ଶାରୀରିକ ଶିକ୍ଷା ହେଉଛି ଶୈକ୍ଷିକ ସଫଳତାର ଚାବିକାଠି- ମୁଖ୍ଯ ଅତିଥି
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ସ୍ବାମୀ ବିବେକାନନ୍ଦଙ୍କ ୧୬୪ ତମ ଜୟନ୍ତୀ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ନେତୃତ୍ବରେ ମହାସମାରୋହରେ ପାଳିତ ହୋଇ ଯାଇଛି। ସକାଳ ୦୯ଟା ସମୟରେ ଖଣ୍ଡପଡାରୋଡସ୍ଥ ହନୁମାନ ମନ୍ଦିର ଠାରୁ ଆୟୋଜିତ ବିଶାଳ ଶୋଭାଯାତ୍ରାକୁ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ପତାକା ଦେଖାଇ ଉଦଘାଟନ କରିଥିଲେ। ଶୋଭାଯାତ୍ରା ହନୁମାନ ମନ୍ଦିର ଠାରୁ ଶ୍ରୀଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଥିଲା ବେଳେ ଉକ୍ତ ଶୋଭାଯାତ୍ରାରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ସ୍ବାମୀ ବିବେକାନନ୍ଦ ଲୋକ ସଂସଦ ନୟାଗଡ଼ ଜିଲ୍ଲା ଶାଖା,ଭାରତ ବିକାଶ ପରିଷଦ, ପୂଜ୍ଯପୂଜା କମିଟି,ରୋଟାରୀ କ୍ଲବ,ସିଭିଲ୍ ସୋସାଇଟି, ନୟାଗଡ଼ ଜିଲ୍ଲା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ଆଦି ଅନେକ ସାମାଜିକ ଅନୁଷ୍ଠାନ ଯୋଗଦେଇଥିଲେ। ସକାଳ ୧୧ଟାରେ ହାଉସିଂ ବୋର୍ଡ ନିକଟ ବିଦ୍ଯାଳୟର ନୂତନ ଭବନ ପରିସରରେ ବିଦ୍ଯାଳୟର ଏକବିଂଶତମ ବାର୍ଷିକ ଉତ୍ସବ ଉପଲକ୍ଷେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

ଅପରାହ୍ନ ୦୧ଟାରେ ବିଦ୍ଯାଳୟର ଉପଦେଷ୍ଟା ହରିହର ପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ସଭାରେ ମୁଖ୍ଯ ଅତିଥି ଭାବେ ମାନ୍ଯବର ରାଜ୍ଯସଭା ସାଂସଦ ଦେବାଶିଷ ସାମନ୍ତରାୟ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଆଶୀର୍ବାଦ କରିବା ସହିତ ଶିଶୁମାନଙ୍କ ଶାରିରୀକ ଶିକ୍ଷାକୁ ଗୁରୁତ୍ବ ଦେବା ପାଇଁ ପରାମର୍ଶ ଦେଇଥିଲେ। ଶାରୀରିକ ଶିକ୍ଷା ହେଉଛି ଶୈକ୍ଷିକ ସଫଳତାର ଚାବି କାଠି। ସ୍ବାମୀ ବିବେକାନନ୍ଦ ଥିଲେ ଭାରତବର୍ଷର ପ୍ରାଣ ଏବଂ ତାଙ୍କ ଆଦର୍ଶ ଜୀବନୀ ସମସ୍ତ ଯୁବ ସମାଜ ପାଇଁ ପ୍ରେରଣାର ଉତ୍ସ ବୋଲି ବକ୍ତବ୍ଯ ରଖିଥିଲେ।
ମୁଖ୍ଯ ବକ୍ତାଭାବେ ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଯୋଗଦେଇ ସମାଜରେ ସଂସ୍କାର ଆଣିବା ପାଇଁ ପିତାମାତାଙ୍କ ବିଶେଷ ଭୂମିକା ଥିବା ବିଷୟରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ସଭାରେ ଉପସ୍ଥିତ ରହି ବାର୍ଷିକ ଉତ୍ସବ ପାଇଁ ଛାତ୍ରଛାତ୍ରୀ ମାନଙ୍କର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଶୈକ୍ଷିକ ସଫଳତା ପାଇଁ ବିଦ୍ଯାଳୟ ଗୁରୁଜୀ ଗୁରୁମା ମାନଙ୍କୁ ପ୍ରଶଂସା କରିଥିଲେ। ରକ୍ତଦାନ ଶିବିର ସହିତ ବିଭିନ୍ନ ସମାଜକଲ୍ଯାଣ କାର୍ଯ୍ଯକୁ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ହାତକୁ ନେଇଥିବା ସହିତ ବିଦ୍ଯାଳୟ ଛାତ୍ରଛାତ୍ରୀ ମାନଙ୍କର ମାଟ୍ରିକ୍ ପରୀକ୍ଷା, ମେଧାବୃତ୍ତି ପରୀକ୍ଷା,ପଠାଣି ସାମନ୍ତ ଗଣିତ ପ୍ରତିଭା ପରୀକ୍ଷା,ପ୍ରାଦେଶିକ ବିଜ୍ଞାନ ମେଳା ଆଦି ବିଭିନ୍ନ କ୍ଷେତ୍ର ରେ ସଫଳତା ହାସଲ କରିଥିବାରୁ ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଜଣାଇ ଥିଲେ।

ବିଦ୍ଯାଳୟ ପରିବେଶରେ ଏକ ସୁନ୍ଦର ଗୋଶାଳା, ଅର୍ଗାନିକ ପରିବା ବଗିଚା, ଫୁଲ ବଗିଚା ଓ ଉତ୍ତମ ଛାତ୍ରାବାସ ଥିବାରୁ ଏ ବିଦ୍ଯାଳୟ ହେଉଛି ଏକ ଶିକ୍ଷଣ ଶାଳା ବୋଲି ଅତିଥି ମାନେ ଅଭିହିତ କରି ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କୁ ଧନ୍ଯବାଦ ପ୍ରଦାନ କରିଥିଲେ। ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ଓଡିଶାର ସର୍ବୋଚ୍ଚ ସମ୍ମାନ ଉତ୍କଳ ଜ୍ଯୋତି ସମ୍ମାନ ସହିତ ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ଆୟୋଜିତ ଡିବେଟ ପ୍ରତିଯୋଗିତାରେ ଭାଗନେଇ ରାଜ୍ଯ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ବିଦ୍ଯାଳୟ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଥିବା ସପ୍ତମ ଶ୍ରେଣୀର ଛାତ୍ରୀ ବିଶ୍ବବିଜିତା ମହାନ୍ତିଙ୍କୁ ସମ୍ବର୍ଦ୍ଧନା କରାଯାଇ ଥିବା ବେଳେ ମାଟ୍ରିକ ପରୀକ୍ଷାରେ ଏ୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବା ହନିମେଷ ଡାକୁଆଙ୍କୁ ସମ୍ମାନିତ କରାଯାଇ ଥିଲା। ନୟାଗଡ଼ର ବରିଷ୍ଠ ରୋଟାରିଆନ୍ ରାଧେଶ୍ଯାମ ମୋହତା ଓ ବ୍ଯଙ୍ଗ କବି ସନ୍ତୋଷ କୁମାର ସାହୁଙ୍କୁ ବିଦ୍ଯାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇ ଥିଲା।
ବିଭିନ୍ନ ପ୍ରତିଯୋଗିତା ରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ। ପରେ ପରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ବିଦ୍ଯାଳୟ ସଂପାଦକଙ୍କ ରଚିତ ନାଟକ” ଏବେବି ସମୟ ଅଛି” ମଞ୍ଚସ୍ଥ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ସମସ୍ତ ଗୁରୁଜୀ ଗୁରୁମା ମାନେ ସହଯୋଗ କରିଥିଲା ବେଳେ ଛାତ୍ରୀ ବିଶ୍ବବିଜିତା ମହାନ୍ତି ,ରଂଜନ ଗୁରୁଜୀ ଓ ପ୍ରିୟମ୍ବଦା ଗୁରୁମା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ପରିଶେଷରେ ବିଦ୍ଯାଳୟର ଯୁଗ୍ମ ସଂପାଦକ ସନ୍ତୋଷ କୁମାର ନାୟକ ଧନ୍ଯବାଦ ଅର୍ପଣ କରିଥିଲେ।।
