‘ସୁଦୃଢ଼ ଗଣତନ୍ତ୍ର ଗଠନରେ ଯୁବପିଢ଼ିର ଦାୟିତ୍ୱ’ ଶୀର୍ଷକରେ ପ୍ରତିଯୋଗିତା
ନୟାଗଡ଼,(ନୟାଗଡ଼ ଦର୍ପଣ): ସୁଦୃଢ଼ ଗଣତନ୍ତ୍ର ଗଠନରେ ଯୁବପିଢ଼ିର ଦାୟିତ୍ୱ ଶୀର୍ଷକ ଏକ ତର୍କ ପ୍ରତିଯୋଗିତା ନୟାଗଡ଼ ରୋଟାରୀ କ୍ଲବ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଆଜି ଅନୁଷ୍ଠିତ ହୋଇଯାଇଛି। କ୍ଲବ୍ ସଭାପତି ବାସୁଦେବ ସାହୁ, ସମ୍ପାଦକ ଦିଲ୍ଲୀପ ମିଶ୍ର ଏବଂ କାର୍ଯ୍ୟକ୍ରମ ସଂଯୋଜକ ଅବିନାଶ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତର୍କ ପ୍ରତିଯୋଗିତାଟି ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ବିଚାରକ ଭାବେ ଶିକ୍ଷାବିତ୍ ମହମ୍ମଦ ଓମାର ମଲ୍ଲିକ, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଏବଂ କବି ଗୋପୀନାଥ ସେଠୀ ଯୋଗଦେଇ ପ୍ରତିଯୋଗିତାର ମୂଲ୍ୟାୟନ କରିଥିଲେ।
ନୟାଗଡ଼ର ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଅଷ୍ଟମରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଯୋଗଦେଇଥିଲେ। ଯୁବପିଢ଼ିର ଗଣତନ୍ତ୍ର ପ୍ରତି ଦାୟିତ୍ୱ, ନାଗରିକ ସଚେତନତା ଓ ଦେଶ ଗଠନରେ ଯୁବସମାଜର ଭୂମିକାକୁ ନେଇ ପ୍ରତିଯୋଗୀମାନଙ୍କ ଯୁକ୍ତି ଓ ତର୍କ ପ୍ରତିଯୋଗିତାକୁ ଅତ୍ୟନ୍ତ ରୋଚକ କରିଥିଲା। ଆସନ୍ତା ଅଗଷ୍ଟ ୧୫ ତାରିଖ ଅପରାହ୍ନରେ ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ ବୋଲି ରୋଟାରୀ କ୍ଲବ ସମ୍ପାଦକ ଦିଲ୍ଲୀପ ମିଶ୍ର ସୂଚନା ଦେଇଛନ୍ତି।କାର୍ଯ୍ୟକ୍ରମରେ ରୋଟାରୀ କ୍ଲବର ସଦସ୍ୟ ଜି. ରଶ୍ମିରାଜ, ମଦନ ମୋହନ ମହାପାତ୍ର, ଶ୍ରୀକୁମାର ରଥ, ଦେବାଶିଷ ପଟ୍ଟନାୟକ, ଲକ୍ଷ୍ମୀନାରାୟଣ ରଥ ଓ ଧୀରେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
