଟା ବୃଦ୍ଧି କରିବା ଆଦି ରହିଥିଲା ।

ତେବେ ରେଳବିଭାଗର ଉଚ୍ଚସ୍ତରୀୟ ପଦାଧିକାରୀଙ୍କ ସହିତ ନାଗରିକ ମଞ୍ଚ ପକ୍ଷରୁ ଆଲୋଚନା ପରେ ଭୁବନେଶ୍ୱର ଯାଉଥିବା ମେମୁ ଟ୍ରେନ ବଦଳାଯାଇ ନୂତନ ମେଧା ଟ୍ରେନ ପ୍ରଚଳନ କରାଯାଇଥିବା, ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା, ଆପ୍ରୋଚ ରୋଡ଼ ମରାମତି ଖୁବ ଶୀଘ୍ର କରାଯିବା, ରେଲୱେ ଓଭର ବ୍ରିଜ ଏବଂ ଦ୍ୱିତୀୟ ପ୍ଲାଟଫର୍ମ କାର୍ଯ୍ୟ କାମ ଚଳିତ ମାସ ଡିସେମ୍ବର ସୁଦ୍ଧା ଶେଷ କରିବା ଏବଂ ଏକମାସ ମଧ୍ୟରେ ଦଶପଲ୍ଲା ଷ୍ଟେସନ ଉଦଘାଟନ ହୋଇ ଟ୍ରେନ ଚଳାଚଳ କରିବା ପାଇଁ ରେଳ ବିଭାଗ ଅଧିକାରୀମାନେ ପ୍ରତିଶୃତି ପ୍ରଦାନ କରିଥିଲେ । ଅନ୍ୟପକ୍ଷରେ କଲିକତା ଏବଂ ବିଶାଖାପାଟଣା ମଧ୍ୟରେ ଟ୍ରେନ ଚଳାଚଳ ରେଳ ମନ୍ତ୍ରାଣାଳୟର ନୀତିଗତ ନିଷ୍ପତ୍ତି ହୋଇଥିବାରୁ ଏ ସଂପର୍କରେ ବିଭାଗୀୟ ମନ୍ତ୍ରୀଙ୍କୁ ଅବଗତ କରାଇବା ପାଇଁ ଅଧିକାରୀମାନେ ପରାମର୍ଶ ନେଇଥିଲେ । ସେହିପରି ଦଶପଲ୍ଲା ଷ୍ଟେସନ କାର୍ଯ୍ୟକ୍ଷମ ହେଲେ ନୟାଗଡ଼ ଜିଲ୍ଲାକୁ ଅଧିକ ଟ୍ରେନ ଚଳାଚଳ କରିବ ବୋଲି ବିଭାଗୀୟ ଅଧିକାରୀମାନେ ସୂଚନା ପ୍ରଦାନ କରିଥଲେ ।

ଏହି ଉଚ୍ଚସ୍ତରୀୟ ଆଲୋଚନାରେ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ସଭାପତି ପ୍ରମୋଦ ପଟ୍ଟନାୟକ, ଉପସଭାପତି ପ୍ରଦୀପ କୁମାର ସାହୁ, ସଂପାଦକ ଲକ୍ଷ୍ମୀଧର ସାହୁ, ଯୁଗ୍ମ ସଂପାଦକ ପ୍ରଶାନ୍ତ ପଟ୍ଟନାୟକ ଏବଂ ଅଜିତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାସ, ବରିଷ୍ଠ ନାଗରିକ ମଞ୍ଚ ସାଧାରଣସମ୍ପାଦକ ଦୁର୍ଯ୍ୟୋଧନ ସାହୁ, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, ଗୋକୁଳ କୁମାର ଷଡ଼ଙ୍ଗୀ, ପୂର୍ଣ୍ଣଚନ୍ଦ୍ର ଶତପଥୀ ଆନ୍ଦୋଳନରେ ସାମିଲ ହୋଇଥିଲେ। ବିଭାଗ ପକ୍ଷରୁ ଡିଭିଜନାଲ ବାଣିଜ୍ୟ ପ୍ରବନ୍ଧକ ଗିରିଶ ଚନ୍ଦ୍ର ନାୟକ, ଏଇଏନ ଡି.ପ୍ରକାଶ ରାଓ, ରେଲୱେ ବାଣିଜ୍ୟ ନିରୀକ୍ଷକ ପୂର୍ଣ୍ଣଚନ୍ଦ୍ର କାମିଲା, ବିଦ୍ୟୁତ ବିଭାଗ ଜୁନିୟର ଇଞ୍ଜିନିୟର ସନ୍ତୋଷ ପାଲ, ରେଲୱେ ପୋଲିସ ଇନ୍ସପେକ୍ଟର ଏମ.କେ.ଶର୍ମା ତଥା ନୟାଗଡ଼ ଷ୍ଟେସନ ମ୍ୟାନେଜର ସଂଜୟ ପ୍ରମାନ ପ୍ରମୁଖ ଉପସ୍ଥିତ ଥିଲେ । ଆଲୋଚନା ଏବଂ ପ୍ରତିଶୃତି ପରେ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଆନ୍ଦୋଳନକୁ ଦୁଇମାସ ପାଇଁ ସ୍ଥଗିତ ରଖାଯାଇଥିଲା ।

Related posts