ଓଡ଼ଗାଁରେ କାଜୁମାଫିଆଙ୍କ ସହ ଆଦିବାସୀଙ୍କ ଲଢ଼େଇ ପାଇଁ ସଜବାଜ, ଦାୟୀ ରହିବ ଜିଲ୍ଲା ପ୍ରଶାସନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡିଶା ବନ ଉନ୍ନୟନ ନିଗମର ଚଞ୍ଚକତା ସାଧାରଣ ଆଦିବାସୀ ପ୍ରଜାମାନଙ୍କର ସ୍ୱାର୍ଥକୁ ଭୁଲୁଣ୍ଠିତ କରି ଚୋରା ବେପାରୀ, ମାଫିଆ ଗୁଣ୍ଡାମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଯୋଗାଇ ଦେଉଛି ବୋଲି ସିପିଆଇ(ଏମ) ନେତା ବିଶ୍ଵନାଥ ମହାପାତ୍ର ଅଭିଯୋଗ କରିଛନ୍ତି। ଆଜି ଆଦିବାସୀ ପ୍ରତିନିଧିମାନଙ୍କ ସହିତ କୃଷକ ସଭା ପ୍ରତିନିଧିମାନେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଆଲୋଚନା କରି ଦାବି କରିଥିଲେ ଯେ, ଆଦିବାସୀଙ୍କ ପାରମ୍ପରିକ ଅଧିକାର ଉପରେ ଆଘାତକରି ଚୋରାଲୁଚାରେ ବନ ନିଗମ ଯେଉଁ ବେଆଇନ ତିନି ବର୍ଷିଆ ନିଲାମ କରିଛି ତାହା ତୁରନ୍ତ ବାତିଲ କରାଯାଉ ଏବଂ ଅଧିକାର ସାବ୍ୟସ୍ତକୁ ନେଇ ଯଦି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୁଏ ତେବେ ପ୍ରଶାସନ ଏଥିପାଇଁ ଦାୟୀ ରହିବେ। ସବୁଠୁ ଆଶ୍ଚର୍ଯ୍ୟର କଥା ଏହି ବୈଠକରେ ଯୋଗଦେଇଥିବା ବନ ନିଗମର ଅଧିକାରୀ ପ୍ରକାଶ କରିଥିଲେ ଯେ, ଦୀର୍ଘ ୧୨ ବର୍ଷ ଧରି କୌଣସି ନିଲାମ ହେଉନଥିବା କାଜୁ ପଦର ୧୧୦ ହେକ୍ଟର ଜମିକୁ ଗଞ୍ଜାମ ଜିଲ୍ଲାର ନିଲାମଧାରୀକୁ ମାତ୍ର ୧୦ହଜାର ଟଙ୍କାର ୩ବର୍ଷ ପାଇଁ ପ୍ରଦାନ କରାଯାଇଛି। ଏହି କାରବାରରେ କେତେ ପରିମାଣର ଭିତିରି କାରବାର ହୋଇଛି ତାହା ସ୍ପଷ୍ଟ ବାରି ହୋଇପଡ଼ୁଛି। ମାତ୍ର ୧୦ହଜାର ଟଙ୍କାର ରାଜସ୍ୱ ପାଇଁ ହଜାର ହଜାର ଆଦିବାସୀ ପ୍ରଜାଙ୍କ ପାରମ୍ପରିକ ଦଖଲ ଉପରେ ଆଘାତ କରି ସେମାନଙ୍କ ଅର୍ଥନୈତିକ ସ୍ଥିତିକୁ ଦୁର୍ବଳ କରିବା ଏବଂ ଆଇନଶୃଙ୍ଖଳା ପରିସ୍ଥିତିକୁ ନିମନ୍ତ୍ରଣ କରି ଅଶାନ୍ତିର ବାତାବରଣ ସୃଷ୍ଟି କରିବା କେତେଦୂର ସମୀଚୀନ ତାହା ଜିଲ୍ଲାପାଳଙ୍କୁ ପ୍ରଶ୍ନ କରିଥିଲେ ପ୍ରତିନିଧିମାନେ। ଉପଯୁକ୍ତ ନ୍ୟାୟସଂଗତ ପଦକ୍ଷେପ ନେବାପାଇଁ ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ। ପ୍ରତିନିଧି ଦଳରେ କୃଷକ ଓ ଶ୍ରମିକ ନେତା ବିଶ୍ଵନାଥ ମହାପାତ୍ର, ପବିତ୍ର ଇନ୍ଦ୍ରଜିତ, ଗୋଳକବିହାରୀ ମୁଦୁଲି, ଭଗବାନ ପ୍ରଧାନ, ଜଗବନ୍ଧୁ ଯାନୀ ପ୍ରମୁଖ ଯୋଗ ଦେଇଥିଲେ।

Related posts