ମଂଚାୟନ ତରଫରୁ ବିଶ୍ୱ ନାଟ୍ୟ ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନାଟକର ସହଯାତ ପ୍ରବୃତ୍ତି ହେଉଛି ପ୍ରକୃତ ମାନବିକ ଗୁଣ ଉପରେ ଆଧାରିତ ମାନବିକ ଆଚରଣ ଯାହା ହିଁ ଜୀବନ। ଚାଲନ୍ତୁ ଆମେ ମିଶି ଗୋଟିଏ ମାନବ ସମାଜ ଗଢ଼ିବା। ବିଖ୍ୟାତ ପଥପ୍ରଦର୍ଶକ କନଷ୍ଟାଟିନ୍ ଷ୍ଟାନିସଲାଭସ୍କିଙ୍କ ଭାଷାରେ – କାଦୁଅ ଲଗା ପାଦରେ ନାଟକ ପ୍ରେକ୍ଷାଳୟକୁ କେବେ ମଧ୍ୟ ଆସନାହିଁ,ଧୂଳି ମଇଳାକୁ ବାହାରେ ଛାଡିଦେଇ ଆସ। ବିଶ୍ବ ନାଟ୍ୟ ଦିବସ ଅବସରରେ ଇଜିପ୍ଟର ଅଭିନେତ୍ରୀ ସମୀହା ଆୟୁବଙ୍କର ବାର୍ତ୍ତାମଧ୍ୟରୁ ଏହା କିୟଦଂଶ। ଆଜି ନୟାଗଡର ପ୍ରମୁଖ ନାଟ୍ୟ ଅନୁଷ୍ଠାନ ମଞ୍ଚାୟନ ତରଫରୁ ସ୍ଥାନୀୟ ନ୍ୟୁ ଜନତା କଂପ୍ଳେକ୍ସ ପରିସରରେ ସୁରେନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ୱ ଏବଂ କାମାକ୍ଷା ପ୍ରସାଦ ଦାଶଙ୍କ ସଂଯୋଜନାରେ ପାଳିତ ହୋଇଯାଇଛି ବିଶ୍ବ ନାଟ୍ୟ ଦିବସ। ଏହି କାର୍ଯ୍ୟକ୍ରମରେ ନୟାଗଡର ସଂସ୍କୃତି ପୁରୁଷ ପ୍ରଦୀପ୍ତ କୁମାର ପଟ୍ଟନାୟକ, ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଭଗବତୀ ଚରଣ ପଟ୍ଟନାୟକ, ବରିଷ୍ଠ ନାଟ୍ୟକାର, କଥାଶିଳ୍ପୀ ବିଶ୍ବନାଥ ମହାପାତ୍ର, ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଅଶୋକ କୁମାର ନାୟକ, ସୁସାହିତ୍ୟିକା ବସିରନ୍ ବିବି ଅତିଥି ଭାବେ ଯୋଗଦେଇ ନାଟକର ବର୍ତ୍ତମାନ ଓ ଭବିଷ୍ୟତ ଏବଂ ନୟାଗଡ଼ ନାଟକ ଶୀର୍ଷକରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରୁ ମଞ୍ଚାୟନର ସଂପାଦକ ନାଟ୍ୟକାର, ନିର୍ଦ୍ଦେଶକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସ୍ୱାଗତ ଭାଷଣ ଦେବାସହ ମଂଚାୟନର ଆଭିମୁଖ୍ୟ ଏବଂ ବିଶ୍ବ ନାଟ୍ୟ ଦିବସ ପାଳନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ନୟାଗଡର ସମୃଦ୍ଧ ନାଟ୍ୟ ପରମ୍ପରାର ସାକ୍ଷୀ ଅନେକ ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ, ସଂଗୀତଜ୍ଞ, ଅଭିନେତାଙ୍କ ସହ ବର୍ତ୍ତମାନ ସମୟରେ ପ୍ରସିଦ୍ଧି ଲାଭ କରିଥିବା ଯୁବ ନାଟ୍ୟକର୍ମୀ ଗୋକୁଳ ଚନ୍ଦ୍ର ଷଡ଼ଙ୍ଗୀ, ଆଶୁତୋଷ ମିଶ୍ର, ଦିଲ୍ଲିପ ସାହୁ, ଆଶୁତୋଷ ଦାସ, ରଶ୍ମି ରଂଜନ ଜେନା,କୈଳାଶ ଚନ୍ଦ୍ର ଓଝା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପ୍ରତିବର୍ଷ ବିଶ୍ବ ନାଟ୍ୟ ଦିବସରେ ବିଶ୍ୱର ଜଣେ ପ୍ରଖ୍ୟାତ ନାଟ୍ୟକର୍ମୀଙ୍କ ବାର୍ତ୍ତା ବିଶ୍ବର ବିଭିନ୍ନ ଭାଷାରେ ପାଠ କରାଯାଉଥିବା ବେଳ ଚଳିତ ବର୍ଷ ଇଜିପ୍ଟର ଅଭିନେତ୍ରୀ ସମୀହା ଆୟୁବଙ୍କର ବାର୍ତ୍ତା ଓଡ଼ିଆ ଭାଷାରେ ପାଠ କରିଥିଲେ କବି ଗୋପୀନାଥ ସେଠୀ ଏବଂ ଧନ୍ୟବାଦ ପ୍ରଦାନ କରିଥିଲେ ପ୍ରଶାନ୍ତ ସାମନ୍ତରାୟ।

Related posts