୬୪ତମ ସର୍ବଭାରତୀୟ ଫୁଟବଲ ଟୁଣ୍ଣାର୍ମେଣ୍ଟ

ନୟାଗଡ଼, (ନୟାଗଡ଼ ଦର୍ପଣ): ଶରଣକୁଳ ନାରାୟଣ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ଜିଲାର ସର୍ବପୁରାତନ ଲଡ଼ୁକେଶ ଆଥଲେଟିକ ଆସୋସିଏସନ, ଶରଣକୁଳ ଦ୍ୱାରା ଆୟୋଜିତ ୬୪ତମ ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟର ରବିବାର ଫାଇନାଲ ଖେଳରେ ଗଣ୍ଡରପୁର ଫୁଟବଲ କ୍ଲବ, ଭୁବନେଶ୍ୱର ଟାଇ ବ୍ରେକରରେ ୟୁନାଇଟେଡ ସ୍ପୋର୍ଟ୍ସ କ୍ଲବ, ବରଗଡ଼ ୫-୪ ଗୋଲରେ ହରାଇ ବିଜୟ ହୋଇ ଚାମ୍ପିଯାନ ହୋଇଛି। ଦଶ ହଜାରରୁ ଉର୍ଦ୍ଧ ଦର୍ଶକଙ୍କ ଗହଣରେ ଅପରାହ୍ନ ୩ଟାରେ ଆରମ୍ଭ ହୋଇଥିବା ଆଜିର ପ୍ରଥମାର୍ଦ୍ଧ ଖେଳ ଖୁବ ସଂଘର୍ଷପୂର୍ଣ୍ଣ ହୋଇଥିଲେ ମଧ୍ୟ ଗୋଲଶୂନ୍ୟ ଥିଲା। ଦ୍ୱିତୀୟାର୍ଦ୍ଧର ଚିତାକର୍ଷକ ଖେଳରେ ୧୯ ତମ ମିନିଟରେ ଗଣ୍ଡରପୁର ୧୧ନଂ ଜର୍ସି ଖେଳାଳିଙ୍କ ଗୋଲ ଦଳକୁ ୧-୦ ଆଗୁଆ ରଖିଥିଲା। ପରେ ବରଗଡ଼ ଆକ୍ରମଣାତ୍ମକ ଖେଳି ୨୮ତମ ମିନିଟରେ ୯ନଂ ଜର୍ସି ଖେଳାଳି ସୁଶୀଲ ପଢିଆରିଙ୍କ ଏକ ଗୋଲ ପରେ ୩୫ତମ ମିନିଟରେ ୨୬ନଂ ଜର୍ସି ଖେଳାଳି କ୍ରିଷ୍ଣା ହରିପାଳଙ୍କ ଗୋଲରେ ଦଳ ୨-୧ ରେ ଆଗୁଆ ଥିଲା। କିନ୍ତୁ ଖେଳର ଶେଷ ମିନିଟରେ ଗଣ୍ଡରପୁର ଦଳର ୮ ନଂ ଖେଳାଳି ଅରବିନ ଲାକ୍ରାଙ୍କ ଗୋଲ ଦଳକୁ ବରାବର ସ୍ଥିତିକୁ ନେଇଥିଲା। ପରେ ଟାଇ ବ୍ରେକରରେ ଗଣ୍ଡରପୁର ଦଳ ୫-୪ରେ ବିଜୟୀ ହୋଇଥିଲା।

ପରେ ଆଜିର ପୁରସ୍କାର ବିତରଣ ଉତ୍ସବରେ ଅନୁଷ୍ଠାନର ସଭାପତି ସତ୍ୟ ନାରାୟଣ ପ୍ରଧାନଙ୍କ ସହିତ ମୁଖ୍ୟଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ମୁଖ୍ୟବକ୍ତା ଭାବେ ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ନିର୍ଦେଶକ ତଥା ଶିଖରପୁର ସରପଞ୍ଚ ସନ୍ୟାସୀ ପ୍ରଧାନ, ଶରଣକୂଳ ଜିଲା ପରିଷଦ ସଭ୍ୟା ଚିନ୍ମୟୀ ଦାଶ, ଗୋଡିପଡା ଜିଲା ପରିଷଦ ସଭ୍ୟା ସଂଯୁକ୍ତା ପଢିଆରୀ, ସାମାଜିକ କର୍ମୀ ମନସୁର ବକ୍ସ, ସାମାଜିକ କର୍ମୀ ପ୍ରଫୁଲ ନାଏକ, ସାମାଜିକ କର୍ମୀ ତ୍ରିନାଥ ବିଶ୍ୱାଳ  ଆଦି ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପରେ ମଧ୍ୟାନ୍ତରରେ ଅନୁଷ୍ଠାନର କାର୍ଯ୍ୟକର୍ତ୍ତାଙ୍କ ସହ ପଡିଆରେ ଦୁଇଦଳ ଖେଳାଳୀ ଓ ରେଫେରୀଙ୍କ ସହିତ କରମର୍ଦ୍ଦନ ଓ ପରିଚୟ ଆଦାନପ୍ରଦାନ ସହ ସେମାନଙ୍କୁ ଉତ୍ସାହିତ କରିଥିଲେ। ପରେ ଆତସବାଜୀ ପ୍ରଦର୍ଶନ ସହ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଅନୁଷ୍ଠାନର ସମ୍ପାଦକ ରବୀନ୍ଦ୍ର କୁମାର ଚୌଧୁରୀ ବିବରଣୀ ପାଠ କରିଥିଲେ। ଅନୁଷ୍ଠାନ ତରଫରୁ ସମସ୍ତ ଖବରଦାତାମାନଙ୍କୁ ଉପଢୌକନ ସହ ପ୍ରଶଂସା ପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ପରେ ମୁଖ୍ୟଅତିଥି ତଥା ଅନ୍ୟ ଅତିଥିଙ୍କ ଅଭିଭାଷଣ ପରେ ଆଜିର ବିଜେତା ଗଣ୍ଡରପୁର ଦଳକୁ ଚମ୍ପିୟାନ ଟ୍ରଫି ସହ ତିରିଶ ହଜାର ଟଙ୍କା ଓ ଉପବିଜେତା ବରଗଡ଼କୁ ଟ୍ରଫି ସହ ୨୦ହଜାର ଟଙ୍କା ଏବଂ ଆଜିର ଶ୍ରେଷ୍ଠ ଖେଳାଳି ଅଶ୍ୱିନ ଡୁମଙ୍କୁ ଟ୍ରଫି ସହ ଏକ ହଜାର ଟଙ୍କା ଏବଂ ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ବରଗଡର ସୁନୀଲ ପଢିଆରିଙ୍କୁ ଟ୍ରଫି ସହ ଦୁଇ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲେ। ମୁଖ୍ୟ ରେଫେରି ଭାବେ ରାଜୁ ମହାନ୍ତି ଖେଳକୁ ପରିଚାଳନା କରିଥିଲା ବେଳେ ଲାଇନରେ ସହାୟତା କରିଥିଲେ ପ୍ରସନ୍ନ କୁମାର ନାୟକ, ପ୍ରିୟବ୍ରତ ବାହିନୀପତିଏବଂ ୪ର୍ଥ ରେଫେରୀ ଭାବେ ଜଗନ୍ନାଥ ପରିଡା ଖେଳକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କ ସହ ବହୁ ସ୍ବେଛାସେବୀ ଯୋଗଦେଈ ସହଯୋଗ କରିଥିଲେ।

Related posts