ନୟାଗଡ଼,(ନୟାଗଡ଼ ଦର୍ପଣ): ମଇ ମାସର ପ୍ରଥମ ରବିବାରକୁ ବିଶ୍ୱ ହାସ୍ୟ ଦିବସ ରୂପେ ପାଳନ କରାଯାଏ। ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁ ବିଶ୍ବ ହାସ୍ୟ ଦିବସ ବେଶ ଧୁମଧାମରେ ପାଳିତ ହୋଇଯାଇଛି । ନୟାଗଡ଼ ପୁରୁଣାସହର ଜଗନ୍ନାଥ ମନ୍ଦିର ସାମନା ଯଦୁମଣି ମଣ୍ଡପଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।
ଅନୁଷ୍ଠାନର ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଚଳଚ୍ଚିତ୍ର ଏବଂ ଦୂରଦର୍ଶନ ହାସ୍ୟ ଅଭିନେତା ବ୍ରଜ ସିଂ, ନିଉଜ ଫିଉଜର ସଂଚାଳକ ତଥା ହାସ୍ୟାଭିନେତା ହୃଷିକେଶ ଦାସ, ଜ୍ଞାନ ହୋତା, ବୋଲଗଡ଼ ଏକ୍ସପ୍ରେସ ବ୍ରଜ ସୁବୁଦ୍ଧି, ଡ଼ଃ. କୁଳାଙ୍ଗାର, ଶ୍ରୀଯୁକ୍ତ ସତ୍ୟାନାଶ, ଡ. ରମାକାନ୍ତ ମହାପାତ୍ର, ରବୀନ୍ଦ୍ର ରାଉତ, ମିଷ୍ଟର କାଳିଆଙ୍କ ସମେତ ବହୁ ବ୍ୟଙ୍ଗ କବି ଯୋଗ ଦେଇଥିଲେ ।
ବ୍ୟଙ୍ଗ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚଳିତ ବର୍ଷ ‘ଉତ୍କଳ ଘଣ୍ଟ ହାସ୍ୟ ରସିକ ଉପାୟନ-୨୦୨୩’ ଶ୍ରୀଯୁକ୍ତ ସତ୍ୟାନାଶଙ୍କୁ ପ୍ରଦାନ ସହିତ ନଗଦ ୨୧ହଜାର ଟଙ୍କା ପୁରସ୍କାର ରାଶି, ଉପଢୌକନ ଏବଂ ମାନପତ୍ର ଦେଇ ମୁଖ୍ୟଅତିଥି ସମ୍ବର୍ଦ୍ଧିତ କରିଥିଲେ । ଅନୁରୂପ ଭାବେ ଅନ୍ୟ ହାସ୍ୟ କଳାକାରମାନଙ୍କୁ ମଧ୍ୟ ଉପଢୌକନ ଏବଂ ମାନପତ୍ର ପ୍ରଦାନ ସହିତ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ଅନୁଷ୍ଠାନର ସମ୍ପାଦକ ନିର୍ମଳ ଶୁରଦେଓ ଅତିଥି ପରିଚୟ ଏବଂ ଧନ୍ୟବାଦ ଅର୍ପଣ କରିଥିବା ବେଳେ କଣ୍ଠଶିଳ୍ପୀ ପ୍ରଶାନ୍ତ ଦାଶ ପ୍ରାରମ୍ଭିକ ଭଜନ ପ୍ରରିବେଷଣ ଏବଂ କବି ଅଶୋକ ମଲ୍ଲ ମାନପତ୍ର ପଠନ କରିଥିଲେ।
ହସିବା ଦ୍ଵାରା ଦେହ ଓ ମନ ସୁସ୍ଥ ରହେ। ପ୍ରତ୍ୟେକ ମନୁଷ୍ୟ ନିଜେ ହସିବା ସହିତ ଅନ୍ୟମାନଙ୍କୁ ହସେଇବା ଆବଶ୍ୟକ। ନୟାଗଡ଼ ମାଟି ବ୍ୟଙ୍ଗ ସାହିତ୍ୟର ମାଟି ଏବଂ ଏଠାରେ ବ୍ୟଙ୍ଗକବି ତଥା ଉତ୍କଳଘଣ୍ଟ ଯଦୁମଣି ସମଗ୍ର ରାଜ୍ୟ ତଥା ଦେଶରେ ପ୍ରସିଦ୍ଧି ଲାଭ କରିଥିବା ବେଳେ ତାଙ୍କର କୃତି ନୟାଗଡ଼ ପାଇଁ ଗୌରବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମ ଅବସରରେ ବ୍ୟଙ୍ଗ କବି ଓ ହାସ୍ୟ ଅଭିନେତାମାନେ ଦର୍ଶକଙ୍କୁ ବିଭିନ୍ନ ବ୍ୟଙ୍ଗ ଓ ଅଭିନୟ ଦ୍ବାରା ବିମୋହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବୁଦ୍ଧିଜୀବୀ, ସାହିତ୍ୟିକ, ସାମ୍ବାଦିକ ଏବଂ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି କାର୍ଯ୍ୟକ୍ରମର ଭରପୁର ମଜା ଉଠାଇଥିଲେ।