କରୋନା ସମୟରେ ସର୍ଭେ କାର୍ଯ୍ୟକୁ ଶିକ୍ଷକ ସଂଘର ପ୍ରତ୍ୟାଖ୍ୟାନ

ନୟାଗଡ଼: କରୋନାକୁ ରାଜ୍ୟ ସରକାର ରାଜ୍ୟରେ ଗତ ୫ତାରିଖରୁ ଲକଡାଉନ ଘୋଷଣା କରିଥିବା ବେଳେ ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକ ମାନଙ୍କୁ ଡ୍ରପଆଉଟ ପିଲାଙ୍କ ସର୍ଭେ କାର୍ଯ୍ୟରେ ନିୟୋଜନକୁ ନେଇ ଜିଳ୍ଲା ପ୍ରାଥମିକ ଶିକ୍ଷକ ସଂଘ କଡ଼ା ବିରୋଧ କରିଛି । କୋଭିଡ-୧୯ ଗାଇଡଲାଇନର ସମସ୍ତ ନୀତିନିୟମକୁ ଉଲଂଘନ କରାଯାଇ ମହାମାରୀ ସଂକଟ ସମୟରେ ଶିକ୍ଷକମାନଙ୍କୁ ବିପଦ ମୁହଁକୁ ଠେଲି ଦିଆଯାଉଥିବା ନେଇ ଶିକ୍ଷକସଂଘ ପକ୍ଷରୁ ଗୁରୁତର ଅଭିଯୋଗ କରାଯାଇଛି । ଏ ନେଇ ଗତକାଲି ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜିଳ୍ଲା ସଂଘ ପକ୍ଷରୁ ଏକ ଚିଠିମାଧ୍ୟମରେ ଶିକ୍ଷକମାନେ ଲକଡାଉନ ସମୟରେ ସର୍ଭେ କାର୍ଯ୍ୟ କରିବେ ନାହିଁ ବୋଲି ରୋକଠୋକ ଜଣାଇ ଦେଇଛନ୍ତି । ରାଜ୍ୟ ସରକାର ଗତ ଏପ୍ରିଲ ମାସରେ ଏହି ସର୍ଭେ କାର୍ଯ୍ୟ ସାରିବାକୁ ସମସ୍ତ ଜିଲ୍ଲା ଶିକ୍ଷା ବିଭାଗକୁ ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ଶିକ୍ଷା ବିଭାଗ କ’ଣ ପାଇଁ ଲକଡାଉନ ସମୟରେ ସର୍ଭେ କରିବା ପାଇଁ ଶିକ୍ଷକଙ୍କୁ ବାଧ୍ୟ କରୁଛି ବୋଲି ଓଲଟା ଶିକ୍ଷକମାନେ ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, କୋଭିଡ ମହାମାରୀ ଯୋଗୁଁ ଗତବର୍ଷଠାରୁ ଅଦ୍ୟାବଧି ୬ ରୁ ୧୮ବର୍ଷ କେତେ ପିଲା ପାଠପଢ଼ା ଛାଡ଼ିଛନ୍ତି ତାହା ଉପରେ ସର୍ଭେ କରି ୧୦ଦିନ ମଧ୍ୟରେ ରିପୋଟଁ ଦେବାପାଇଁ ରାଜ୍ୟ ପ୍ରାଥମିକ ଶିକ୍ଷା ପ୍ରାଧିକରଣ ଗତମାସ ୧୬ତାରିଖରେ ଚିଠିନଂ-୪୦୪୯ରେ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ସେହି ସମୟରେ ଜିଲ୍ଲା ଶିକ୍ଷା ବିଭାଗ ଏହି ଚିଠିକୁ କୌଣସି ଗୁରୁତ୍ୱ ନଦେଇ ଚୁପ ବସି ରହିଥିଲା । ତେବେ ରାଜ୍ୟ ସରକାରଙ୍କ ସର୍ଭେ କାର୍ଯ୍ୟର ଅଗ୍ରଗତି ରିପୋର୍ଟ ତଲବ ପରେ ହଠାତ ବିଭାଗ ନିଦରୁ ଉଠି ରାତିଅଧିଆ ଲକଡାଉନର ପୂର୍ବ ତାରିଖ ଅର୍ଥାତ ମେ ୪ତାରିଖ ପକାଇ ସମୟ ଓ ପରିସ୍ଥିତିକୁ ହୃଦୟଙ୍ଗମ ନକରି ସମସ୍ତ ଶିକ୍ଷକ ମାନଙ୍କୁ ୧୦ଦିନ ମଧ୍ୟରେ ଅର୍ଥାତ୍ ମଇ ୧୫ ତାରିଖ ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ କଟକଣା ଉଲଂଘନ କରି ତଥା ନିଜ ଜୀବନକୁ ବାଜି ଲଗାଇ ଶିକ୍ଷକ ଶିକ୍ଷୟିତ୍ରୀମାନେ ଦୁଆର ଦୁଆର ବୁଲି ସର୍ଭେ କରିବେ । ଏଥିରେ ଉତକ୍ଷିପ୍ତ ହୋଇ ଜିଲ୍ଲା ପ୍ରାଥମିକ ଶିକ୍ଷକସଂଘ ପକ୍ଷରୁ ଏହି ଅପରିଣାମଦର୍ଶି ନିର୍ଦ୍ଦେଶନାମାକୁ ପ୍ରତ୍ୟାଖ୍ୟାନ କରିଥିବା ବେଳେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଶିକ୍ଷକମାନଙ୍କ ନିଷ୍ପତ୍ତିକୁ ସଂଘ ମାଧ୍ୟମରେ ଜଣାଇ ଦିଆଯାଇଛି । ପରିସ୍ଥିତିକୁ ବିଚାରକୁ ନନେଇ ଯଦି ପ୍ରଶାସନ ପକ୍ଷରୁ ସର୍ଭେ କାର୍ଯ୍ୟ କରିବା ପାଇଁ ଶିକ୍ଷକ ମାନଙ୍କ ଉପରେ ଚାପ ପ୍ରୟୋଗ କରନ୍ତି ତେବେ ସଂଘ ପକ୍ଷରୁ ସମଗ୍ର ଜିଲ୍ଲାରେ ଆନ୍ଦୋଳନ କରାଯିବା ସହ ମାନ୍ୟବର ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେବେ ବୋଲି ଜିଲ୍ଲା ପ୍ରାଥମିକ ଶିକ୍ଷକସଂଘ ସଭାପତି ଜ୍ୟୋତିରଞ୍ଜନ ଦାଶ ଏବଂ ସାଧାରଣ ସଂପାଦକ ଭକ୍ତରଞ୍ଜନ ମିଶ୍ର ଦୃଢ଼ ଚେତାବନୀ ଦେଇଛନ୍ତି।

Related posts