ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଉଦୟପୁର ପଞ୍ଚାୟତ ଅଧୀନରେ ଥିବା ନୂଆଗାଁ ଠାରୁ ନଇ ତଇଲା ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରେ ୭.୯୦ କିମି ରାସ୍ତା ନିର୍ମାଣ ପାଇଁ ୭କୋଟି ୪୮ଲକ୍ଷ ୨୭ହଜାର ଟଙ୍କା ମଞ୍ଜୁର ହୋଇଛି । ଏକ ବର୍ଷ ସମୟ ସୀମା ମଧ୍ୟରେ ସଂପୂର୍ଣ୍ଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି ।କାର୍ଯ୍ୟ କିଭଳି ଚାଲିଛି ଏ ନେଇ ପରିଦର୍ଶନରେ ଆସିଥିଲେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଉପଦେଷ୍ଟା ସବିତା ମହାପାତ୍ର। ରାସ୍ତା ନିର୍ମାଣ ସମ୍ପର୍କରେ ଲୋକମାନଙ୍କ ସହ ଆଲୋଚନା କରିବା ସହିତ ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ। ସେହିପରି କୋରଡ଼ା ଠାରୁ ରଗଡ଼ି ମଡା ଭାୟା ମିନା ଗାଡିଆ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଚାଲିଥିବା ୫କିମି ରାସ୍ତା ନିର୍ମାଣ କିପରି ଚାଲିଛି ଦେଖିବା ସହ ରାସ୍ତା ନିର୍ମାଣ ସମ୍ପର୍କରେ ରଗଡ଼ି ମଡା ଲୋକମାନଙ୍କୁ ପଚାରି ବୁଝିଥିଲେ ଉପଦେଷ୍ଟା ସବିତା ମହାପାତ୍ର।
ଗ୍ରାମକୁ ପୂର୍ବରୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ସେବା ସହିତ, ପିଲାମାନଙ୍କ ପାଠ ପଢା ଏବଂ ଗମନା ଗମନ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକମାନେ କହିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଯୋଗୁଁ ଗମନା ଗମନ ସମସ୍ୟା ଦୂରୀଭୂତ ହେବା ସହ ନୂତନ ସୂର୍ଯ୍ୟୋଦୟ ସହ ପର୍ବତ ଶିଖରରେ ଫୁଟିଲା କଇଁ ବୋଲି ଗ୍ରାମବାସୀ କହିଥିଲେ।
ଦୀର୍ଘବର୍ଷର ଗମନା ଗମନ ସମସ୍ୟା ଦୂରୀଭୂତ ହୋଇଥିବାରୁ ଉଦୟପୁର ଏବଂ କୋରଡ଼ା ପଞ୍ଚାୟତର ଜନସାଧାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ କୃତଜ୍ଞତା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଉପଦେଷ୍ଟା ସବିତା ମହାପାତ୍ର ରାସ୍ତା ନିର୍ମାଣ କାର୍ଯ୍ୟ ପରିଦର୍ଶନ ଏବଂ ଲୋକମାନଙ୍କ ସହ ଆଲୋଚନା କରିବା ସମୟରେ ବିଭାଗୀୟ ଏସଡିଓ ସସ୍ମିତା ମୁଣ୍ଡୁରି, ନୂଆଗାଁ ବ୍ଲକ୍ ଆରଡି ବିଭାଗର କନିଷ୍ଠ ଯନ୍ତ୍ରୀ ଶ୍ରୀକାନ୍ତ କୁମାର ସାହୁ ଏବଂ ହିତାଞ୍ଜଳି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।