ମହିଳା ଦିବସରେ ଭୃଣହତ୍ୟା ଏବଂ ବାଲ୍ୟବିବାହ ରୋକାଯିବା ଉପରେ ଗୁରୁତ୍ବ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ସ୍ତରୀୟ ମହିଳା ଦିବସ ଜିଲ୍ଲାପାଳ ରବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ୧୯୧୪ ମସିହାରେ ଇଂଲଣ୍ଡର ମହିଳାମାନେ ଭୋଟ ଦେବାର ଅଧିକାର ପାଇଁ ମହିଳା ସମାବେଶ କରିଥିଲେ ବୋଲି ଜିଲ୍ଲାପାଳ ଶ୍ରୀ ସାହୁ କହିଥିଲେ । ନୟାଗଡ଼ ଜିଲ୍ଲାରେ ଭୃଣହତ୍ୟା ଏବଂ ବାଲ୍ୟବିବାହ ରୋକାଯିବା ଉପରେ ଗୁରୁତ୍ବ ଆରୋପ କରିଥିଲେ । ଏହା ସହିତ ଜିଲ୍ଲାପାଳ ଅଙ୍ଗନବାଡ଼ି କର୍ମୀମାନେ ତୃଣମୂଳ ସ୍ତରରେ ଏହାକୁ କିଛି ମାତ୍ରାରେ ରୋକିବାରେ ସଫଳ ହୋଇଥିବାରୁ ସେମାନଙ୍କୁ ସାଧୁବାଦ ଜଣାଇଥିଲେ । ଜିଲ୍ଲା ପରିଷଦର ସଭାପତି ଇଂ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମାଜରେ ନାରୀ ଜାଗରଣ ଉପରେ ବାଖ୍ୟା କରି କହିଥିଲେ ଯେ, ସମୟାନୁକ୍ରମେ ମହିଳାମାନେ ସଚେତନ ହେଲେଣି ।

ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ବାଲ୍ୟ ବିବାହ ରୋକିବା ନିମନ୍ତେ ନୟାଗଡ଼ ଜିଲ୍ଲାର ଅନନ୍ୟ ପ୍ରୟାସ ଅଲିଭା ରେଜିଷ୍ଟର ସାରା ରାଜ୍ୟରେ ଅତ୍ୟନ୍ତ ସ୍ପୃହଣିୟ ହୋଇପାରିଛି । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଆର୍ନ୍ତଜାତୀୟ ମହିଳା ଦିବସ ପାଳନ ଓ ତାତ୍ପର୍ଯ୍ୟ ଉପରେ କହିଥିଲେ ଯେ, ପୂରାଣ ଯୁଗରେ ସୀତା, ଦ୍ରୌପଦୀ ଆଦିଙ୍କୁ ପୁରୁଷ ସମାଜ ସର୍ବସମ୍ମୁଖରେ ଅପମାନିତ କରିଥିଲା । ସେହିପରି ଏ ଯୁଗରେ ଲିଳାବତୀଙ୍କ ପରି ବିଦୁଷୀ ମହିଳାଙ୍କର ଜ୍ଞାନ ଗାରିମାରେ ଅତିଷ୍ଠ ହୋଇ ପୁରୁଷ ପ୍ରାଧାନ୍ୟ ସମାଜ ତାଙ୍କର ଜିହ୍ଵା ଛେଦନ କରିଥିଲା । ନାରୀମାନଙ୍କୁ ପୁରୁଷମାନଙ୍କ ସହିତ ସାମାଜିକ, ଅର୍ଥନୈତିକ, ରାଜନୈତିକ ଏବଂ ସାଂସ୍କୃତିକ ଆଦି କ୍ଷେତ୍ରରେ ସମକକ୍ଷ କରିବା ପାଇଁ ମହିଳାମାନଙ୍କୁ ସଚେତନ କରିବା ନିମନ୍ତେ ମହିଳା ଦିବସ ପାଳନର ଆବଶ୍ୟକ ହେଲା l

ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ସମାଜ ବିଜ୍ଞାନ ଅଧ୍ୟାପିକାପ୍ରିୟମ୍ବଦା ଦାଶ କହିଲେ ଯେ, ସମାଜରେ ଲିଙ୍ଗଗତ ଅସମାନତା ରହିଲେ କିପରି ବିଷମ ପରିସ୍ଥିତି ସୃଷ୍ଟି ହୁଏ ସେ ବିଷୟରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ନୟାଗଡ଼ କଳା ପରିଷଦର ସଂପାଦିକା ସୁଶ୍ରୀ ପ୍ରଭାସିନୀ ନନ୍ଦ ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କର ଯୋଗଦାନ ଉପରେ ବାଖ୍ୟା କରିଥିଲେ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖାଇଥିବା ଅଙ୍ଗନବାଡ଼ି କର୍ମୀ, ସିଡିପିଓ ଓ କିଶୋରୀ ବାଳିକାମାନଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଉକ୍ତ ସଭାରେ ଉକ୍ତ ସଭାରେ ଜିଲ୍ଲାର ସମସ୍ତ ସିଡିପିଓ, ସୁପରଭାଇଜର,ଅଙ୍ଗନବାଡ଼ି କର୍ମୀ, କିଶୋରୀ ବାଳିକା ଯୋଗଗଦାନ କରିଥିଲେ ।ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମମତା ପାତ୍ର ସଭା ପରିଚାଳନା କରିଥିଲେ । ସର୍ବଶେଷରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ ସହ ସଭା ସାଙ୍ଗ କରାଯାଇଥିଲା ।

Related posts