ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ ପୁରୀରୁ ନୟାଗଡ଼ ସ୍ୱତନ୍ତ୍ର ଟ୍ରେନ ରାତ୍ର ୮ଟାରେ ଛାଡ଼ିବା ପାଇଁ ଦାବି

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଭିନ୍ନ ଦାବି ନେଇ ନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଖୋର୍ଦ୍ଧାରୋଡ଼ ଡିଭିଜନାଲ ମ୍ୟାନେଜରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଷ୍ଟେସନ ମ୍ୟାନେଜର ସଞ୍ଜୟ ପ୍ରଧାନଙ୍କ ଜରିଆରେ ପ୍ରଦାନ କରାଯାଇଛି । ସୂଚନା ଯୋଗ୍ୟ ଯେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ ପୂର୍ବତଟ ରେଳ ପକ୍ଷରୁ ନୟାଗଡ଼ ପୁରୀ ମଧ୍ୟରେ ତିନୋଟି ସ୍ୱତନ୍ତ୍ର ଟ୍ରେନ ପ୍ରଚଳନ କରାଯାଉଛି । ଫଳରେ ନୟାଗଡ଼ ଜିଲ୍ଲାରୁ ହଜାର ହଜାର ଶ୍ରଦ୍ଧାଳୁ ରଥଯାତ୍ରା,ବାହୁଡ଼ା, ସୁନାବେଶ ଆଦି ପୁରୀ ଯାଇ ସୁବିଧାରେ ଦେଖି ପାରୁଛନ୍ତି। ତେବେ ଏହି ଟ୍ରେନ ଗୁଡ଼ିକ ସଂଧ୍ୟା ପୂର୍ବରୁ ନୟାଗଡ଼ ଫେରି ଆସୁଛି । ଅର୍ଥାତ ଶେଷ ଟ୍ରେନଟି ସଂଧ୍ୟା ୫ଟାରେ ପୁରୀରୁ ନୟାଗଡ଼ ଅଭିମୁଖେ ଯାତ୍ରା କରୁଛି । ଫଳରେ ଅଧିକାଂଶ ଦର୍ଶନାର୍ଥି ରଥଯାତ୍ରା କିମ୍ବା ମହାପ୍ରଭୁଙ୍କୁ ସଂପୂର୍ଣ୍ଣ ଦର୍ଶନ କରି ନପାରି ବାଧ୍ୟ ହୋଇ ଫେରୁଛନ୍ତି । ଏ ନେଇ ନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ପୁରୀରୁ ନୟାଗଡ଼ ଅଭିମୁଖେ ଶେଷ ଟ୍ରେନ ରାତ୍ର ୮ଟା ସମୟରେ ଛାଡ଼ିବାକୁ ଡିଆରଏମଙ୍କ ନିକଟରେ ଦାବି କରାଯାଇଛି । ଅନ୍ୟାନ୍ୟ ଦାବି ଗୁଡ଼ିକ ମଧ୍ୟରେ କେଉଁଝର ରୋଡ଼ରୁ ଖୋର୍ଦ୍ଧା ରୋଡ଼ ଆସୁଥିବା ପାସେଞ୍ଜର ଟ୍ରେନଟି ଖୋର୍ଦ୍ଧାରୋଡ଼ ଷ୍ଟେସନରେ ଦୀର୍ଘ ୪ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ପଡ଼ି ରହୁଛି । ତେଣୁ ଏହି ଟ୍ରେନକୁ ନୟାଗଡ଼ ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବା ପାଇଁ ଦାବି କରାଯାଇଛି । ସେହିପରି ନୂଆଗାଁ ରୋଡ଼ରୁ ପୁରୀ ଯାଉଥିବା ପାସେଞ୍ଜର ଟ୍ରେନର ଇଞ୍ଜିନ ଖୋର୍ଦ୍ଧା ରୋଡ଼ରେ ବଦଳୁ ଥିବାରୁ ଏଥି ଯୋଗୁଁ ଅଯଥାରେ ଦେଢ଼ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଅପଚୟ ହେଉଛି । ତେଣୁ ଏହି ଟ୍ରେନ ବଦଳାଇ ମେମୁ ଟ୍ରେନ ପ୍ରଚଳନ କରାଯିବା,ଭଦ୍ରକ-ନୟାଗଡ଼ ଏବଂ ଭୁବନେଶ୍ୱର-ନୂଆଗାଁ ଟ୍ରେନ ଭୁବନେଶ୍ୱରରୁ ମାତ୍ର ୧୦ ମିନିଟ ବ୍ୟବଧାନରେ ବାହାରୁଥିବା ବେଳେ ଏହି ବ୍ୟବଧାନକୁ ଅତି କମରେ ଏକ ଘଣ୍ଟା କରିବା,ନୟାଗଡ଼ରେ ରହୁଥିବା ଟ୍ରେନ ଗୁଡ଼ିକର ପରିଷ୍କାର ପରିଚ୍ଛନ୍ନ ନିୟମିତ କରାଯିବା ଏବଂ ନୟାଗଡ଼ ଭୁବନେଶ୍ୱର ଯିବା ଆସିବା କରୁଥିବା ମେମୁ ଟ୍ରେନର ଇଞ୍ଜିନ ବାରମ୍ବାର ଖରାପ ହେବା ସମସ୍ୟାର ସ୍ଥାୟୀ ପ୍ରତିକାର କରାଯିବା ଆଦି ଦାବି କରାଯାଇଛି । ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ସଭାପତି ପ୍ରମୋଦ ପଟ୍ଟନାୟକ,ସଂପାଦକ ଦୁଯ୍ୟୋଧନ ସାହୁ,ବରିଷ୍ଠ ନାଗରିକ ପୂର୍ଣ୍ଣଚନ୍ଦ୍ର ଶତପଥି,ଛାୟାକାନ୍ତ ରାଉତରାୟ,ନବୀନଚନ୍ଦ୍ର ସାହୁ ପ୍ରମୁଖ ଆଜି ପୁର୍ବାହ୍ନରେ ଡିଆରଏମଙ୍କ ଉଦ୍ଦେଶ୍ୟରେ ଷ୍ଟେସନ ମ୍ୟାନେଜରଙ୍କୁ ଏହି ଦାବିପତ୍ର ପ୍ରଦାନ କରିଥିଲେ ।

Related posts