‘ଜୟ ଶ୍ରୀରାମ’ ଓ ‘ଜୟ ଜଗନ୍ନାଥ’ ଧ୍ୱନିରେ ମୁଖରିତ ହେଲା ସହର
ନୟାଗଡ଼,(ନୟାଗଡ଼ ଦର୍ପଣ): ଅଯୋଧ୍ୟା ଧାମର ପବିତ୍ର ମାଟି କଳସ ନୟାଗଡ଼ରେ ପହଞ୍ଚିବା ପରେ ରବିବାର ସହରରେ ଏକ ଆଧ୍ୟାତ୍ମିକ ଓ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା। ନୟାଗଡ଼ ସଦର ପୋଲିସ ଷ୍ଟେସନ ରୋଡ୍ରେ ନିର୍ମାଣ ହେବାକୁ ଥିବା ଭାରତୀୟ ଜନତା ପାର୍ଟିର ନୂତନ ପାର୍ଟି କାର୍ଯ୍ୟାଳୟର ଶୁଭାରମ୍ଭ ନିମନ୍ତେ ଅଯୋଧ୍ୟାରୁ ଏହି ପବିତ୍ର ମାଟି କଳସ ଅଣାଯାଇଥିବା ଜଣାପଡ଼ିଛି। ନୟାଗଡ଼ ଜଗନ୍ନାଥ ମନ୍ଦିରଠାରେ ପବିତ୍ର ମାଟି କଳସକୁ ପାରମ୍ପରିକ ରୀତିନୀତି ଓ ଶ୍ରଦ୍ଧାର ସହ ସ୍ୱାଗତ କରାଯାଇଥିଲା। ଏହାପରେ ମନ୍ଦିରଠାରୁ ପୁରୁଣା ରାଜବାଟୀସ୍ଥିତ ଭାଜପା କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଭବ୍ୟ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଭାଜପାର ରାଷ୍ଟ୍ରୀୟ ଓ ରାଜ୍ୟ ପରିଷଦ ସଦସ୍ୟା ତଥା ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ତାଙ୍କ ଉପସ୍ଥିତିରେ ଦଳର କାର୍ଯ୍ୟକର୍ତ୍ତାମାନେ ଶ୍ରଦ୍ଧା ଓ ଉତ୍ସାହର ସହ ଅଯୋଧ୍ୟାର ପବିତ୍ର ମାଟି କଳସକୁ ସ୍ୱାଗତ କରିଥିଲେ।

ଶୋଭାଯାତ୍ରାରେ ଦଳୀୟ ପଦାଧିକାରୀ, ନେତୃବୃନ୍ଦ, ମଣ୍ଡଳସ୍ତରୀୟ କାର୍ଯ୍ୟକର୍ତ୍ତା ଓ ବହୁ ସଂଖ୍ୟକ ଭାଜପା ସମର୍ଥକ ସାମିଲ ହୋଇଥିଲେ। ‘ଜୟ ଶ୍ରୀରାମ’ ଓ ‘ଜୟ ଜଗନ୍ନାଥ’ ଧ୍ୱନିରେ ସମଗ୍ର ପରିବେଶ ମୁଖରିତ ହୋଇଥିଲା। ଭାଜପା ନେତୃତ୍ୱଙ୍କ ମତରେ, ପ୍ରସ୍ତାବିତ ନୂତନ ପାର୍ଟି କାର୍ଯ୍ୟାଳୟ ନୟାଗଡ଼ରେ ଦଳର ସାଙ୍ଗଠନିକ କାର୍ଯ୍ୟକଳାପକୁ ଆହୁରି ସୁଦୃଢ଼ କରିବ। ଏହା କାର୍ଯ୍ୟକର୍ତ୍ତାଙ୍କ ସମନ୍ୱୟ, ବୈଠକ ଓ ବିଭିନ୍ନ ଜନସେବାମୂଳକ କାର୍ଯ୍ୟକ୍ରମର ଏକ ପ୍ରମୁଖ କେନ୍ଦ୍ର ଭାବେ କାର୍ଯ୍ୟ କରିବ। ଅଯୋଧ୍ୟା ଧାମରୁ ଆସିଥିବା ପବିତ୍ର ମାଟି କଳସକୁ ନୟାଗଡ଼ରେ ଏଭଳି ଭବ୍ୟ ସ୍ୱାଗତ କରାଯିବା ଘଟଣା ଦଳୀୟ କାର୍ଯ୍ୟକର୍ତ୍ତା ଓ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଥିଲା।
