ନବଘନପୁର ସରପଞ୍ଚ ପଦ ହରାଇଲେ କବିରାଜ, ସରପଞ୍ଚ ହେବେ ଚିତ୍ତରଞ୍ଜନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଦର ବ୍ଲକ ନବଘନପୁର ପଞ୍ଚାୟତରେ ନବନିର୍ବାଚିତ ସରପଞ୍ଚ କବିରାଜ ସାହୁ ମିଥ୍ୟା ସତ୍ୟପାଠ ଦାଖଲ କରି ନିର୍ବାଚନ ଲଢ଼ିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାର ବିଚାର ନୟାଗଡ଼ ଏସଡିଜେଏମ୍ କୋର୍ଟରେ ଚାଲିଥିଲା । ଆଜି ତାହାର ରାୟ ପ୍ରକାଶ ପାଇଛି । କବିରାଜ ସାହୁଙ୍କୁ ପଦଚ୍ଯୁତ୍ କରିବା ସହ କୋର୍ଟ ବିପକ୍ଷ ପାର୍ଥୀ ଚିତ୍ତରଞ୍ଜନ ଭଞ୍ଜ ସରପଞ୍ଚ ଭାବେ କାର୍ଯ୍ୟ କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ସୂଚନାନୁସାରେ, ନୟାଗଡ଼ ବ୍ଲକ ନବଘନପୁର ପଞ୍ଚାୟତ ସରପଞ୍ଚ ପଦବୀ ପାଇଁ ଗତ ପଞ୍ଚାୟତ ନିର୍ବାଚନରେ ୫ଜଣ ପ୍ରାର୍ଥୀ ରହିଥିଲେ । କବିରାଜ ସାହୁଙ୍କଠାରୁ ଚିତ୍ତରଞ୍ଜନ ଭଞ୍ଜ ମାତ୍ର ୭୨ଖଣ୍ଡ ଭୋଟରେ ପରାଜିତ ହୋଇଥିଲେ । ସତ୍ୟପାଠରେ କବିରାଜଙ୍କ ନାମରେ କୌଣସି ମାମଲା ନଥିବା ଉଲ୍ଲେଖ କରାଯାଇଥିବା ବେଳେ ବାସ୍ତବରେ ତାଙ୍କ ନାମରେ ଦୁଇଟି ମାମଲା ରହିଥିଲା । ନୟାଗଡ଼ ଟାଉନଥାନାରେ ଏକ ମଦ କାରବାର ନେଇ ମାମଲା ରହିଛି । ୨୦୨୦ ମସିହାରେ ଜୁଲାଇ ୨୭ ତାରିଖରେ ନବଘନପୁର ରାସ୍ତାରୁ ପୁଲିସ ଟିମ ଏକ ସ୍କୁଟି ସହ ମଦ ଧରିଥିଲା । ଯେଉଁ ମାମଲା କୋର୍ଟରେ ବିଚାରଧିନ ରହିଛି । ସେହିଭଳି ଭାବେ ଏହି ଆଇନ ୧୮୧ ଅଧୀନିୟମରେ ଅନ୍ୟ ଏକ ମାମଲା ମଧ୍ୟ କବିରାଜଙ୍କ ନାମରେ ବିଚାରଧୀନ ରହିଛି । ଯାହାକୁ ନେଇ ତାଙ୍କ ବିପକ୍ଷ ପ୍ରାର୍ଥୀ ଚିତ୍ତରଞ୍ଜନ ଭଞ୍ଜ ତାଙ୍କ ପଦବୀକୁ ରଦ୍ଦ କରିବା ପାଇଁ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ନୟାଗଡ଼ ଏସଡିଜେଏମ୍ କବିରାଜଙ୍କୁ ପଦଚ୍ୟୁତ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ବିପକ୍ଷରେ ରହିଥିବା ଅନ୍ୟ ପ୍ରାର୍ଥୀଙ୍କ ମଧ୍ୟରୁ ସର୍ବାଧିକ ଜନମତ ପାଇଥିବା ଚିତ୍ତରଞ୍ଜନ ଭଞ୍ଜକୁ ସରପଞ୍ଚ ଭାବେ ଦାୟିତ୍ୱ ଦେବାକୁ ନିର୍ଦ୍ଦେଶ ରହିଥିବା ସୂଚନା ମିଳିଛି । ଏହି ରାୟ ପ୍ରକାଶ ପାଇବା ପରେ ଆଜି ନବଘନପୁର ପଞ୍ଚାୟତରେ ଖୁସିର ଲହରୀ ଖେଳି ଯାଇଛି ।

Related posts