ସାହିତ୍ୟ ଓ ସମ୍ବର୍ଦ୍ଧନା ଉତ୍ସବରେ ଦୁଲୁକିଲା ଓଡ଼ଗାଁ ମାଟି

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ଇନଡୋର୍ ଷ୍ଟାଡ଼ିୟମ ପରିସରରେ ଶ୍ରୀ ଶ୍ରୀ ରଘୁନାଥ ସାରସ୍ବତ ସଂସଦ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ କବି, ଲେଖକ ସମ୍ମିଳନୀ ଓ ସମ୍ବର୍ଦ୍ଧନା ଉତ୍ସବ ପ୍ରାୟ ୧୫୦ ରୁ ଉର୍ଦ୍ଧ୍ବ ସାରସ୍ୱତ ସାଧକସାଧିକାଗଣଙ୍କ ଉପସ୍ଥିତିରେ ମହାସମାରୋହରେ ପାଳିତ ହୋଇଯାଇଛି।ଏହି ଉତ୍ସବରେ ଜିଲ୍ଲାର ପ୍ରତି ବ୍ଲକରୁ କବି,କବିୟିତ୍ରୀ,ସାହିତ୍ୟିକ, ଲେଖକ,ଗାଳ୍ପିକ, ନାଟ୍ୟକାର ମାନଙ୍କ ସମାଗମ ଘଟିଥିଲା।ଅନୁଷ୍ଠାନର ସଭାପତି ପଞ୍ଚାନନ ପଣ୍ତାଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ତଥା କଥାକାର ଦାଶ ବେନହୁର ଯୋଗ ଦେଇଥିବାବେଳେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଉଦଘାଟକ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଲୋକନାଥ ସାହୁ, ଚକ୍ର ସୁଦର୍ଶନ କ୍ଷେତ୍ର ଭଦ୍ରକର ଗୁରୁମା ଆଚାର୍ଯ୍ୟା ଅନ୍ନପୂର୍ଣ୍ଣା ଦେବୀ, ଓଡ଼ିଶା ସାହିତ୍ୟ ଏକାଡେମୀ ଜିଲ୍ଲାସଦସ୍ୟ ଅଶୋକ କୁମାର ନାୟକ,ଅନୁଷ୍ଠାନର ପ୍ରତିଷ୍ଠାତା ଲୋକନାଥ ମିଶ୍ର (ଭରଦ୍ବାଜ), ସଂପାଦକ ଭାବଗ୍ରାହୀ ମହାପାତ୍ର, ଉପଦେଷ୍ଟା ଦିବାକର ନାୟକ ପ୍ରମୁଖ ଅନ୍ୟତମଅତିଥି ଭାବେ ମଞ୍ଚାସୀନ ଥିଲେ।ଏ ଅବସରରେ ନୂଆଗାଁ, ଦଶପଲ୍ଲା, ଗଣିଆ, ଖଣ୍ତପଡା, ରଣପୁର, ନୟାଗଡ଼, ଭାପୁର ଏବଂ ଓଡ଼ଗାଁର ଅନୁଷ୍ଠାନ ଦ୍ୱାରା ନିମନ୍ତ୍ରିତ କବି–ସାହିତ୍ୟିକମାନଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ।

ଏହି ଅବସରରେ ଓଡ଼ଗାଁ ଶ୍ରୀ ଶ୍ରୀ ରଘୁନାଥ ସାରସ୍ବତ ସଂସଦର ମୁଖପତ୍ର ‘ବୈୖଦୁର୍ଯ୍ୟ’, ନିରଞ୍ଜନ ସାହୁଙ୍କ ଲିଖିତ ‘ମାନସ କୁସୁମ’ ଓ ‘ଭକ୍ତି ନୈୖବେଦ୍ୟ’, ଅନୁଷ୍ଠାନର ଉପଦେଷ୍ଟା ଅରୁଣ କୁମାର ସାହୁଙ୍କ ବିସ୍ମୃତିର ସ୍ବର, ରଣପୁର ମନ୍ଦାକିନୀ ସାହିତ୍ୟ ଓ ସଂସ୍କୃତି ସଂସଦ ସଭାପତି ବିଜୟ କୁମାର ଜେନାଙ୍କ ‘ସକାଳ’ ଜଣାଣ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା। ନୟାଗଡ଼ର ଜିଲ୍ଲା ଲେଖକ ପରିଷଦ, ପରମ୍ପରା ସାହିତ୍ୟ ଅନୁଷ୍ଠାନ, ତଥାସ୍ତୁ ସାହିତ୍ୟ ଅନୁଷ୍ଠାନ, ସେତୁବନ୍ଧ ସାହିତ୍ୟ ଅନୁଷ୍ଟାନ, ଦଶପଲ୍ଲାର ଅକ୍ଷ ସାହିତ୍ୟ ଅନୁଷ୍ଠାନ, ରଣପୁରର ମନ୍ଦାକିନୀ ସାହିତ୍ୟ ଓ ସଂସ୍କୃତି ସଂସଦ, ସମ୍ବର୍ଦ୍ଧନା ପରିବାର ଶରଣକୁଳ, ସ୍ବାତୀଲଗ୍ନା ସାହିତ୍ୟ ଅନୁଷ୍ଠାନ ଦରପଦା, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ଓ ସଂସ୍କୃତି ପରିଷଦ ଓଡ଼ଗାଁ, ଗଠନ ପରିବାର ଦଶପଲ୍ଲା, ସଦାନନ୍ଦ ସାହିତ୍ୟ ଓ ସଂସ୍କୃତି ପରିଷଦ ଭିକାରିପଡା ଆଦି ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରାଯାଇଥିଲା।ଅନୁଷ୍ଠାନ ପକ୍ଷରୁ ଏହାର ସର୍ବଶ୍ରେଷ୍ଠ ସମ୍ମାନ ଶ୍ରୀ ଶ୍ରୀ ରଘୁନାଥ ସାରସ୍ୱତ ସମ୍ମାନକୁ ଦାଶ୍ ବେନହୁରଙ୍କୁ ପ୍ରଦାନ କରାଯିବା ସହ ଗୋଦାବରୀଶ ମିଶ୍ରଙ୍କୁ କବି ବୈଦୁର୍ଯ୍ୟ ସମ୍ମାନ, ପ୍ରଭାସିନୀ ବରାଡ଼ଙ୍କୁ କବିପ୍ରଭା ସମ୍ମାନ, ପ୍ରହଲ୍ଲାଦ ବେହେରାଙ୍କୁ କବି ପ୍ରଦୀପ ସମ୍ମାନ, ପରମାନନ୍ଦ ସ୍ବାଇଁଙ୍କୁ ମହିମା କବି ସମ୍ମାନ, ବିଜୟ କୁମାର ଜେନାଙ୍କୁ କବି ଭରଦ୍ବାଜ ସାହିତ୍ୟ ସମ୍ମାନ, ଗାଳ୍ପିକ ଲଳିତ ମୋହନ ମିଶ୍ରଙ୍କୁ ମଦନ ମୋହନ ସ୍ମୃତି ସମ୍ମାନ, ପ୍ରଦୀପ କୁମାର ସାହୁଙ୍କୁ ଶିକ୍ଷା ସେବା ସମ୍ମାନ ଏବଂ ଓଡ଼ଗାଁ ବ୍ଲକର ସମସ୍ତ ସାମ୍ବାଦିକଙ୍କୁ ମଧ୍ୟ ସେମାନଙ୍କର ନିଷ୍ଠାପର ଖବର ପ୍ରସାରଣ ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା।

ଆଜିର ଏହି କାର୍ଯ୍ୟକ୍ରମରେ ପରମାନନ୍ଦ ସ୍ବାଇଁ, ପ୍ରହଲ୍ଲାଦ ବେହେରା,ରମାକାନ୍ତ ପ୍ରଧାନ, ପ୍ରଶାନ୍ତ କୁମାର ଦାଶ,ବିଭୁପ୍ରସାଦ ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ ପ୍ରିୟଦର୍ଶନୀ ମହାପାତ୍ର, ବବିତାରାଣୀ ମହାପାତ୍ର,ସୁରେଶ ଚନ୍ଦ୍ର ପ୍ରଧାନ,ରାଧାଗୋବିନ୍ଦ ନାୟକ ଓ ପ୍ରଭାତୀ ପଟ୍ଟନାୟକ ଆଦି ପଞ୍ଜୀକରଣରେ ସାହାଯ୍ୟ କରିଥିଲେ।ସକାଳ ୧୦ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ଭୋଜନ ପରେ ଅପରାହ୍ନ ୩ ଟା ସମୟରେ ଉକ୍ତ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।ରଞ୍ଜନ କୁମାର ଦାଶ ଓ ଯଶୋବନ୍ତ ପଟ୍ଟନାୟକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ପ୍ରକାଶଥାଉ କି,ଏଭଳି କାର୍ଯ୍ୟକ୍ରମ ନୟାଗଡ଼ ଜିଲ୍ଲାରେ ପ୍ରଥମ ବୋଲି ସାଧାରଣରେ ଆଲୋଚିତ ହେଉଛି।

Related posts