ରଥଯାତ୍ରା ପାଇଁ ରଥ କାଠ ଅନୁକୂଳ, ଆଜ୍ଞାମାଳ ପହଞ୍ଚିଲା ପରେ ବଡ଼ରାଉଳ ପୀଠରେ ପୂଜାର୍ଚ୍ଚନା

ଗଣିଆ,(ନୟାଗଡ ଦର୍ପଣ): ଜଗତର ନାଥ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଛି। ଗଣିଆ ବ୍ଲକ ବଡ଼ମୁଳ ନିକଟସ୍ଥ ଖଳଖଳା ସେତୁ ନିକଟ ବଡ ରାଉଳ ପୀଠରେ ମଙ୍ଗଳବାର ପୂର୍ବାହ୍ନରେ ପାରମ୍ପରିକ ରୀତିରେ ମହାପ୍ରଭୁ ଜଗନ୍ନାଥଙ୍କ ରଥକାଠ ଅନୁକୂଳ ପାଇଁ ପୂଜାର୍ଚ୍ଚନା ହୋଇଛି । ରଥ ନିର୍ମାଣ ପାଇଁ ଆବଶ୍ୟକ ରଥକାଠ କଟା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନର ଏକ ୪ ଜଣିଆ ସ୍ବତନ୍ତ୍ର ପ୍ରତିନିଧି ଦଳ ଆଜ୍ଞାମାଳ, ମହାପ୍ରସାଦ, ମାହାର୍ଦ୍ଦ ସହ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ନେଇ ନୟାଗଡ଼ ଅଭିମୁଖେ ପହଞ୍ଚିଥିଲେ। ନୟାଗଡ ବନବିଭାଗ ଜରିଆରେ ସେହି ପ୍ରତିନିଧିଦଳ ମା” ବଡ଼ରାଉଳ ଠାକୁରାଣୀଙ୍କ ପୀଠରେ ପୂଜାର୍ଚ୍ଚନା କରିଥିଲେ । ଶ୍ରୀମନ୍ଦିର ନୀତି ବିଭାଗର ଭାରପ୍ରାପ୍ତ ଅଧିକାରୀ ରବୀନ୍ଦ୍ର ନାଥ ଦାଶ, ବରିଷ୍ଠ ରଥ ତତ୍ତ୍ବାବଧାରକ ସୁଦର୍ଶନ ମେକାପ, ରଥ କାଠ ଅମିନ ଲକ୍ଷ୍ମଣ ମହାପାତ୍ର ଓ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ଠାରୁ ନୟାଗଡ଼ ଡିଏଫଓ କ୍ଷମା ଷଡଙ୍ଗୀ ଆଜ୍ଞାମାଳ ଓ ମାହାର୍ଦ୍ଦ ଗ୍ରହଣ କରିଥିଲେ । ନୟାଗଡ଼ ବନଖଣ୍ଡରୁ ରଥକାଠ କଟା ପର୍ବ ଆରମ୍ଭ ହୋଇ ଆଗାମୀ ସରସ୍ୱତୀ ପୂଜା ପୂର୍ବରୁ ପ୍ରଥମେ ରଥକାଠ ପୁରୀରେ ପହଁଚିଥାଏ । ସରସ୍ୱତୀ ପୂଜା ଦିନ ରଥ ପାଇଁ ଓଟି ୧୨ଫୁଟ ଲମ୍ବର ଧଉରା କାଠ ଶ୍ରୀମନ୍ଦିର କାଯ୍ୟାଳୟ ଠାରେ ଅନୁକୂଳ ପୂଜା ହୋଇଥାଏ । ପରେ ଶ୍ରୀରାମ ନବମୀ ତିଥିରେ କଟକ ଖପୁରିଆ ସ୍ଥିତ କରତ କଳରେ ବିଧିବଦ୍ଧ ଭାବେ ରଥକାଠ ଚିରଟ ଅନୁକୂଳ ହୁଏ । ପରେ ଅକ୍ଷୟ ତୃତୀୟା ତିଥିରେ ବଡ଼ଦାଣ୍ଡରେ ରଥ ନିର୍ମାଣ କାମ ଅନୁକୂଳ ହୋଇଥାଏ ।ସାଧାରଣତଃ ପୂଜାର୍ଚ୍ଚନା ହୋମ କାର୍ଯ୍ୟ କରାଯାଇ ଠାକୁରାଣୀଙ୍କ ପୀଠରୁ ଆଜ୍ଞାମାଳ ନିଆଯାଇ ରଥ ନିର୍ମାଣ ନିମିତ୍ତ ଧଉରା ୩୮୫ଖଣ୍ଡ, ଅସନ ୩୩୨ଖଣ୍ଡ, ଶିମିଳି ୩ଖଣ୍ଡ, ଫାସୀ ୭୨ଖଣ୍ଡ ପ୍ରଜାତିର ରଥକାଠ ଚିହ୍ନଟ କରିବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ୩ରଥ ନିର୍ମାଣ ପାଇଁ ମୋଟ ୮୬୫ଖଣ୍ଡ କାଠ ଦରକାର ହେଉଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ୮୦ଖଣ୍ଡ କାଠ ବଳକା ରହିଛି । ଚଳିତ ବର୍ଷ ଆଉ ୭୮୫ଖଣ୍ଡ କାଠର ଆବଶ୍ୟକତା ଥିବାରୁ ଏହିକାଠ ନୟାଗଡ଼ ଏବଂ ବୌଦ୍ଧ ବନଖଣ୍ଡ ତରଫରୁ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି। ମା ବଡ଼ରାଉଳଙ୍କ ପୀଠରେ ଏହି ପୁଜାର୍ଚନା କାଯ୍ୟକ୍ରମରେ ଜିଲ୍ଲା ବନଖଣ୍ଡ ଅଧିକାରିଣୀ କ୍ଷମା ଷଡଙ୍ଗୀ ପୌରହିତ କରିଥିବା ବେଳେ ଦଶପଲ୍ଲା ରେଞ୍ଜର ନିଖିଲେଶ ମଲ୍ଲିକ, ଗଣିଆ ରେଞ୍ଜର ସୋନାଲି ସିଓ, ଛାମୁଣ୍ଡିଆ ରେଞ୍ଜରଙ୍କ ସମେତ ନୟାଗଡ଼ ଜିଲ୍ଲାର ବିଭିନ୍ନ ବନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Related posts