ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୁରୁଣା ସହରରେ ବିଜେ ଗୋପୀନାଥ ଜୀଉଙ୍କ ନାମରେ ଥିବା କୋଟି କୋଟି ଟଙ୍କା ମୂଲ୍ୟର ଭୁସମ୍ପତ୍ତି ନୟାଗଡ଼ କଲେଜ ନିଜ ଅକ୍ତିଆରରେ ଜୋର ଜବରଦସ୍ତ ରଖି କିଛି ଜମିରେ ନିର୍ମାଣ କାର୍ଯ୍ୟ କରିଥିବା ବେଳେ ଠାକୁରଙ୍କୁ ଏକଟଙ୍କା ନଦେବା ପାଇଁ ବିଭିନ୍ନ ଷଡଯନ୍ତ୍ର କରୁଥିବାର ଅଭିଯୋଗ ପରେ ବର୍ତ୍ତମାନ ଠାକୁରଙ୍କ ନାମରେ ଥିବା ନୟାଗଡ଼ ବ୍ଲକ୍ କୃଷ୍ଣପ୍ରସାଦ ଗ୍ରାମରେ ୩ଏକର ୨୦ ଡିସିମିଲ ଯାଗାକୁ ହସ୍ତାନ୍ତର କରିବା ପାଇଁ ନିଜେ ଉପ-ଜିଲ୍ଲାପାଳ ତଥା ଦେବୋତ୍ତର ନିର୍ବାହି ଅଧିକାରୀ ଦୋବୋତ୍ତର କମିଶନରଙ୍କୁ ଆବେଦନ କରିଛନ୍ତି। କାହାକୁ କିମ୍ବା କାହାପାଇଁ ଉକ୍ତ ଜମିକୁ ହସ୍ତାନ୍ତର କରାଯିବ ସେ ସଂକ୍ରାନ୍ତରେ ଅଭିଯୋଗ ଆହ୍ବାନ ଚିଠିରେ କିଛି ସୂଚନା ନଥିବାବେଳେ ଉପଜିଲ୍ଲାପାଳ କାହା ଚାପରେ ଠାକୁରଙ୍କ ଜମି ଅନ୍ୟ କାହାକୁ ଦେବାପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ଏହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସୂଚନାଯୋଗ୍ୟ ଯେ, କଲେଜ ଅକ୍ତିଆରରେ ରହିଥିବା ୯ଏକର ୪୮ ଡିସିମିଲ ଜମିର ବଜାର ମୂଲ୍ୟ ଅତିକମ୍ରେ ଶହେକୋଟି ଟଙ୍କା ହୋଇଥିବା ବେଳେ ବର୍ତ୍ତମାନ ୩ଏକର ୨୦ ଡିସିମିଲ ହସ୍ତାନ୍ତର ପାଇଁ ଥିବା ଜମିର ବଜାର ଦର ଛଅ କୋଟି ହେବ ବୋଲି ଜଣାପଡ଼ିଛି । ଠାକୁରଙ୍କ କୋଟି କୋଟି ଟଙ୍କା ସମ୍ପତ୍ତି ଥିବାବେଳେ ଗୋପୀନାଥ ଜୀଉଙ୍କର କଂସା ବାସନ, ଗରା ବାଲଟି ଓଗେର ବି ଚେପାଟୋଲା ହୋଇଗଲାଣି । ଖେଚୁଡ଼ି ଏବଂ ଭୋଗ କଥା ନକହିଲେ ଭଲ । ସବୁକିଛି ଦାତାଙ୍କ ଦାନରେ ଚାଲିଛି । ଦାତାଙ୍କ ଅର୍ଥରେ ଗୋପୀନାଥ ମନ୍ଦିରର ମରାମତି ଏବଂ ସୌନ୍ଦର୍ଯ୍ୟକରଣ ଯେକେହି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବ । କିନ୍ତୁ ଦେବୋତ୍ତର ବିଭାଗର ଅନୁଦାନ ଶୁନ କହିଲେ ଚଳେ ।
ଆମ୍ଭମାନଙ୍କର ନିର୍ଦ୍ଦିଷ୍ଟ ପ୍ରସ୍ତାବ ଏହି ଯେ, ଠାକୁରଙ୍କ ପଡ଼ି ରହିଥିବା ଜମିକୁ ଯେକେହି ବି ନେଉ ଅନ୍ତତଃ ପକ୍ଷେ ଉପଯୁକ୍ତ ମୂଲ୍ୟ ବଦଳରେ ଜମି ହସ୍ତାନ୍ତର କରାଯାଉ ଏବଂ ଉକ୍ତ ଲବ୍ଧ ଅର୍ଥକୁ ଗୋପୀନାଥ ଜୀଉଙ୍କ ନାମରେ ବ୍ୟାଙ୍କରେ ସ୍ଥାୟୀ ଜମା ରଖାଯାଉ । ତହିଁରୁ ଉପାର୍ଜିତ ସୁଧରେ ଅନ୍ତତଃ ପକ୍ଷେ ଠାକୁରଙ୍କ ପୂଜା, ଭୋଗ ଇତ୍ୟାଦି ଦୈନନ୍ଦିନ ଖର୍ଚ୍ଚ ଭରଣ କରାଯାଉ। ରାଜ୍ୟ ସରକାର ଯଦି ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନ ନିଅନ୍ତି ତେବେ ଗୋପୀନାଥ ଜୀଉଙ୍କ ସମ୍ପତ୍ତି ସୁରକ୍ଷା କମିଟି ତରଫରୁ ଜୋର ଜବରଦସ୍ତ ପ୍ରତିବାଦ କରାଯିବ ବୋଲି କମିଟିର ଆବାହକ ପ୍ରମୋଦ ପଟ୍ଟନାୟକ, ରଣଜିତ୍ ଦାଶ, ସୃତିରଞ୍ଜନ ପଟ୍ଟନାୟକ, ସଂଜୟ କୁମାର ପୃଷ୍ଟି ପ୍ରମୁଖ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।