ନୟାଗଡ଼, (ନୟାଗଡ଼ ଦର୍ପଣ): ଦୁଇ ଦିନିଆ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ଉଦ୍ଘାଟିତ ହୋଇଯାଇଛି। ସ୍ଥାନୀୟ ଷ୍ଟାଡିୟମ ଗ୍ରାଉଣ୍ଡରେ ଆୟୋଜିତ ଏହି ମେଳାକୁ ଗୋ-ପୂଜନ ମାଧ୍ୟମରେ ଉଦ୍ଘାଟନ କରିଥିଲେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ। ମତ୍ସ୍ୟଚାଷୀ, ମତ୍ସ୍ୟଜୀବୀ ଓ ପ୍ରାଣିପାଳକଙ୍କ ରୋଜଗାରକୁ ବହୁଗୁଣିତ ତଥା ସେମାନଙ୍କ ଜୀବିକାର ଉନ୍ନତିକରଣ ନିମନ୍ତେ ରାଜ୍ୟ ସରକାର ନିରନ୍ତର ପ୍ରୟାସରତ । ଓଡ଼ିଶାର ଅଭିବୃଦ୍ଧିରେ ସହାୟକ ହେଉଥିବା ମତ୍ସ୍ୟ ଓ ପ୍ରାଣିସମ୍ପଦ କ୍ଷେତ୍ର ପ୍ରତି ରାଜ୍ୟ ସରକାର ବିଶେଷ ଦୃଷ୍ଟି ଦେଉଛନ୍ତି । ବିଶେଷ କରି ଗ୍ରାମାଞ୍ଚଳର ଆର୍ଥିକ ଅଭିବୃଦ୍ଧି ରେ ଏହି ଦୁଇ କ୍ଷେତ୍ରର ଅଧିକ ଗୁରୁତ୍ବ ଥିବାରୁ ଶିକ୍ଷିତ ଯୁବ ଗୋଷ୍ଠୀ ଏହି କ୍ଷେତ୍ରରେ ସେମାନଙ୍କର ଭବିଷ୍ୟତ ଗଢିବାକୁ ବିଧାୟକ ଶ୍ରୀ ସ୍ୱାଇଁ ଆହ୍ବାନ ଦେଇଥିଲେ।
ଏହି ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳାରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନୟାଗଡ ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ କହିଥିଲେ ଯେ, ସମୟ ଥିଲା ଆମେ ମାଛ ଓ ଅଣ୍ଡା ପାଇଁ ପଡୋଶୀ ରାଜ୍ୟ ଉପରେ ନିର୍ଭର କରୁଥିଲେ। ସରକାରଙ୍କ ବିଭିନ୍ନ ଯୋଜନା ଓ ଚାଷୀଙ୍କ ପ୍ରଚେଷ୍ଟା ବଳରେ ଆମେ ଆଜି ସ୍ବାବଲମ୍ବୀ।
ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ କହିଥିଲେ ଯେ ସବୁଜ ବିପ୍ଳବ, ଶ୍ୱେତ ବିପ୍ଳବ ଓ ନୀଳ ବିପ୍ଳବ ଯୋଗୁଁ ଆମ ଦେଶ ଆଜି ଖାଦ୍ୟ ଉତ୍ପାଦନରେ ଏକ ଅଗ୍ରଣୀ ଦେଶ। ତେଣୁ ଶିକ୍ଷିତ ଯୁବ ଗୋଷ୍ଠୀ ମତ୍ସ୍ୟ ଓ ପ୍ରାଣୀ ପାଳନ କୁ ଉଦ୍ୟୋଗ ରୂପରେ ଆଜି ପରିଣତ କରିପାରିବେ। ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଜିଲ୍ଲା ମୁଖ୍ୟ ପ୍ରାଣି ଚିକିତ୍ସା ଅଧିକାରୀ ଡ଼ା ବସନ୍ତ କୁମାର ବେହେରା ଓ ଧନ୍ୟବାଦ ପ୍ରଦାନ କରିଥିଲେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ପ୍ରକାଶ କୁମାର ତ୍ରିପାଠୀ। ଏହି ମେଳାରେ ମତ୍ସ୍ୟ ତଥା ପ୍ରାଣିପାଳନ ବିଭାଗ ପକ୍ଷରୁ ବିଭିନ୍ନ ପ୍ରଜାତିର ମାଛ, ଗାଈ, ଘୁଷୁରି, କୁକୁଡ଼ା ଓ ଛେଳି ର ପ୍ରଦର୍ଶନ ସହ ଆଧୁନିକ ମତ୍ସ୍ୟ ପାଳନର ଲାଇଭ ମଡେଲ ଓ ଅନ୍ୟାନ୍ୟ ବିଭାଗର ପ୍ରାୟ ତିରିଶଟି ଷ୍ଟଲ ପ୍ରଦର୍ଶିତ ହୋଇଥିଲ।
