ମଡେଲ ଡିଗ୍ରୀ କଲେଜରେ ଦିନିକିଆ ଜିଲ୍ଲାସ୍ତରୀୟ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜାତୀୟ ଯୁବ ରେଡକ୍ରସ ସଂସ୍ଥା ଓ ମଡେଲ ଡିଗ୍ରୀ କଲେଜ ଆନୁକୂଲ୍ୟରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରକ୍ତହୀନତା ପ୍ରଭାବ ଆକଳନ ନିମନ୍ତେ ହେମୋଗ୍ଲୋବିନର ମାତ୍ରା ନିର୍ଣ୍ଣୟ ଉଦ୍ଦେଶ୍ୟରେ ଏକ ଦିନିଆ ଜିଲ୍ଲାସ୍ତରୀୟ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିରରେ ଜିଲ୍ଲାର ୧୨ଗୋଟି ମହାବିଦ୍ୟାଳୟରୁ ପାଖାପାଖି ୩୫୦ଛାତ୍ରୀ ଅଂଶଗ୍ରହଣ କରି ନିଜ ରକ୍ତ ନମୁନା ପରୀକ୍ଷା କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଶିବିରକୁ ଓଡ଼ିଶା ରାଜ୍ୟ ରେଡକ୍ରସ ମୁଖ୍ୟ ଗଣେଶ ଚନ୍ଦ୍ର ପାତ୍ର ଉଦଘାଟନ କରିଥିବା ବେଳେ ପଦ୍ମଶ୍ରୀ ବିଜେତା ସାବରମତୀ ରକ୍ତହୀନତା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।

ରାଜଧାନୀ ମହାବିଦ୍ୟାଳୟ, ଭୁବନେଶ୍ବରର ସହକାରୀ ପ୍ରଫେସର ଡକ୍ଟର ବନ୍ଦିତା ରଥ ବୈଷୟିକ ଅଧିବେଶନରେ ରକ୍ତହୀନତାର ବୈଜ୍ଞାନିକ କାରଣ ଏବଂ ଏହାର ନିରାକାରଣ ବିଷୟରେ ସବିଶେଷ ଆଲୋଚନା କରିଥିଲେ। ଯୁବ ରେଡକ୍ରସ ଅଧିକାରୀ ବିଜୟିନୀ ଶୁଭଦର୍ଶିନୀ ଓ ଡକ୍ଟର ସୁନୀଲ ଚନ୍ଦ୍ର ପ୍ରଧାନଙ୍କ ତତ୍ତ୍ବାବଧାନରେ ଏହି ଶିବିର ପରିଚାଳିତ ହୋଇଥିଲା। ଦୀପିକା ରାଣୀ ତୁରୁକ ମଞ୍ଚ ପରିଚାଳନା କରିଥିବା ବେଳେ ଉଦଯାପନୀ ଅଧିବେଶନରେ ସହକାରୀ ପ୍ରଫେସର ଗୌରମୋହନ ସାହୁ ମୁଖ୍ୟ ଅତିଥି ଭାବେ ପୁରସ୍କାର ବିତରଣ କରିଥିଲେ। ଏହି ଶିବିରରେ ପୋଷ୍ଟର ଓ ସଙ୍ଗୀତ ପ୍ରତିଯୋଗିତା କରାଯାଇ ବିଜୟୀ ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ମହାବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ସହଯୋଗରେ ଶିବିର ପରିଚାଳିତ ହୋଇଥିବା ବେଳେ ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ଛାତ୍ରୀମାନେ କାର୍ଯ୍ୟକ୍ରମକୁ ବେଶ ଉପଭୋଗ କରିଥିବା ପରିଲକ୍ଷିତ ହୋଇଥିଲା।

Related posts