ନୟାଗଡ଼ରେ ଜିଲ୍ଲାସ୍ତରୀୟ ପିଏମ ସ୍ୱ-ନିଧି ମହୋତ୍ସବ

ସହରାଞ୍ଚଳର ସମୃଦ୍ଧିରେ କ୍ଷୁଦ୍ର ବ୍ୟବସାୟୀଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ : ଜିଲ୍ଲାପାଳ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା (ଡୁଡା) ଓ ନୟାଗଡ଼ ପୌର ପରିଷଦର ମିଳିତ ଆୟୋଜନରେ ଆଜି ପଠାଣି ସାମନ୍ତ ସଂସ୍କୃତି ଭବନରେ ପିଏମ ସ୍ୱ-ନିଧି ଯୋଜନାର ୬ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲାସ୍ତରୀୟ ମହୋତ୍ସବ ଉତ୍ସାହ ଓ ଆଡମ୍ବରର ସହିତ ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ମଧୁମିତା ରଥ ଯୋଗଦେଇ କହିଥିଲେ ଯେ, ସହରାଞ୍ଚଳର ଅର୍ଥନୈତିକ ବିକାଶ ଓ ସମୃଦ୍ଧିରେ କ୍ଷୁଦ୍ର ବ୍ୟବସାୟୀମାନଙ୍କ ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ପିଏମ ସ୍ୱ-ନିଧି ଯୋଜନା ସେମାନଙ୍କୁ ସ୍ୱାବଲମ୍ବୀ କରିବା ସହ ଆର୍ଥିକ ସୁରକ୍ଷା ଯୋଗାଇବାରେ ଫଳପ୍ରଦ ହୋଇଛି।

ସମ୍ମାନିତ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁ ଯୋଗଦେଇ କହିଥିଲେ ଯେ, କ୍ଷୁଦ୍ର ବ୍ୟବସାୟୀଙ୍କ ସ୍ଥାୟୀ ଜୀବିକା ସୁନିଶ୍ଚିତ କରିବା ଆମ ସମସ୍ତଙ୍କର ଦାୟିତ୍ୱ। ସରକାରଙ୍କ ଋଣ ସହାୟତା ଯୋଜନା ସେମାନଙ୍କ ଆର୍ଥିକ ଉନ୍ନତି ସହ ପରିବାରର ଜୀବନଯାପନରେ ସକାରାତ୍ମକ ପରିବର୍ତ୍ତନ ଆଣୁଛି।

ନୟାଗଡ଼ ପୌରାଧ୍ୟକ୍ଷା ନିରୂପମା ଖଟେଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମହୋତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଡୁଡା ନିର୍ଦ୍ଦେଶକ ଲଗ୍ନଜିତ ରାଉତ, ଉପ-ଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପରିଚାଳକ ପ୍ରକାଶ କୁମାର ସାହୁଙ୍କ ସମେତ ଖଣ୍ଡପଡା, ରଣପୁର, ଦଶପଲ୍ଲା ଓ ଓଡ଼ଗାଁ ସହରାଞ୍ଚଳର ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ସମସ୍ତ ଏନଏସି ଓ ପୌର ପରିଷଦର ଉପାଧ୍ୟକ୍ଷ, କାଉନସିଲର ଓ କର୍ମଚାରୀମାନେ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ଜିଲ୍ଲାର ପାଞ୍ଚଟି ସହରାଞ୍ଚଳରୁ ପ୍ରାୟ ୬୦୦ ଜଣ କ୍ଷୁଦ୍ର ବ୍ୟବସାୟୀ ଏହି ମହୋତ୍ସବରେ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୬୮ଜଣ ହିତାଧିକାରୀଙ୍କୁ ଋଣ ସହାୟତା ପ୍ରଦାନ କରାଯାଇଥିବା ବେଳେ, ଉନ୍ନତମାନର ଖାଦ୍ୟ ସାମଗ୍ରୀ ବିକ୍ରୟ କରୁଥିବା କିଛି କ୍ଷୁଦ୍ର ବ୍ୟବସାୟୀଙ୍କୁ ମାନପତ୍ର ସହ ସମ୍ମାନିତ କରାଯାଇଥିଲା।

ଏହି ଅବସରରେ ରଣପୁର ବ୍ଲକର ରାଜସୁନାଖଳା ଓ ଚାନ୍ଦପୁର ପଞ୍ଚାୟତକୁ ନୂତନ ଭାବେ ପିଏମ ସ୍ୱ-ନିଧି ଯୋଜନାରେ ସାମିଲ କରାଯାଇଥିବା ଘୋଷଣା କରାଯାଇଥିଲା।

କାର୍ଯ୍ୟକ୍ରମକୁ ନୟାଗଡ଼ ପୌର ପରିଷଦର ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ ପରିଚାଳନା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ସଂଯୋଜନା କରିଥିଲେ। ବକ୍ତାମାନେ ପିଏମ ସ୍ୱ-ନିଧି ଯୋଜନାକୁ କ୍ଷୁଦ୍ର ବ୍ୟବସାୟୀଙ୍କ ସଶକ୍ତିକରଣ, ସ୍ୱାବଲମ୍ବନ ଓ ସହରାଞ୍ଚଳର ଅର୍ଥନୈତିକ ବିକାଶ ଦିଗରେ ସରକାରଙ୍କ ଏକ ମାଇଲଖୁଣ୍ଟ ପଦକ୍ଷେପ ବୋଲି ମତ ପ୍ରକାଶ କରିଥିଲେ।

Related posts