
ଶ୍ରୀରାମକୃଷ୍ଣ-ବିବେକାନନ୍ଦ ଆଶ୍ରମ ତରଫରୁ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଖଣ୍ଡପଡ଼ାରୋଡସ୍ଥିତ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ସ୍ବାମୀ ବିବେକାନନ୍ଦଙ୍କ ୧୬୧ ତମ ଜୟନ୍ତୀ ଶ୍ରୀରାମକୃଷ୍ଣ ବିବେକାନନ୍ଦ ଆଶ୍ରମର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ନେତୃତ୍ବରେ ମହାସମାରୋହରେ ପାଳିତ ହୋଇ ଯାଇଛି। ସକାଳ ୦୯ଟା ସମୟରେ ଆୟୋଜିତ ବିଶାଳ ଶୋଭାଯାତ୍ରାକୁ ନୟାଗଡ଼ ପୌରପରିଷଦ ପୌରାଧ୍ୟକ୍ଷା ନିରୁପମା ଖଟେଇ ଓ ତିରୁପତି ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟର ପ୍ରଫେସର ସତ୍ଯ ନାରାୟଣ ଆଚାର୍ଯ୍ୟ ପତାକା ଦେଖାଇ ଉଦଘାଟନ କରିଥିଲେ। ଶୋଭାଯାତ୍ରାରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ସ୍ବାମୀ ବିବେକାନନ୍ଦ ଲୋକ ସଂସଦ ନୟାଗଡ଼ ଜିଲ୍ଲା ଶାଖା,ଭାରତ ବିକାଶ ପରିଷଦ, ସତ୍ଯସାଇ ସେବା ସଂଗଠନ, ପୂଜ୍ଯପୂଜା କମିଟି, ସଂସ୍କୃତ ବିକାସ ପରିଷଦ, ବୈଦିକ ସଂସ୍କୃତି ପ୍ରତିଷ୍ଠାନ, ରୋଟାରୀ କ୍ଲବ, ତଥାସ୍ତୁ, ଉତ୍କଳ ସମ୍ମିଳନୀ ନୟାଗଡ଼ ଜିଲ୍ଲା ଶାଖା,ପରମ୍ପରା ସାହିତ୍ୟ ଅନୁଷ୍ଠାନ,ଜିଲ୍ଲା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ, ସୋହମ, ବରିଷ୍ଠ ନାଗରିକ ମଞ୍ଚ ଓ ସିଭିଲ୍ ସୋସାଇଟି ଆଦି ଅନେକ ସାମାଜିକ ଅନୁଷ୍ଠାନ ଯୋଗଦେଇଥିଲେ। ସକାଳ ୧୦ଟାରେ ଆୟୋଜିତ ରକ୍ତ ଦାନ ଶିବିରକୁ ପୌରପରିଷଦ ଅଧ୍ଯକ୍ଷା ଓ ବରିଷ୍ଠ ନାଗରିକ ମଞ୍ଚର ସଭାପତି ଅମୁଲ୍ଯ କୁମାର ମହାନ୍ତି ରିବନ କାଟି ଉଦଘାଟନ କରିଥିଲେ।

ଅପରାହ୍ନ ୦୨ଟା ରେ ସ୍ବାମୀ ବିବେକାନନ୍ଦ ଲୋକ ସଂସଦ,ନୟାଗଡ଼ର ସଭାପତି ପ୍ରଫେସର ରାମଚନ୍ଦ୍ର ମିଶ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ଅଙ୍ଗଦାନ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ,ବିଶିଷ୍ଟ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ, ମୁଖ୍ଯ ବକ୍ତା ଭାବେ ରୋଟାରୀ ୩୨୬୨ ଜିଲ୍ଲାର ଅଙ୍ଗଦାନ କାର୍ଯ୍ୟକ୍ରମ ର ଅଧ୍ଯକ୍ଷ ରୋଟାରୀଆନ ବିକ୍ରମାଦିତ୍ୟ ନାୟକ ଓ ସମ୍ମାନିତ ଅତିଥି ଭାବେ ପୌରପରିଷଦ ଅଧ୍ଯକ୍ଷା ନିରୁପମା ଖଟେଇ ଯୋଗଦେଇ ଥିଲେ। ସ୍ବାମୀ ବିବେକାନନ୍ଦ ଥିଲେ ଭାରତବର୍ଷର ପ୍ରାଣ ଏବଂ ତାଙ୍କ ଆଦର୍ଶ ଜୀବନୀ ସମସ୍ତ ଯୁବ ସମାଜ ପାଇଁ ପ୍ରେରଣାର ଉତ୍ସ ବୋଲି ମଞ୍ଚାସୀନ ଅତିଥି ମାନେ ବକ୍ତବ୍ଯ ରଖିଥିଲେ। ରକ୍ତଦାନ ସହିତ ଅଙ୍ଗଦାନ ଭଳି ମହତ କାର୍ଯ୍ଯକୁ ଶ୍ରୀରାମକୃଷ୍ଣ ବିବେକାନନ୍ଦ ଆଶ୍ରମ ହାତକୁ ନେଇଥିବାରୁ ମୁଖ୍ଯ ଅତିଥି ଅନୁଷ୍ଠାନକୁ ଧନ୍ଯବାଦ ପ୍ରଦାନ କରିଥିଲେ। ମୁଖ୍ଯବକ୍ତା ଶ୍ରୀଯୁକ୍ତ ନାୟକ ଅଙ୍ଗଦାନ କାହିଁକି ଓ କିପରି କରାଯିବ ସେ ବିଷୟରେ ବିସ୍ତୁତ ଭାବେ ଆଲୋଚନା କରିଥିଲେ। ଆୟୋଜିତ ରକ୍ତଦାନ ଶିବିରରେ ମୋଟ ୨୭ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ବେଳେ ଅଙ୍ଗଦାନ କାର୍ଯ୍ୟକ୍ରମରେ ୨୦ ଜଣ ଅଙ୍ଗଦାନ ଓ ୦୫ ଜଣ ଶରୀର ଦାନ କରିବା ପାଇଁ ଶପଥ ପାଠ କରିଥିଲେ। କାର୍ଯ୍ୟକ୍ରମର ଆୟୋଜକ ସମାଜସେବୀ ଶ୍ରୀଧର ସାହୁ, ଦାମୋଦର ସାହୁ, ପ୍ରିୟମ୍ବଦା ମହାପାତ୍ର,ଅଜୟ କୁମାର ମହାପାତ୍ର ଓ ଲକ୍ଷ୍ମୀନାରାୟଣ ରଥ ଶରୀରଦାନ କରିବା ପାଇଁ ଶପଥ ପାଠ କରିଥିବାରୁ ନୟାଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ସାହୁ ଗୋଲାପ ଫୁଲ ଦେଇ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।ସ୍ବାମୀ ବିବେକାନନ୍ଦ ଲୋକ ସଂସଦ ନୟାଗଡ଼ ତରଫରୁ ଆୟୋଜିତ ରାଜ୍ଯ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହିତ ଇଂ.ସରୋଜକାନ୍ତ ପାତ୍ରଙ୍କ ବଦାନ୍ଯତାରେ ଗରୀବ ବୃଦ୍ଧବୃଦ୍ଧା ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା। ବିଦ୍ଯାଳୟର ଗୁରୁଜୀ ଗୁରୁମା, ଅଭିଭାବକ ଓ ଶୁଭେଛୁ ଭଦ୍ର ବ୍ଯକ୍ତି ମାନେ ରକ୍ତ ଦାନ କରିବା ସହିତ ୧୨ଟି ସାମାଜିକ ଅନୁଷ୍ଠାନ ର କାର୍ଯ୍ଯକର୍ତ୍ତା ମାନେ ଅଙ୍ଗଦାନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ବିଦ୍ଯାଳୟର ସମସ୍ତ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲା ବେଳେ ନୟାଗଡ଼ ବ୍ଳଡ୍ ବ୍ଯାଙ୍କର କର୍ମଚାରୀମାନେ ରକ୍ତ ଦାନ ଶିବିରକୁ ସଂଚାଳନ କରିଥିଲେ। ପରିଶେଷରେ ବିଦ୍ଯାଳୟର ଯୁଗ୍ମ ସଂପାଦକ ସନ୍ତୋଷ କୁମାର ନାୟକ ଧନ୍ଯବାଦ ଅର୍ପଣ କରିଥିଲେ।।
