ନୟାଗଡ଼,(ନୟାଗଡ଼ ଦର୍ପଣ): ଆନ୍ତର୍ଜାତିକ ସାକ୍ଷରତା ଦିବସ ଅବସରରେ ରୋଟାରୀ କ୍ଲବ ନୟାଗଡ଼ ପକ୍ଷରୁ ୮ ଜଣ ଶିକ୍ଷକଙ୍କୁ ‘ରୋଟାରୀ ନେସନ ବିଲ୍ଡର ଆୱାର୍ଡ’ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି। ପ୍ରତିବର୍ଷ ସେପ୍ଟେମ୍ବର ୮ ତାରିଖରେ ରୋଟାରୀ କ୍ଲବ ଦ୍ବାରା ଚୟନ କରାଯାଇଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଏ। ରୋଟାରୀ କ୍ଲବ ନୟାଗଡ଼ର ସଭାପତି ବାସୁଦେବ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ନୟାଗଡ଼ ଏନ୍ଏସିର ପୂର୍ବତନ ନଗରପାଳ ତଥା ରୋଟାରୀ କ୍ଲବ ନୟାଗଡ଼ର ପ୍ରତିଷ୍ଠାତା ସଭ୍ୟ ସୁବୋଧ ଚନ୍ଦ୍ର ପଟ୍ଟନାୟକ ଏବଂ ରୋଟାରୀ ଲିଟେରାସି ମିଶନର ଚେୟାରପର୍ସନ ବସିରନ ବିବି ଉପସ୍ଥିତ ଥିଲେ। ରୋଟାରୀ କ୍ଲବର ସମ୍ପାଦକ ଦିଲ୍ଲୀପ ମିଶ୍ର ‘ନେସନ ବିଲ୍ଡର ଆୱାର୍ଡ’ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ।
ଚଳିତ ବର୍ଷ ସମ୍ବର୍ଦ୍ଧିତ ହୋଇଥିବା ଶିକ୍ଷକମାନେ ହେଲେ ଭାପୁର ବ୍ଲକର ଶ୍ରୀ କୁଳମଣି ବେହେରା, ଖଣ୍ଡପଡ଼ା ବ୍ଲକର ଶ୍ରୀ ଚିତ୍ତରଞ୍ଜନ ପଣ୍ଡା, ଗଣିଆ ବ୍ଲକର ଶ୍ରୀ କାଳିଚରଣ ଦଳବେହେରା, ନୂଆଗାଁ ବ୍ଲକର ଶ୍ରୀ ବିନାୟକ ପଣ୍ଡା, ରଣପୁର ବ୍ଲକର ଶ୍ରୀ ଚିତ୍ତରଞ୍ଜନ ଦାସ, ଓଡ଼ଗାଁ ବ୍ଲକର ଶ୍ରୀ ରମାକାନ୍ତ ପ୍ରଧାନ, ନୟାଗଡ଼ ବ୍ଲକର ସୁଶ୍ରୀ ସଙ୍ଗୀତା ସେଠୀ ଏବଂ ରଣପୁରର ବ୍ୟାଡମିଣ୍ଟନ ପ୍ରଶିକ୍ଷକ ଶ୍ରୀ ସୁନିଲ ନାହାକ।
ଅତିଥିମାନେ ସମସ୍ତ ସମ୍ମାନିତ ଶିକ୍ଷକଙ୍କୁ ଉତ୍ତରୀୟ, ପ୍ରମାଣପତ୍ର ଓ ସ୍ମୃତିଚିହ୍ନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଶିକ୍ଷକମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଛାତ୍ରଛାତ୍ରୀଙ୍କୁ କେବଳ ଶିକ୍ଷିତ ନୁହେଁ, ଜଣେ ଭଲ ମଣିଷ ଭାବେ ଗଢ଼ି ତୋଳିବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ। ରୋଟାରୀ କ୍ଲବ୍ ସଦସ୍ୟ ମାନେ ଆଜିର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମକୁ ରୋଟାରିଆନ ଅବିନାଶ ସାହୁ ସଂଯୋଜନା କରିଥିବା ବେଳେ ରୋଟାରିଆନ ଦେବାଶିଷ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ନୟାଗଡ଼ରେ ୮ଶିକ୍ଷକଙ୍କୁ ରୋଟାରୀ ନେସନ ବିଲ୍ଡର ସମ୍ମାନ
