ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ନୟାଗଡ଼, (ନୟାଗଡ଼ ଦର୍ପଣ): ଶିଶୁଙ୍କ ସୁସ୍ଥ ଜୀବନ ଓ ସ୍ୱାସ୍ଥ୍ୟ ସଚେତନତାକୁ ଗୁରୁତ୍ୱ ଦେଇ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଏକ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସଞ୍ଜୟ କୁମାରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ବିଦ୍ୟାଳୟର ୨୦୧୩ ମସିହାର ପୂର୍ବତନ ଛାତ୍ର ତଥା ଦନ୍ତ ଚିକିତ୍ସକ ଡା. ଅଭିଷେକ ଶୁକ୍ଳା ଯୋଗଦେଇ ଶିଶୁ ଭାଇ ଓ ଭଉଣୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏଥିସହ ଦାନ୍ତ ଓ ମୁଖ ସ୍ୱାସ୍ଥ୍ୟର ଯତ୍ନ, ସ୍ୱଚ୍ଛତା ଏବଂ ରୋଗ ପ୍ରତିରୋଧ ସମ୍ପର୍କରେ ଆବଶ୍ୟକୀୟ ପରାମର୍ଶ ଦେବା ସହ ସଚେତନ କରାଇଥିଲେ।

ବିଦ୍ୟାଳୟର ଶିଶୁ ଭାରତୀର ଭାଇ ଓ ଭଉଣୀ, ଆଚାର୍ଯ୍ୟ ଓ ଆଚାର୍ଯ୍ୟାମାନଙ୍କ ସହଯୋଗ ଏବଂ ପ୍ରଧାନ ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତୃତୀୟରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।
ବିଦ୍ୟାଳୟର ପୂର୍ବତନ ଛାତ୍ର ଡା. ଅଭିଷେକ ଶୁକ୍ଳା ନିଜ ଶିକ୍ଷାନୁଷ୍ଠାନକୁ ଫେରି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସେବାରେ ସାମିଲ ହେବା ଏକ ପ୍ରେରଣାଦାୟକ ପଦକ୍ଷେପ ଭାବେ ପରିଗଣିତ ହୋଇଛି। ଏଭଳି କାର୍ଯ୍ୟକ୍ରମ ଶିଶୁମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି କରିବା ସହ ସୁସ୍ଥ ଜୀବନଶୈଳୀ ଗଠନରେ ସହାୟକ ହେବ।

Related posts