ନୟାଗଡ଼, (ନୟାଗଡ଼ ଦର୍ପଣ): ୧୨୨–ନୟାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ଖସଡ଼ା ଭୋଟର ତାଲିକା (SIR-୨୦୨୬)ରେ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କ ନାମ ଅନ୍ତର୍ଭୁକ୍ତିକୁ ନେଇ ଭାରତୀୟ ଜାତୀୟ କଂଗ୍ରେସର ବୁଥ୍ ଲେଭଲ୍ ଏଜେଣ୍ଟ (BLA-1) ଲକ୍ଷ୍ମୀଧର ତ୍ରିପାଠୀ ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ନିକଟରେ ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି।
ଅଭିଯୋଗରେ କୁହାଯାଇଛି ଯେ ବୁଥ୍ ନଂ–୮୫ର କ୍ରମିକ ନଂ–୨୯୭ (EPIC: RAU0029355)ରେ ଶ୍ରୀମତୀ ସିଂହଙ୍କ ନାମ ଅନ୍ତର୍ଭୁକ୍ତି ସମୟରେ ବିଶେଷ ସଘନ ସଂଶୋଧନ (SIR)-୨୦୨୬ ଅଧୀନରେ ନିର୍ଦ୍ଧାରିତ ଯାଞ୍ଚ ପ୍ରକ୍ରିୟା ସଠିକ୍ ଭାବେ ପାଳନ କରାଯାଇ ନଥିବା ସନ୍ଦେହ ରହିଛି। ଆବେଦନରେ ଦର୍ଶାଯାଇଛି ଯେ ତାଙ୍କ ନାମ ୨୦୦୨ ମସିହାର ରାଞ୍ଚି ଭୋଟର ତାଲିକାର “ମ୍ୟାପିଂ” ଆଧାରରେ ସାମିଲ କରାଯାଇଥିବା କୁହାଯାଉଥିଲେ ମଧ୍ୟ, ସେହି ସମୟରେ ସେ ପ୍ରକୃତରେ ଭୋଟର ଥିଲେ କି ନାହିଁ ଏବଂ ତାଙ୍କର ପ୍ରଥମ ଭୋଟର ପଞ୍ଜୀକରଣ କେବେ ହୋଇଥିଲା, ତାହାର ଆବଶ୍ୟକୀୟ ଯାଞ୍ଚ କରାଯାଇ ନଥିବା ଦାବି କରାଯାଇଛି।
ଅଭିଯୋଗକାରୀଙ୍କ କହିବା ଅନୁଯାୟୀ, ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କ ବିବାହ ସେପ୍ଟେମ୍ବର ୨୦୦୨ରେ ରାଞ୍ଚିରେ ପଞ୍ଜୀକୃତ ହୋଇଥିଲା। ତେଣୁ ତାଙ୍କର ପ୍ରଥମ ଭୋଟର ପଞ୍ଜୀକରଣ କେବେ ହୋଇଥିଲା, ସେହି ବିଷୟର ସତ୍ୟତା ଯାଞ୍ଚ କରିବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି। ସେହିପରି ୨୦୦୨ ମସିହାରେ ନୟାଗଡ଼ ବିଧାନସଭା ଆସନର ଭୋଟର ତାଲିକାରେ ତାଙ୍କ ନାମ ନଥିବା କଥା ମଧ୍ୟ ଆବେଦନରେ ଉଲ୍ଲେଖ କରାଯାଇଛି। ଆବେଦନରେ ରାଞ୍ଚିର ସମ୍ପୃକ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ଠାରୁ ତାଙ୍କ ପ୍ରଥମ ପଞ୍ଜୀକରଣ, ସହାୟକ ଦସ୍ତାବିଜ ଓ ମ୍ୟାପିଂ ପ୍ରକ୍ରିୟାର ସତ୍ୟାପନ କରିବା ସହ ଆବଶ୍ୟକ ହେଲେ ସମ୍ପୃକ୍ତ BLO ଓ ସୁପରଭାଇଜରଙ୍କ ଭୂମିକା ମଧ୍ୟ ଯାଞ୍ଚ କରିବାକୁ ଦାବି କରାଯାଇଛି। ଏହି ଅଭିଯୋଗ ସମ୍ପର୍କରେ ନିର୍ବାଚନ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ଅଭିଯୋଗର ସତ୍ୟତା ଓ ଏଥିରେ ଉଠାଯାଇଥିବା ଦାବିଗୁଡ଼ିକର ଯାଞ୍ଚ ସମ୍ପୃକ୍ତ ନିର୍ବାଚନ କର୍ତ୍ତୃପକ୍ଷଙ୍କ ଅଧୀନରେ ରହିଛି।
ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କ ଭୋଟର ତାଲିକା ଅନ୍ତର୍ଭୁକ୍ତିକୁ ନେଇ ଅଭିଯୋଗ, ଉପଜିଲ୍ଲାପାଳଙ୍କ ନିକଟରେ କଂଗ୍ରେସର ଫେରାଦ
