ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ନୟାଗଡ଼ ସେବା ଉତ୍ସବ ସମିତି ପକ୍ଷରୁ ଜାତୀୟ ଯୁବ ଦିବସ ଅବସରରେ ମିନି ମାରାଥନ ଓ ଯୁବ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସକାଳୁ ସକାଳୁ ବିଭିନ୍ନ ଶିକ୍ଷାନୁଷ୍ଠାନର ଏକ ହଜାରରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଓ ଜିଲ୍ଲାର ଅଗ୍ରଣୀ ଯୁବ ସଂଗଠନର ଯୁବକ ଯୁବତୀ ମାନେ ନୟାଗଡ଼ ଦୁର୍ଗାପ୍ରସାଦ ଠାରୁ ବାହାରି ପ୍ରାୟ ଚାରି କିମି ମାରାଥନରେ ଅଂଶଗ୍ରହଣ କରି ନୟାଗଡ଼ ଜଗନ୍ନାଥ ମନ୍ଦିର ନିକଟରେ ପହଂଚିଥିଲେ।
ସବୁଜ ପୃଥିବୀ ଯିବା ଆଗରୁ ଆମକୁ ସବୁଜିମାମୟ ପୃଥବି ଗଢ଼ିବା ବାର୍ତା ନେଇ ଏହି ମାରାଥନ ଅନୁଷ୍ଠିତ ହୋଇଥିଲା। ଏହି ମାରାଥନକୁ ସକାଳେ ମୁଖ୍ୟ ଅତିଥି ଭାବେ ରାଜ୍ୟର ଅତିରିକ୍ତ ପୋଲିସ ଡିଜି ସଂଜୀବ ପଣ୍ଡା ଯୋଗଦେଇ ସବୁଜ ପତାକା ଦେଖାଇ ମାରାଥନର ଶୁଭାରମ୍ଭ କରିଥିଲେ। ଏହାପରେ ନୟାଗଡ଼ ଜଗନ୍ନାଥ ମନ୍ଦିର ସ୍ଥିତ କବି ଯଦୁମଣି ମଣ୍ଡପ ଠାରେ ଯୁବ ଦିବସ ପାଳିତ ହୋଇଥିଲା।

ଏଥିରେ ସେବା ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଅତିରିକ୍ତ ପୋଲିସ ଡିଜି ସଂଜୀବ ପଣ୍ଡା, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡ, ସାମାଜିକ କର୍ମୀ ସନ୍ତୋଷ ପ୍ରଧାନ, ଯୁବଉଦ୍ୟୋଗୀ ଚନ୍ଦନ କୁମାର ସାହୁ, ସୁନାଖଳା ସରପଞ୍ଚ ଚିତ୍ତରଂଜନ ପ୍ରଧାନ,ସାମାଜିକ କର୍ମୀ ବିଜୟ ପଣ୍ଡା, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଅଜନ୍ତା ସୁଜ ରାଜ୍ୟ ମୁଖ୍ୟ ଅମରେଶ ପ୍ରସାଦ ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ। ସଭାକୁ ଯୁବ ସାମ୍ବାଦିକ ଜୟନ୍ଦ୍ର ବେହେରା ପରିଚାଳନା କରିଥିଲେ।

କାର୍ଯ୍ୟକ୍ରମରେ ବିବେକାନନ୍ଦଙ୍କ ଆଦର୍ଶରେ ଛାତ୍ରଛାତ୍ରୀ ଅନୁପ୍ରାଣିତ ହୋଇଥିଲେ। ଉପସ୍ଥିତ ଅତିଥି ମାନେ ବିବେକାନନ୍ଦଙ୍କ ଆଦର୍ଶରେ ଯୁବପିଢ଼ି ବ୍ରତୀ ହେବା ସହ ଦେଶ ମାତୃକାର ସେବା ପାଇଁ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ। ସକାଳୁ ଶାରୀରିକ ବ୍ୟାୟାମ କରିବା ଦ୍ୱାରା ଦେଶର ଯୁବ ସମାଜ ସୁସ୍ଥ ସମାଜ ହୋଇପାରିବ ବୋଲି ଅତିଥି ମାନେ କହିଥିଲେ। ଦେଶର ଯୁବକ ମାନେ ଚାହିଁଲେ ଦେଶର ବିକାଶ ଧାରା ଅଧିକ ତ୍ୱରାନ୍ୱିତ ହୋଇପାରିବ ବୋଲି ଏହି ଅବସରରେ ମତ ପ୍ରକାଶ ପାଇଥିଲା।
ଶେଷରେ ସମସ୍ତ ମାରାଥନ ଅଂଶଗ୍ରହଣକାରୀଙ୍କ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଏହାପରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହାଭାଗୀତାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୁବପିଢ଼ି ମତୁଆଲା ହୋଇଥିଲେ। ଆଜିର କାର୍ଯ୍ୟକ୍ରମକୁ ଦେବଦୂତ ସେବା ପରିଷଦ, ଅଜନ୍ତା ସୁଜ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସ୍ବେଛାସେବୀ ଓ କର୍ମକର୍ତା ମାନେ ପରିଚାଳନା କରିଥିଲେ।
