ଲଡୁବାବାଙ୍କ ପୀଠରେ ଶୀତଳ ଷଷ୍ଠୀ : ଦେବଦମ୍ପତିଙ୍କ ନଗର ପରିକ୍ରମା,
ଆଶୀର୍ବାଦ ପାଇଁ ୧୬ଶମ୍ଭୁଙ୍କ ମିଳନ

ଶରଣକୁଳ,(ନୟାଗଡ଼ ଦର୍ପଣ): ଶୈବ ଓ ବୈଷ୍ଣବ ଧର୍ମର ସମ୍ମିଳିତ ପ୍ରସିଦ୍ଧ କ୍ଷେତ୍ର ଶରଣକୁଳ ଲଡୁବାବାଙ୍କ ପୀଠରେ ଶୀତଳଷଷ୍ଠୀ ମହା ସମାରୋହରେ ପାଳିତ ହୋଇଯାଇଛି। ଗୁରୁବାର ଦିନ ଶିବ ବିବାହ ପରେ ଦେବଦମ୍ପତିଙ୍କ ନଗର ପରିକ୍ରମା ଲାଗି ଲଡୁବାବାଙ୍କ ନିମନ୍ତ୍ରଣ ପାଇ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଶରଣକୁଳ ଅଂଚଳର ବିଭିନ୍ନ ଗ୍ରାମରେ ଥିବା ଠାକୁର ମାନେ ଲଡୁବାବାଙ୍କ ମନ୍ଦିରରେ ଏକତ୍ରିତ ହୋଇ ମେଳଣ ପର୍ବ ଅନୁଷ୍ଠିତ ହୋଇଥିଲା। ମନ୍ଦିରରେ ସମସ୍ତ ଠାକୁରଙ୍କୁ ପୂଜା ଅର୍ଚ୍ଚନା କରିବା ପରେ ଲଡୁବାବାଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର, ମା ପାର୍ବତୀ, ଗୋପୀନାଥ, ଲଷ୍ମୀ ନାରାୟଣ, ଶ୍ରୀ ରଘୁନାଥ, ଜୟଦୁର୍ଗା, ଦଧିବାମନ, ମା ବିରଜାଇ, ମା ରାମଚଣ୍ଡୀ , ମା ନାରାୟଣୀ,ସନୃସିଂହନାଥ , ମା ସନ୍ତୋଷୀ, ଦୁର୍ଗା , ଅର୍ଦ୍ଧନାରୀଶ୍ୱର , ରାଧାକୃଷ୍ଣ ଓ ଉମା ମହେଶ୍ୱର ଶୋହଳଟି ବିମାନରେ ଉପବେଶନ କରି ମନ୍ଦିରର ସିଂହଦ୍ୱାର ସମ୍ମୁଖରେ ଏକତ୍ରିତ ହୋଇଥିଲେ। ସେଠାରେ ଉପସ୍ଥିତ ହଜାର ହଜାର ଭକ୍ତଙ୍କ ଗହଣରେ ଠାକୁର ମାନଙ୍କୁ ସମୂହ ଆଳତି କରାଯାଇ ଢୋଲ,ଘଣ୍ଟ, କାହାଳି, ଛତି, ତ୍ରାସ, ମଶାଲ, ଦୁଲଦୁଲିବାଜା,ଆକର୍ଷଣୀୟ ପଟୁଆରରେ ଶୀତଳଷଷ୍ଠୀ ଯାତ୍ରା ପଡ଼ିଆକୁ ନିଆଯାଇଥିଲା।ସେଠାରେ ଏକ ଆକର୍ଷଣୀୟ ଆତସବାଦୀ ପ୍ରଦର୍ଶନୀ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଶନିବାର ସକାଳେ ପୂଜା ମଣ୍ଡପରେ ଠାକୁରଙ୍କ ସକାଳ ଅବକାଶ ନୀତି ସହିତ ଶୋଡ଼ଷ ଉପଚାର ସ୍ୱତନ୍ତ ପୂଜାର୍ଚନା , ଆଳତି ସମାପନ କରା ଯାଇଥିଲା । ପରେ ପରେ ସମସ୍ତ ଠାକୁର ମାନେ ଭିକାରୀପଡା ବ୍ରାହ୍ମଣ ଶାସନକୁ ଭୋଗ ଲାଗି ପାଇଁ ଯାଇଥିଲେ ।ସେଠାରେ ଥିବା ଭୋଗ ମଣ୍ଡପ ରେ ଠାକୁର ମାନଙ୍କୁ ପୁନର୍ବାର ଷୋଡଶ ଉପଚାରରେ ପୂଜାର୍ଚନା ଓ ଆଳତି କରାଯିବା ପରେ ଠାକୁର ମାନେ ଚାଚେରା ଭୋଗ ଲାଗି ହୋଇ ମନ୍ଦିରକୁ ପ୍ରତ୍ୟାବର୍ତନ କରିଥିଲେ ।ମନ୍ଦିର ରେ ସମସ୍ତ ଠlକୁର ଙ୍କୁ ସ୍ୱତନ୍ତ୍ର ଭୋଗ ଲାଗି ଓ ଆଳତି ପରେ ଦେବଦମ୍ପତୀ ଙ୍କୁ ଆଶିର୍ବାଦ ପ୍ରଦାନ କରି ସମସ୍ତ ଠକୁର ନିଜ ନିଜ ମନ୍ଦିର କୁ ପ୍ରତ୍ୟାବର୍ତନ କରିଥିଲେ । ଚନ୍ଦ୍ରଶେଖର, ମା ପାର୍ବତୀ ଏବଂ ପାର୍ଶ୍ଵ ଦେବା ଦେବୀ ରତ୍ନ ସିଂହାସନ କୁ ବିଜେ ପରେ ଠାକୁର ଙ୍କ ସକାଳ ର ସମସ୍ତ ନୀତି ଓ ଧୂପ କରାଯାଇ ପହୁଡ଼ ପଡ଼ିଥିଲା ।ମନ୍ଦିର ପ୍ରଶାସନ ପକ୍ଷରୁ ଏହି ଯାତ୍ରାର ସମସ୍ତ ବ୍ୟବସ୍ଥା କରାଯାଇଥିଲା l ହଜାର ହଜାର ଜନ ସମାଗମ ହେଉଥିବାରୁ ଦେବୋତ୍ତର ମ୍ୟାନେଜର ତାପସ ରଞ୍ଜନ ପଟ୍ଟନାୟକ, ମନ୍ଦିର ପରିଚାଳକ ସୁବାସ ଚନ୍ଦ୍ର ବରାଡ଼ ଙ୍କ ସହିତ ମନ୍ଦିର ପରିଛା ତୋଷବନ୍ତ କର, ପୂଜାପଣ୍ଡ। ଗୋଲକ ବିହାରୀ ବଡ଼ପଣ୍ଡା, ସୁନୀଲ କୁମାର ବଡ଼ପଣ୍ଡା, ଆଶିଷ କୁମାର ମହାପାତ୍ର, ଶିବ ପ୍ରସାଦ ପୁଷ୍ପପାଳକ, ସୁଆର ସେବାୟତ ସଞ୍ଜୟ କୁମାର ମହାପାତ୍ର, ପ୍ରତିହାରୀ ସେବାୟତ ପିଙ୍କୁ ପ୍ରତିହାରୀ, ମାଳି ସେବାୟତ ରବିନ୍ଦ୍ର କୁମାର ମହାପାତ୍ର,କେଶୁ ମହାପାତ୍ର ଙ୍କ ସହିତ ସମସ୍ତ ସେବାୟତ ମାନେ ସହଯୋଗ କରିଥିଲେ l ପ୍ରବଳ ଜନ ସମାଗମ ପାଇଁ ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳାର ବ୍ୟବସ୍ଥା କରାଯାଇଥିଲା l ପ୍ରଭାତ କୁମାର ମହାପାତ୍ର, ମିଲା ମହାପାତ୍ର, ଲକ୍ଷ୍ମୀଧର ଦାସ,ମନୋରଞ୍ଜନ ମହାପାତ୍ର , ଅଜୟ ସ୍ୱାଇଁ ପ୍ରମୁଖ ଶୀତଳ ଷଷ୍ଠୀ ଯାତ୍ରା ପରିଚାଳନା ରେ ସହଯୋଗ କରିଥିଲେ l ଅନ୍ୟପକ୍ଷେ ପ୍ରତିବର୍ଷ ପରି ଚଳିତ ବର୍ଷ ଶରଣକୁଳ ଭାଗବତ ଆଶ୍ରମ ପକ୍ଷ ରୁ ମନ୍ଦିର ବେଢା ପଞ୍ଚମୁଖୀ ହନୁମାନ ଙ୍କ ସମ୍ମୁଖରେ ହନୁମାନ ଚାଳିଶା,ଅଖଣ୍ଡ ପାରାୟଣ ପଠନ , ଓ ନାମ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ବିଭିନ୍ନ ଆଶ୍ରମ ରୁ ସାଧୁସନ୍ଥ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ l

Related posts