ନୟାଗଡ଼,(୨୨ା୮): କଥାରେ ଅଛି ଗାଁ ପରିମଳ ଧୋବା ତୁଠରୁ, ସେହିପରି ସହରର ବିକାଶ ଜଣାପଡ଼େ ରାସ୍ତାଘାଟ ତଥା ଡ୍ରେନ ପରିମଳ ଏବଂ ପରିଚାଳନାରୁ । ଏହାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛି ନୟାଗଡ଼ ଜିଲ୍ଲା ସଦର ମହକୁମାରେ । ନୟାଗଡ଼ ଜିଲ୍ଲା ସଦର ମହକୁମା ତଥା ନୟାଗଡ଼ ମୁନିସିପାଲିଟି ଅଞ୍ଚଳରେ ଅଧିକାଂଶ ସ୍ଥାନରେ ଡ୍ରେନ ନଥିବାରୁ ବିଭିନ୍ନ ଅଞ୍ଚଳରେ ପାଣି ଜମି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସହ ମ୍ୟାଲେରିଆ ଡେଙ୍ଗୁ ଆଦି ବ୍ୟାପିବାର ସମ୍ଭାବନା ସୃଷ୍ଟି ହୋଇଛି । ନୟାଗଡ଼ ମୁନିସିପାଲଟିର ବିଭିନ୍ନ ୱାର୍ଡ଼, ସାହି ବସ୍ତି ଆଦି ଅଞ୍ଚଳରେ ଡ୍ରେନ କାମ ମୁନିସିପାଲଟି ପକ୍ଷରୁ ନିର୍ମାଣ କରାଯାଇ ରକ୍ଷଣାବେକ୍ଷଣ କରାଯିବାର ନିୟମ ରହିଥିବା ବେଳେ ନୟାଗଡ଼ ସହର ମଧ୍ୟ ଦେଇ ଯାଇଥିବା ଷ୍ଟେଟ ହାଇୱେର ଦୁଇ ପାଶ୍ୱର୍ରେ ପୂର୍ତ୍ତ ବିଭାଗ ପକ୍ଷରୁ ଡ୍ରେନ ନିର୍ମାଣ କରାଯାଇଥାଏ । ମାତ୍ର ପୂର୍ତ୍ତ ବିଭାଗ ପକ୍ଷରୁ ଡ୍ରେନ ନିର୍ମାଣ କାର୍ଯ୍ୟ ଠିକ ଭାବେ କରାଯାଉ ନଥିବାରୁ ପରିମଳ ଏବଂ ପରିବେଶ ଦୂଷିତ ହେବାସହ ସହରବାସୀ ବହୁ ଦୁଦ୍ଦ୍ର୍ଶାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ନୟାଗଡ଼ ଓଡ଼ଗାଁ ରାସ୍ତାର ନୟାଗଡ଼ ଠାରୁ ଲେଙ୍କୁଡ଼ିପଡ଼ା ଛକ ପର୍ଯ୍ୟନ୍ତ ମୁନିସିପାଲଟି ଅଞ୍ଚଳରେ ରହିଥିବା ବେଳେ ଏହି ରାସ୍ତାର ଉଭୟ ପାଶ୍ୱର୍ରେ ସଠିକଭାବେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଏହି ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ବାସଗୃହରୁ ଜଳ ନିଷ୍କାସନ ଠିକ ଭାବରେ ହୋଇ ନପାରି ରାସ୍ତା କଡ଼ରେ ଜମିରହି ପରିବେଶ ଦୂଷିତ ହେଉଛି । ନୟାଗଡ଼ କଲେଜ ରୋଡ଼ରେ ଥିବା କୋଏନା ଢ଼ାବା କଡ଼ରୁ ଲେଙ୍କୁଡ଼ିପଡ଼ା ପର୍ଯ୍ୟନ୍ତ ଉଭୟ ପାଶ୍ୱର୍ରେ ଡ୍ରେନ ବ୍ୟବସ୍ଥା ସଠିକଭାବେ କରାଯାଇ ନଥିବାରୁ କୋଏନା ଢାବାଠାରୁ ଆରମ୍ଭ କରି ଅରବିନ୍ଦ ନଗର, ମଧୁସୁଦନ ନଗର ଆଦିରୁ ନିଷ୍କାଷିତ ହେଉଥିବା ବର୍ଜ୍ୟ ଜଳ ମୁଖ୍ୟ ରାସ୍ତା କଡ଼ରେ ଜମିରହି କୃତ୍ରିମ ଜଳାଶୟ ତଥା ନର୍ଦ୍ଦମାରେ ପରିଣତ ହେଉଛି । ଏହି ନର୍ଦ୍ଦମା ଯୋଗୁଁ ଏହି ସବୁ ଅଞ୍ଚଳରେ ପରିବେଶ ପ୍ରଦୂଷିତ ହେବାସହ ମଶା, ମାଛିଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଫଳରେ ସୁସ୍ଥ ତଥା ନିରାମୟ ଜୀବନଯାପନ କରିବାକୁ ଚାହୁଥିବା ଅଧିବାସୀ ମ୍ୟାଲେରିଆ ଡେଙ୍ଗୁ ଆଦି ରୋଗରେ ପଡ଼ିବାର ସମ୍ଭାବନା ବଢ଼ିଯାଇଛି । ସୂଚନା ଯୋଗ୍ୟ ଯେ ଏହି ସବୁ ଅଞ୍ଚଳରେ ଜିଲ୍ଲାର ପ୍ରମୁଖ ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ, ହଷ୍ଟେଲ ତଥା ବ୍ୟବସାୟିକ ପ୍ରତିଷ୍ଠାନମାନ ରହିଥିବା ବେଳେ ଏହି ବାଟ ଦେଇ ଦୈନିକ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବହୁ ପଦସ୍ଥ ଅଧିକାରୀ, ରାଜନେତାମାନେ ଯିବା ଆସିବା କରିଥାନ୍ତି । ଏହି ରାସ୍ତାରେ ଶରଣକୁଳର ପ୍ରସିଦ୍ଧ ଲଡ଼ୁବାବାଙ୍କ ମନ୍ଦିର, ଓଡ଼ଗାଁ ରଘୁନାଥ ମନ୍ଦିର ଆଦି ବହୁ ପର୍ଯ୍ୟଟନ ସ୍ଥଳ ରହିଥିବା ବେଳେ ଏହିବାଟ ଦେଇ ବିଭିନ୍ନ ସମୟରେ ବହୁ ମନ୍ତ୍ରୀ, ବିଧାୟକ ମଧ୍ୟ ଯିବା ଆସିବା କରିଥାନ୍ତି । ନୟାଗଡ଼ କଲେଜ ଠାରୁ ଲେଙ୍କୁଡ଼ିପଡ଼ା ଛକ ପର୍ଯ୍ୟନ୍ତ ଏକ ପ୍ରମୁଖ ଅଞ୍ଚଳ ହୋଇଥିବା ବେଳେ ଏଠାରେ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଅନେକ ଲୋକଙ୍କର ସର୍ବଦା ଚଳପ୍ରଚଳ ରହିଥାଏ । ତେବେ ସହର ପରିମଳ ବ୍ୟବସ୍ଥା ନୟାଗଡ଼ ମୁନିସିପାଲଟି ହାତରେ ରହିଥିବା ବେଳେ ମୁଖ୍ୟରାସ୍ତା କଡ଼ର ଡ୍ରେନ ନିର୍ମାଣ କାମ ପୂର୍ତ୍ତ ବିଭାଗ ଦାୟିତ୍ୱରେ ରହିଛି । ମାତ୍ର ଏହି ଦୁଇ ବିଭାଗର ଖାମଖିଆଲ ମନୋଭାବ ତଥା ସମନ୍ୱୟର ଅଭାବ ଯୋଗୁଁ ଏହିପରି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ଏ ନେଇ ସ୍ଥାନୀୟ ଅଧିବାସୀ ମାନଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ କୌଣସି ସୁ‘ଳ ମିଳିପାରୁ ନାହିଁ । ଆଗାମୀ ଦିନରେ ଏପରି ଅସ୍ୱାସ୍ଥ୍ୟକର ପରିବେଶ ଲାଗି ରହିଲେ ନୟାଗଡ଼ ସହରରେ ଡେଙ୍ଗୁ ରୋଗ ବ୍ୟାପିବାର ଆଶଙ୍କା ସୃଷ୍ଟି ହୋଇଛି । ଯଦି ଏହି ସମସ୍ୟାର ତୁରନ୍ତ ସମାଧାନ କରାନଯାଏ ତେବେ ଆଗାମୀ ଦିନରେ ଏ ନେଇ ଏକ ଜନ ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ଅଧିବାସୀମାନେ ଚେତାବନୀ ଦେଇଚନ୍ତି ।
ଅଧପନ୍ତରିଆ ଡ୍ରେନ, ଦୁର୍ଦ୍ଦଶାରେ ସହରବାସୀ, ଜନ ଆନ୍ଦୋଳନ ପାଇଁ ଚେତାବନୀ
