ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା: ରେଳରୋକ ଉଦ୍ୟମ ପଣ୍ଡ

କମ ବଗି ଯୋଗୁଁ ନିୟମିତ ଯାତ୍ରୀ ହନ୍ତସନ୍ତ; କଟକ ପର୍ଯ୍ୟନ୍ତ ‘ସେବା ଏକ୍ସପ୍ରେସ’ର ସମ୍ପ୍ରସାରଣ ଦାବି


ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାକୁ ୨୦୧୭ ମସିହାରୁ ରେଳ ସେବା ଆରମ୍ଭ ହୋଇଥିଲେ ହେଁ ଯାତ୍ରୀମାନଙ୍କୁ ସର୍ବନିମ୍ନ ସୁବିଧା ସୁଯୋଗ ଯୋଗାଇବାରେ ପୂର୍ବତଟ ରେଳବାଇ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଫଳରେ ଦିନକୁ ଦିନ ରେଳ ଯାତ୍ରୀଙ୍କ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ଦଶପଲ୍ଲା, ନୂଆଗାଁ ଓ ନୟାଗଡ଼ ଅଞ୍ଚଳରୁ ଖୋର୍ଦ୍ଧା, ଭୁବନେଶ୍ୱର ଏବଂ କଟକ ଆଦି ସ୍ଥାନକୁ ପ୍ରତିଦିନ ଯା’ଆସ କରୁଥିବା ମାସିକିଆ ଟିକେଟଧାରୀ ଚାକିରିଆ ଓ ନିୟମିତ ଯାତ୍ରୀମାନେ ଚରମ ହଇରାଣ ହେଉଛନ୍ତି। ଦଶପଲ୍ଲାରୁ ଭୁବନେଶ୍ୱର ଚଳାଚଳ କରୁଥିବା ‘ସେବା ଏକ୍ସପ୍ରେସ’ ରେ ଯାତ୍ରୀ ସଂଖ୍ୟା ତୁଳନାରେ ବଗି ସଂଖ୍ୟା ଅତ୍ୟନ୍ତ କମ୍ ରହୁଥିବାରୁ ପ୍ରବଳ ଭିଡ଼ ଯୋଗୁଁ ଯାତ୍ରୀଙ୍କୁ ବସିବା ପାଇଁ ଖଣ୍ଡେ ସିଟ୍ ମଧ୍ୟ ମିଳୁନାହିଁ। ଅନ୍ୟପକ୍ଷରେ, ଟ୍ରେନରେ ନିୟମିତ ଟିକେଟ୍ ଯାଞ୍ଚ ହେଉ ନଥିବାରୁ ବିନା ଟିକେଟଧାରୀଙ୍କ ପ୍ରାଦୁର୍ଭାବ ବଢ଼ିଚାଲିଛି। ଏହି ଅଣ-ଟିକେଟଧାରୀ ଯାତ୍ରୀମାନେ ଜବରଦସ୍ତ ସିଟ୍ ଅକ୍ତିଆର କରି ବସୁଥିବାରୁ ବୈଧ ଟିକେଟ୍ ଧରି ଯାତ୍ରା କରୁଥିବା ନିୟମିତ ଯାତ୍ରୀମାନେ ଠିଆ ଠିଆ ଯିବାକୁ ବାଧ୍ୟ ହେଉଛନ୍ତି।

ଜିଲ୍ଲାରୁ ପ୍ରତିଦିନ ଶତାଧିକ ରୋଗୀ, ଆଇନଜୀବୀ ଓ ବ୍ୟବସାୟୀ କଟକ ବଡ଼ ମେଡିକାଲ କଲେଜ, ଉଚ୍ଚ ନ୍ୟାୟାଳୟ ଏବଂ ବାଣିଜ୍ୟିକ କାରବାର ପାଇଁ କଟକ ଯାଇଥାନ୍ତି। ତେଣୁ ସେବା ଏକ୍ସପ୍ରେସକୁ ଭୁବନେଶ୍ୱର ପରିବର୍ତ୍ତେ ରାଜ୍ୟର ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର କଟକ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ଦୀର୍ଘ ଦିନରୁ ଦାବି ହୋଇଆସୁଛି। ଏସବୁ ସମସ୍ୟା ନେଇ ‘ନୟାଗଡ଼ ନାଗରିକ ମଞ୍ଚ’ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ବାରମ୍ବାର ରେଳ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କର୍ତ୍ତୃପକ୍ଷ ନିଦାବିଷ୍ଣୁ ସାଜି ଚୁପ୍ ବସିଛନ୍ତି। ରେଳ କର୍ତ୍ତୃପକ୍ଷଙ୍କ ଏଭଳି ଉଦାସୀନତା ପ୍ରତିବାଦରେ ନିୟମିତ ଯାତ୍ରୀ ଓ ସ୍ଥାନୀୟ ଜନସାଧାରଣ ପୂର୍ବ ସୂଚନା ମୁତାବକ ଆଜି ନୟାଗଡ଼ ଟାଉନ ରେଳ ଷ୍ଟେସନରେ ବିକ୍ଷୋଭ ପ୍ରଦର୍ଶନ ସହ ରେଳରୋକ କରିବାକୁ ସ୍ଥିର କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଷ୍ଟେସନ ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଆନ୍ଦୋଳନକାରୀମାନେ ଷ୍ଟେସନ ମଧ୍ୟକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ସେମାନଙ୍କୁ ବାହାରେ ଅଟକାଇ ଦେଇଥିଲା।

ଏହାକୁ କେନ୍ଦ୍ର କରି ପୋଲିସ ଓ ଉତ୍ତ୍ୟକ୍ତ ଯାତ୍ରୀଙ୍କ ମଧ୍ୟରେ ବେଶ୍ କିଛି ସମୟ ଧରି ଧସ୍ତାଧସ୍ତି ଓ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସର କଡ଼ା ପ୍ରତିରୋଧ ଯୋଗୁଁ ଆଜିର ରେଳରୋକ ଉଦ୍ୟମ ପଣ୍ଡ ହୋଇଥିବା ବେଳେ ଆନ୍ଦୋଳନକାରୀମାନେ ସେଠାରୁ ଫେରିଯାଇଛନ୍ତି। ମାତ୍ର ଆଗାମୀ ଦିନରେ ଅଧିକ ପ୍ରସ୍ତୁତି ସହ ଜିଲ୍ଲାବ୍ୟାପୀ ବଡ଼ଧରଣର ଜୋରଦାର ଆନ୍ଦୋଳନ କରାଯିବ ବୋଲି ନୟାଗଡ଼ ନାଗରିକ ମଞ୍ଚ ଓ ନିୟମିତ ଯାତ୍ରୀ ସଂଘ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି।

Related posts