ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସ୍ବାସ୍ଥ୍ୟ ବିଭାଗର ସମସ୍ତ ମୁଖ୍ୟ ବିତରଣୀୟ ଉପରେ ସମୀକ୍ଷା କରିବା ବୈଠକ ଅନୁଷ୍ଠିତ ହେଇଥିଲା। ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ର ବିଭିନ୍ନ କାର୍ଯ୍ୟକ୍ରମ ସମୀକ୍ଷା କରିବା ସହିତ, ସମସ୍ତ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ସଠିକ୍ ଭାବରେ ପହଞ୍ଚାଇବା ତଥା ଜିଲ୍ଲାକୁ ରାଜ୍ୟସ୍ତରରେ ଏକ ଉତ୍ତମ ସ୍ଥାନରେ ପହଞ୍ଚାଇବା ଉପରେ ଜିଲ୍ଲାପାଳ ଜୋର୍ ଦେବା ସହିତ ସମସ୍ତ ସ୍ୱାସ୍ଥ୍ୟ ବିଭାଗର ଉପସ୍ଥିତ ଥିବା ଅଧିକାରୀମାନଙ୍କୁ ତାଗିତ କରିଥିଲେ। ବିଶେଷ କରି ତୃଣମୂଳ ସ୍ତରରେ ଯଥା ମମତା ଦିବସ, ଟୀକାକରଣ ଦିବସ ଆଦିକୁ ଉତ୍ତମ ରୂପେ ପରିଚାଳନା ପାଇଁ ଉଭୟ ଗୋଷ୍ଠୀ ତଥା ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କୁ ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାରେ ମାତୃ ଓ ଶିଶୁ ମୃତ୍ୟୁ ହ୍ରାସ କରିବା ପାଇଁ ଆଶା ତଥା ସ୍ବାସ୍ଥ୍ୟକର୍ମୀମାନଙ୍କୁ ଅନବରତ ତାଲିମ୍ ଓ ସମୀକ୍ଷା କରିବା ଉପରେ ଜୋର୍ ଦେଇଥିଲେ।
ସେହିଭଳି ଜିଲ୍ଲାରେ କନ୍ୟା ସନ୍ତାନ ଦିନକୁ ଦିନ ହ୍ରାସ ପାଇବା ବି ଏକ ଉଦବେକଜନକ ବିଷୟ, ତେଣୁ ବିଭିନ୍ନ ଅଲଟ୍ରାସାଉଣ୍ଡ କ୍ଲିନିକ୍ ଗୁଡ଼ିକ ଉପରେ ଚଢ଼ାଉ ତଥା ଲୋକଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ବ୍ୟତୀତ ବିଭିନ୍ନ ସ୍ୱାସ୍ଥ୍ୟ ଗୃହ ନିର୍ମାଣ ଗୁଡ଼ିକ ଯଥା ଶୀଘ୍ର ସମାପ୍ତ କରିବାକୁ ଉକ୍ତ ବିଭାଗ ଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ଆଜିର ଏହି ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ ସୁଶାନ୍ତ ଦାସଙ୍କ ସମେତ ଅନ୍ୟ ବିଭାଗିୟ ଅଧିକାରୀ, ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀ ତଥା ଜାତୀୟ ସ୍ୱାସ୍ଥ୍ୟ ମିଶନର ସମସ୍ତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।