ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ମାଟ୍ରିକ୍ ପରୀକ୍ଷାରେ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀମାନେ ୧୦୦% (ଶତପ୍ରତିଶତ) ରେଜଲ୍ଟ କରି ବାଜିମାତ କରିବା ସହିତ ସମସ୍ତ ଛାତ୍ରଛାତ୍ରୀ ୬୦% ରୁ ଉର୍ଦ୍ଧ୍ବ ନମ୍ବର ରଖି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ପୁଣି ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ଯାହା ବିଦ୍ଯାଳୟ ପାଇଁ ଗର୍ବ ଓ ଗୌରବର ବିଷୟ ।
ଏହି ଉପଲକ୍ଷେ ଆଜି ଅପରାହ୍ନ ୦୩ଟା ସମୟରେ ବିଦ୍ଯାଳୟ ପରିସରରେ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଏକ ଅଭିନନ୍ଦନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ହରିହର ପାତ୍ର ,ନୟାଗଡ ସ୍ବୟଂ ଶାସିତ ମହାବିଦ୍ୟାଳୟର ପ୍ରାଧ୍ୟାପକ ପ୍ରସନ୍ନ କୁମାର ବସନ୍ତିଆ , ସାମ୍ବାଦିକ ଧୀରେନ୍ଦ୍ର କୁମାର ପଟ୍ଟନାୟକ,ବିଦ୍ଯାଳୟର ଯୁଗ୍ମ ସଂପାଦକ ସନ୍ତୋଷ କୁମାର ନାୟକ ଓ ବିଦ୍ଯାଳୟର ଟ୍ରଷ୍ଟି ଗାୟତ୍ରୀ ମହାପାତ୍ର ଯୋଗଦେଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଗୋଟିଏ ଗୋଟିଏ ଗୋଲାପ ଫୁଲ ଦେଇ ମିଠା ଖୁଆଇ ଅଭିନନ୍ଦନ ଜଣାଇଥିଲେ। ଏ୧ ଓ ଏ୨ ଛାତ୍ରଛାତ୍ରୀ ମାନଙ୍କ ସହିତ ବି୧ ଓ ବି୨ ଗ୍ରେଡ୍ ଛାତ୍ରଛାତ୍ରୀ ମାନଙ୍କୁ ଏହି ଅଭିନନ୍ଦନ କାର୍ଯ୍ୟକ୍ରମ ରେ ସାମିଲ କରାଯାଇଥିଲା।
୩୧ ଜଣ ପରୀକ୍ଷାର୍ଥୀଙ୍କ ମଧ୍ଯରୁ ଏ-୧ରେ ୦୪ଜଣ, ଏ-୨ରେ ୦୯ ଜଣ, ବି-୧ରେ ୧୦ ଜଣ ଓ ବି-୨ରେ ୦୮ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।
ଏ-୧ ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇଥିବା ବୈଭଶ୍ରୀ ପ୍ରିୟଦର୍ଶିନୀ, ସମ୍ବିତ୍ କୁମାର ରାଉତ, ଅନୁରାଗ ମହାରଣା ଓ ଶିବାନନ୍ଦ ସାହୁ ବିଦ୍ଯାଳୟର ସମ୍ମାନକୁ ଅକ୍ଷୁର୍ଣ୍ଣ ରଖିବା ସହିତ ସମସ୍ତ ଛାତ୍ରଛାତ୍ରୀ ୬୦%ରୁ ଉର୍ଦ୍ଧ୍ବ ନମ୍ବର ରଖିଥିବାରୁ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଯୁକ୍ତ ସାହୁ ସେବାବ୍ରତୀ ଗୁରୁଜୀ ଗୁରୁମା ଓ ଅଭିଭାବକ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ପରିଶେଷରେ ବିଦ୍ଯାଳୟର ସେବାବ୍ରତୀ ଆଚାର୍ଯ୍ୟା ପ୍ରିୟମ୍ବଦା ମହାପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ।
