ସେବା ମହୋତ୍ସବ ଉଦଯାପିତ, ମନମୋହିଲା ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ସହ ସାଂସ୍କୃତିକ କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସେବା ଉତ୍ସବ ସମିତି ପକ୍ଷରୁ ଦଶମ ଜିଲ୍ଲା ବ୍ୟାପି ସେବା ମହୋତ୍ସବ କାର୍ଯ୍ୟକ୍ରମ ସୋମବାର ଉଦଯାପିତ ହୋଇଯାଇଛି ।  ଉଦଯାପନୀ ଦିବସରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ସହ ସାଂସ୍କୃତିକ କାର୍ଯ୍ୟକ୍ରମ  ନୟାଗଡ଼ ସହରରେ ଦେଶତ୍ମାବୋଧର  ନିଆରା ପରିବେଷ ସୃଷ୍ଟି କରିଥିଲା। ଗତ ପନ୍ଦର ଦିନ ଧରି ଜିଲ୍ଲା ର ପ୍ରତ୍ୟେକ ବ୍ଲକ୍ ରେ ବସ୍ତ୍ରଦାନ, ଚପଲ ବଣ୍ଟନ, ମାଗଣା ସ୍ବାସ୍ଥ୍ୟ ଶିବିର, ଚଷମା ବଣ୍ଟନ, ଅର୍ଥ ଦାନ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ସେବା ଭିତ୍ତିକ କାର୍ଯ୍ୟକ୍ରମ ହୋଇଥିଲା। ସୋମବାର ଜିଲ୍ଲାବ୍ୟାପି ସେବା ମହୋତ୍ସବର ଉଦଯାପନୀ ଅବସରରେ ନୟାଗଡ଼ ସ୍ୱୟଂଶାସିତ କଲେଜ ଠାରୁ ପଠାଣି ସାମନ୍ତ ଅଡିଟରିଅମ ପର୍ଯ୍ୟନ୍ତ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ପରେ ନୟାଗଡ଼ ସ୍ଥିତ ପଠାଣି ସାମନ୍ତ ଅଡିଟୋରିଅମ ଠାରେ ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା।

ଉଦଯାପନୀ ସଭାରେ ସେବା ଉତ୍ସବର ଅଧ୍ୟକ୍ଷ ଶିବରାମ ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ, ସମ୍ମାନିତ ଅତିଥି ଭାବେ ନୟାଗଡ଼ ପୌରାଧ୍ୟକ୍ଷା ନିରୁପମା ଖଟେଇ,ରଣପୁର ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା, ରାଜସୁନାଖଳା ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ, ନୂଆଗାଁ ବ୍ଲକ ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ, ନୟାଗଡ଼ ବ୍ଲକ୍ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ସେବା ଉତ୍ସବ ସମିତି ଉପଦେଷ୍ଟା ସନ୍ତୋଷ ପ୍ରଧାନ, ବଂଶୀଧର ସାହୁ, ସେବା ଉତ୍ସବର ପରିଷ୍ଠାତା ସଦସ୍ୟ ଯୁବ ସମାଜସେବୀ ଚନ୍ଦନ ସାହୁ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଗୋପୀନାଥ ସେଠି ସଂଚାଳନ କରିଥିଲେ। ସେବା ଓ ଦାନର ନୂଆ ପରମ୍ପରା ସୃଷ୍ଟି କରିବା ସହ ଜିଲ୍ଲାର ଯୁବପିଢ଼ିଙ୍କୁ ସେବା ଧର୍ମରେ ବ୍ରତୀ କରିବାରେ ସେବା ମହୋତ୍ସବର ପ୍ରୟାସ ପ୍ରଶଂସନୀୟ ବୋଲି ଅତିଥି ମାନେ ମତ ରଖିଥିଲେ।

ଏହି ଅବସରରେ ଜିଲ୍ଲାର ବିଭିର୍ଣ୍ଣ ବ୍ଲକର ସ୍ବେଛାସେବୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହାଭାଗିତାରେ ମାଲଖମ୍ବ, ଗୋଟିପୁଅ, ସମ୍ବଲପୁରୀ ନୃତ୍ୟ ଓ ପାଇକ ଆଖଡ଼ା ଆଦି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦର୍ଶକ ମନେ ଉପଭୋଗ କରିଥିଲେ। ଆଜିର କାର୍ଯ୍ୟକ୍ରମକୁ ସେବା ଉତ୍ସବ ସମିତି ସଦସ୍ୟ ସୋମ୍ୟା ସ୍ୱୟଂ ପ୍ରଭା, ବର୍ଷା ପ୍ରିୟଦର୍ଶିନୀ,ଆଦିତ୍ୟ ପାଳ, ପରମେଶ୍ୱର ସାହୁ, ଉମାକାନ୍ତ ମହାପାତ୍ର, ପ୍ରଭୁଦତ୍ତ ପ୍ରଧାନ, ଆଶୁତୋଷ ସାହୁ, ବିକ୍ରମ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ।

Related posts