କାଜୁପଦା ପାଇଁ ତୀବ୍ରତର ହେଉଛି ଆଦିବାସୀ ମେଳି

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ ବାଣ୍ଠପୁର ଗ୍ରାମପଂଚାୟତରେ ଅବସ୍ଥିତ ଶାଳିଆଝରୀ ଗ୍ରାମର ଆଦିବାସୀ ପ୍ରଜାମାନେ ଭୋଗଦଖଲ କରିଆସୁଥିବା କାଜୁପଦାକୁ ପ୍ରଜାମାନଙ୍କ ଅଗୋଚରରେ କାଜୁ କର୍ପୋରେସନ୍ ବାହାର ଜିଲ୍ଲାର ନିଲାମଦାରଙ୍କୁ ପ୍ରବେଶ କରାଇ ଯେଭଳି ଜଟିଳ ପରିସ୍ଥିତି ସୃଷ୍ଟି କରାଉଛନ୍ତି। ତାହା ଅତ୍ୟନ୍ତ ଉଦ୍‌ବେଗଜନକ କଥା ଏବଂ ଆଦିବାସୀ ପ୍ରଜାଙ୍କୁ ସେମାନଙ୍କର ଅଧିକାରରୁ ବଂଚିତ କଲେ ତାହାର ପ୍ରତିବାଦ ତୀବ୍ରତର ହେବ ବୋଲି ଓଡ଼ିଶା କୃଷକ ସଭାର ନେତା ବିଶ୍ଵନାଥ ମହାପାତ୍ର, ଗୋଲକ ବିହାରି ମୁଦୁଲି ଓ ପବିତ୍ର ଇନ୍ଦ୍ରଜିତ୍ ଚେତାବନୀ ଦେଇଛନ୍ତି । ଉକ୍ତ ଗ୍ରାମଟି ବୁଢ଼ାବୁଢ଼ିଆଣୀର ବିସ୍ଥାପିତ ଥଇଥାନ ଗ୍ରାମ ଏବଂ ଷାଠିଏ ବର୍ଷ ହେଲା ଏହି ଗରିବ ଆଦିବାସୀମାନେ ଆଖପାଖରେ ଫସଲଫନ୍ଦା କରି ଚଳିଆସୁଛନ୍ତି । କାଜୁ କର୍ପୋରେସନ ଏଠାରେ କାଜୁଚାରା ରୋପଣ କଲାପରେ ଏହି ପ୍ରଜାମାନେ ଫଳଭୋଗୀ ହେବେ ବୋଲି ଆଶ୍ୱାସନା ଦେଇ ପ୍ରଜାଙ୍କୁ ତାଙ୍କର ପାରମ୍ପରିକ ଫନ୍ଦାଫସଲରୁ ଉଚ୍ଛେଦ କଲେ ଓ ବିଶ୍ୱାସର ବଶବର୍ତୀ ହୋଇ ଗାଁ ମୁଣ୍ଡର ଏହି କାଜୁ ପଦାକୁ ଆଦିବାସୀମାନେ ଜଗାରଖା କରି ଫଳନ୍ତି ଗଛରେ ପରିଣତ କଲେ । ଦୀର୍ଘକାଳ ହେବ ଲୋକେ ଏହି ଫଳକୁ ଭୋଗ ଦଖଲ କରି ଗୁଜୁରାଣ ମଂଟାଉଥିଲେ । କିନ୍ତୁ ପରିତାପର ବିଷୟ, ଚଳିତ ବର୍ଷ କିଛି ବାହାର ଜିଲ୍ଲାର ନିଲାମଦାର ଏହି ଅଂଚଳକୁ ଆସି ଆଦିବାସୀମାନଙ୍କୁ ଧମକଚମକ ଦେଇ ମାରିଦେବାର ଭୟ ଦେଖାଇ ଜାଗା ଛାଡ଼ି ଯିବା ପାଇଁ ନାଲିଆଖୁ ଦେଖାଇଛନ୍ତି । ପ୍ରଜାମାନେ ଏକାଠି ହୋଇ ଏହାର ପ୍ରତିବାଦ ନିମନ୍ତେ ସଂକଳ୍ପ କରି କାଜୁବଗିଚା ଉପରେ ଗ୍ରାମବାସୀଙ୍କ ଅଧିକାର ନିମନ୍ତେ କୃଷକସଭାର ନେତୃମଣ୍ଡଳିଙ୍କ ସହିତ ନୟାଗଡ଼ ଜିଲ୍ଲାପାଳ, ଉପ-ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ପୂର୍ବକ ଗ୍ରାମପ୍ରତିନିଧିମାନେ ଆଲୋଚନା କରିଛନ୍ତି ଓ ବୃହତର ଆଦିବାସୀ ଏକତା ନିମନ୍ତେ ଖୁବ୍ ଶୀଘ୍ର କେନ୍ଦ୍ରୀୟ ଆଂଚଳିକ ସଭାର ଆହ୍ଵାନ ଦେଇଛନ୍ତି । ପ୍ରଶାସନ ଏହା ଉପରେ ଯଥାଯୋଗ୍ୟ ପଦକ୍ଷେପ ନେବ ବୋଲି ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ରନାଥ ସାହୁ ଆଲୋଚନା ବେଳେ ପ୍ରକାଶ କରିଛନ୍ତି।

Related posts