ଦଶପଲ୍ଲା: କୋଭିଡ୍-୧୯ ଡ୍ୟୁଟି ପାଇଁ ଏସସିବି ମେଡିକାଲ କଲେଜର ଶେଷ ବର୍ଷର ୧୯ଜଣ ଛାତ୍ରଛାତ୍ରୀ କଟକରୁ ବଲାଙ୍ଗିର ଯାଉଥିବା ବେଳେ ୫୭ନଂ ଜାତୀୟ ରାଜପଥ ବାଣିଗୋଚ୍ଛା ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦ ଛକ ନିକଟରେ ଏକ ବୁଲାଣିରେ ବସଟି ଏକ ପଣସ ଗଛରେ ଧକ୍କା ହୋଇଥିଲା।

ଦୁର୍ଘଟଣାର ଖବର ପାଇ ନୟାଗଡ଼ ଟାଉନ୍ ଥାନା ଅଧିକାରୀ ଜୟଦୀପ୍ ମହାନ୍ତି ସଙ୍ଗେ ସଙ୍ଗେ ବାଣିଗୋଚ୍ଛା ଥାନାକୁ ଖବର ଦେଇଥିଲେ। ସେହି ଖବର ପାଇ ବିଳମ୍ବିତ ରାତିରେ ନୟାଗଡ଼ ଟାଉନ୍ ପୁଲିସ ଓ ବାଣିଗୋଚ୍ଛା ପୁଲିସ, ଦଶପଲ୍ଲା ତହସିଲଦାର, ଦଶପଲ୍ଲା ମେଡିକାଲର ଡାକ୍ତର ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀମାନଙ୍କୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଦୁର୍ଘଟଣାରେ ବସ୍ ଚାଳକ ଜଣକ ଗୁରୁତର ହୋଇଥିବା ବେଳେ ଛାତ୍ରଛାତ୍ରୀମାନେ ସାମାନ୍ୟ ଆହାତ ହୋଇଥିବା ନେଇ ବାଣିଗୋଚ୍ଛା ଥାନା ଅଧିକାରୀ ବୈଦ୍ୟଭୁଷଣ ଭୋଇ ସୂଚନା ଦେଇଛନ୍ତି।
