ନୟାଗଡ଼,(ନୟାଗଡ଼ ଦର୍ପଣ): ସର୍ବଭାରତୀୟ ଆହ୍ୱାନ କ୍ରମେ ଟ୍ରେଡ୍ ୟୁନିଅନ ଓ କିଷାନ ମୋର୍ଚ୍ଚାର ମିଳିତ ମଞ୍ଚ ପକ୍ଷରୁ ସୋମବାର ନୟାଗଡ଼ରେ ଜେଲଭରୋ ଆନ୍ଦୋଳନ ଅନୁଷ୍ଠିତ ହୋଇଛି। ଶ୍ରମିକ ଓ କୃଷକଙ୍କ ବିଭିନ୍ନ ଦାବି ନେଇ ୫୦୦ରୁ ଊର୍ଦ୍ଧ୍ୱ କର୍ମୀ ଆଇନ ଅମାନ୍ୟ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗିରଫ ହୋଇଥିଲେ।
ଶ୍ରମିକ ବିରୋଧୀ ଶ୍ରମ କୋଡ୍ ବାତିଲ, ସର୍ବନିମ୍ନ ମଜୁରୀ ମାସିକ ୪୨ ହଜାର ଟଙ୍କାକୁ ବୃଦ୍ଧି, ଆଶା ଓ ପାଚିକାଙ୍କ ଭଳି ସ୍କିମ୍ ଶ୍ରମିକଙ୍କୁ ସରକାରୀ ମାନ୍ୟତା ସହ ପେନସନ୍ ସୁବିଧା ପ୍ରଦାନ, ସ୍ୱାମୀନାଥନ କମିସନଙ୍କ ସୁପାରିଶ ଅନୁଯାୟୀ ଫସଲର ଲାଭଜନକ ମୂଲ୍ୟ ପ୍ରଦାନ, କୃଷିଋଣ ଛାଡ଼, ଧାନମଣ୍ଡିରେ ସମସ୍ତ ଚାଷୀଙ୍କ ଧାନ ବିକ୍ରି ପ୍ରକ୍ରିୟା ସରଳୀକରଣ ଏବଂ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ୍ ଛାଡ଼ ଆଦି ଦାବି ଉଠାଯାଇଥିଲା।
ଏଥିସହ ମନରେଗାକୁ ପୁନର୍ବାର ପ୍ରଚଳନ କରି ଶ୍ରମିକଙ୍କୁ ବର୍ଷକୁ ୨୦୦ ଦିନର କାମ ଯୋଗାଇ ଦେବାକୁ ମଧ୍ୟ ଦାବି କରାଯାଇଥିଲା।

ଆନ୍ଦୋଳନକାରୀମାନେ ଏକ ବିଶାଳ ପଟୁଆରରେ ନୟାଗଡ଼ ବଜାର ପରିକ୍ରମା କରିବା ପରେ ସିଆଇଟିୟୁ ନେତା ଶରତଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଥିଲା।
ସଭାରେ ବରିଷ୍ଠ ଶ୍ରମିକ ନେତା ବିଶ୍ୱନାଥ ମହାପାତ୍ର କେନ୍ଦ୍ର ସରକାରଙ୍କ ଦରଦାମ ବୃଦ୍ଧି ନୀତି ଏବଂ ଶ୍ରମିକ-କୃଷକ ସ୍ୱାର୍ଥ ବିରୋଧୀ ଓ କର୍ପୋରେଟ୍ ସପକ୍ଷବାଦୀ ନୀତିକୁ ସମାଲୋଚନା କରିଥିଲେ। ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ସେ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ଆଇଏନଟିୟୁସି ରାଜ୍ୟ ନେତା ସତ୍ୟବ୍ରତ ନାୟକ, ଜିଲ୍ଲା ନେତା ଆଲୋକ ପ୍ରଧାନ, ଏଆଇଟିୟୁସି ନେତା ଅମୀୟ ପଟ୍ଟନାୟକ, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, ଆଶାକର୍ମୀ ନେତା ଚାପଧାରୀ ରାଉତ, କୃଷକସଭା ଜିଲ୍ଲା ସମ୍ପାଦକ ପବିତ୍ର ଇନ୍ଦ୍ରଜିତ, ପାଚିକା ନେତ୍ରୀ ଜୟନ୍ତୀ ଦାଶ, ଆଶା ଜିଲ୍ଲା ସମ୍ପାଦିକା ମଙ୍ଗୁଳି ରାଉତ, ଯୁବ ଫେଡେରେସନ୍ ରାଜ୍ୟ ନେତା ସରୋଜ ନାୟକ, ନାରୀ ନେତ୍ରୀ ଜ୍ୟୋତିପ୍ରଭା ଜେନା ଓ କ୍ଷେତମଜଦୁର ରାଜ୍ୟ ନେତା ନିତ୍ୟାନନ୍ଦ ପରିଡ଼ା ପ୍ରମୁଖ ଉଦ୍ବୋଧନ ଦେଇଥିଲେ।
ପରେ ଆନ୍ଦୋଳନକାରୀମାନେ ପୋଲିସ କର୍ଡନ୍ ଭାଙ୍ଗି ଆଇନ ଅମାନ୍ୟ କରିବାରୁ ପୋଲିସ ସେମାନଙ୍କୁ ଗିରଫ କରିଥିଲା। ପରବର୍ତ୍ତୀ ସମୟରେ ବ୍ୟକ୍ତିଗତ ମୁଚାଲିକାରେ ସତ୍ୟାଗ୍ରହୀମାନଙ୍କୁ ଥାନାରୁ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି।
