‘ବସନ୍ତ ସେବା ସମ୍ମାନ’ରେ ସମ୍ମାନିତ ହେଲେ ଜିଲ୍ଲାର ଦୁଇ ଶିକ୍ଷକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ ଓ ଗାଇଡ୍, ଭୁବନେଶ୍ୱରଙ୍କ ଆନୁକୂଲ୍ୟରେ ଆୟୋଜିତ ଶାନ୍ତି ଦିବସ ସମାରୋହରେ ବିଭିନ୍ନ ସମାଜସେବା ନିମନ୍ତେ ରାଜ୍ୟର ୬୦ ଜଣ ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରାଯାଇଛି। ଏହି ଅବସରରେ ନୟାଗଡ଼ ଜିଲ୍ଲା ଭାରତ ସ୍କାଉଟ ଓ ଗାଇଡ୍ ପକ୍ଷରୁ ଦୁଇଜଣ ଆଦର୍ଶ ଶିକ୍ଷକଙ୍କୁ ପ୍ରତିଷ୍ଠିତ ‘ବସନ୍ତ ସେବା ସମ୍ମାନ’ ପ୍ରଦାନ କରାଯାଇଛି। ଏହି ପ୍ରତିଭାମାନେ ହେଲେ ଦଶପଲ୍ଲା ବ୍ଲକ ନେଲିଗୁଡ଼ସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ସ୍କାଉଟ୍ ମାଷ୍ଟର ସୁଦାମ ପ୍ରଧାନ ଏବଂ ରଣପୁର ବ୍ଲକ ଗୋପାଳପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଗାଇଡ୍ କ୍ୟାପଟେନ୍ କଳ୍ପନା ନାଥ। ସେମାନଙ୍କର ନିଷ୍ଠାପର ସେବା ଓ ସାମଗ୍ରିକ ଅବଦାନ ପାଇଁ ସେମାନଙ୍କୁ ଏହି ସମ୍ମାନରେ ଭୂଷିତ କରାଯାଇଛି। ଭୁବନେଶ୍ୱରସ୍ଥିତ ରାଜ୍ୟ ମୁଖ୍ୟାଳୟରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ଜାତୀୟ ଉପ-ସଭାପତି ତଥା ଭାରତ ସ୍କାଉଟ ଓ ଗାଇଡ୍ ରାଜ୍ୟ କମିଶନର ଡକ୍ଟର କାଳୀପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରାଜ୍ୟ ସ୍କାଉଟ୍ ଓ ଗାଇଡ୍‌ର ସଭାପତି ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଉପ-ସଭାପତି ତଥା ଅବସରପ୍ରାପ୍ତ ବିଚାରପତି  ମନୋରଞ୍ଜନ ମହାନ୍ତି ଏବଂ ରାଜ୍ୟ ସମ୍ପାଦକ ଶରତ ଚନ୍ଦ୍ର ପାଇକରାୟ ପ୍ରମୁଖ ଉପସ୍ଥିତ ରହି କୃତୀ ସ୍କାଉଟ୍ ଓ ଗାଇଡ୍ କର୍ମକର୍ତ୍ତା ମାନଙ୍କୁ ସମ୍ମାନିତ କରିଥିଲେ।
ନୟାଗଡ଼ ଜିଲ୍ଲାରୁ ଏଭଳି ସ୍ୱୀକୃତି ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ବାତାବରଣ ଦେଖାଦେଇଥିବା ବେଳେ ବିଭିନ୍ନ ମହଲରୁ ସୁଦାମ ପ୍ରଧାନ ଓ କଳ୍ପନା ନାଥଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

Related posts