ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି, ସିପିଆଇ ଏମ, ସିପିଆଇ ପକ୍ଷରୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ମିଳିତ ବିରୋଧୀ ଦଳ ପକ୍ଷରୁ ଆହ୍ବାନ କରାଯାଇଥିଲା।
ଆସନ୍ତାକାଲି ହେବାକୁ ଥିବା ଓଡିଶା ବନ୍ଦକୁ ସଫଳ କରିବାକୁ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ବିଭିନ୍ନ ସଙ୍ଗଠନର ନେତୃମଣ୍ଡଳୀ ଅନୁରୋଧ କରିଥିଲେ। ନ୍ୟାୟ ପାଇଁ ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଅସହାୟ ଛାତ୍ରୀଜଣକ ଆତ୍ମାହୁତି ଉଦ୍ୟମ କରିଥିଲେ। ଦୁଇଦିନ କାଳ ଭୁବନେଶ୍ୱର ଏମସ୍ଠାରେ ମୃତ୍ୟୁସହ ସଂଗ୍ରାମ କରି ଶେଷରେ ସେ ଆଖି ବୁଜିଛନ୍ତି । ତାଙ୍କ ମୃତ୍ୟୁ ସହ ରାଜ୍ୟରେ ମାନବିକତାର ମଧ୍ୟ ଦୁଃଖଦ ଅନ୍ତ ଘଟିଛି । ଜଣେ ଜହ୍ଲାଦ ଅଧ୍ୟାପକଙ୍କ ଯୌନ ଆବେଦନ ଓ ନିର୍ଯାତନା ବିରୋଧରେ ଛାତ୍ରୀ ଜଣକ ୬ ମାସ କାଳ ବିଭିନ୍ନ ସମୟରେ କଲେଜ କର୍ତ୍ତୃପକ୍ଷ, ଜିଲ୍ଲା ଓ ପୋଲିସ ପ୍ରଶାସନ, ବିଧାୟକ, ସାଂସଦ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ, ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ, ଜାତୀୟ ମହିଳା ଆୟୋଗ ପ୍ରମୁଖଙ୍କୁ ନ୍ୟାୟ ପାଇଁ କାକୁତି ମିନତି ହେବା ସତ୍ୱେ କେହି ହେଲେ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିନଥିଲେ । ତେଣୁ ଏହା ଆତ୍ମାହୁତି ନୁହେଁ, ବରଂ ଉପରୋକ୍ତ ସମସ୍ତ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ଦ୍ୱାରା ଏକ ମିଳିତ ବର୍ବରୋଚିତ ହତ୍ୟାକାଣ୍ଡ । ଯେଉଁ ବିଜେପି ନିଜ ଛାମୁଆ ସଂଗଠନ ଏବିଭିପିର ଜଣେ ମହିଳା କାର୍ଯ୍ୟକର୍ତ୍ତାଙ୍କୁ ସୁରକ୍ଷା ଦେଇପାରୁ ନାହିଁ, ସେହି ଦଳର ସରକାର ରାଜ୍ୟରେ ମହିଳାମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହେଉଥିବା ପ୍ରମାଣିତ ହୋଇଛି ।
ଦିବଙ୍ଗତା ଛାତ୍ରୀଙ୍କ ଉପରେ ହୋଇଥିବା ଅକଥନୀୟ ଅତ୍ୟାଚାର ବିରୋଧରେ ଓ ସର୍ବୋପରି ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ନାରୀ ନିର୍ଯାତନା ବିରୋଧରେ କଂଗ୍ରେସ ଓ ବାମପନ୍ଥୀ ଦଳ ସମେତ ସମସ୍ତ ସମଭାବାପନ୍ନ ଧର୍ମ ନିରପେକ୍ଷ ଦଳଗୁଡ଼ିକୁ ନେଇ ଗଠିତ ମିଳିତ ବିରୋଧୀ ଦଳ ଦ୍ୱାରା ଆସନ୍ତା ୧୭ଜୁଲାଇ ଗୁରୁବାର ସାରା ରାଜ୍ୟରେ ଅହିଂସାତ୍ମକ ଭାବେ ବନ୍ଦ ପାଳନ କରାଯିବ । ଆସନ୍ତାକାଲି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ରାଜ୍ୟର ସମସ୍ତ ସ୍କୁଲ, କଲେଜ, ଯାନବାହନ, କାର୍ଯ୍ୟାଳୟ ଦପ୍ତର ଓ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ କରାଯିବ ।
ଏହି ଅବସରରେ ସ୍ୱର୍ଗତା ଛାତ୍ରୀଙ୍କ ଆତ୍ମାର ସଦଗତି କାମନା କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ଭବିଷ୍ୟତରେ ଯେପରି କୌଣସି ମହିଳାଙ୍କ ପ୍ରତି ଏପରି ଅମାନୁଷିକ କାଣ୍ଡ ଘଟିବାକୁ ଦିଆ ନଯାଏଁ, ଦୃଢ଼ ସଂକଳ୍ପ ନିଆଯିବ । ଏଥିସହ, ଦାବି ମୁତାବକ ଘଟଣାର ନ୍ୟାୟିକ ତଦନ୍ତ ନ ହେବା ଯାଏ ସରକାରଙ୍କ ବିରୋଧରେ ଆନ୍ଦୋଳନ ଜାରି ରଖିବାକୁ ଶପଥ ନିଆଯିବ ।
ଏହି ମିଳିତ ସାମ୍ବାଦିକ ସମ୍ମିଳନୀରେ ନୟାଗଡ ଜିଲ୍ଲା କଂଗ୍ରେସ କମିଟି ସଭାପତି ସତ୍ୟବ୍ରତ ନାୟକ, ବରିଷ୍ଟ ବାମପନ୍ଥୀ ସି.ପି. ଏମ ନେତା ବିଶ୍ବନାଥ ମହାପାତ୍ର, ସିପିଆଇ ନେତା ଅମିୟ ପଟ୍ଟନାୟକ, ସିପିଆଇ ଏମ ଏଲ୍ ନେତା ଗୋପୀନାଥ ଜେନା, ପୂର୍ବତନ ସାଂସଦ ନକୁଳ ନାୟକ, ପୂର୍ବତନ ଜିଲ୍ଲା ସଭାପତି ରଞ୍ଜିତ ଦାସ, ବରିଷ୍ଠ ନେତା ହୁସେନ୍ ଖାଁ, ବିଭୁପ୍ରସାଦ ମିଶ୍ର, ସରୋଜ ପରିଡ଼ା, କମଳ ସାହୁ , ବସନ୍ତ ମହାରଣା, ପୂର୍ଣ୍ଣଚନ୍ଦ୍ର ନାୟକ, ପ୍ରତିକ୍ ମହାପାତ୍ର, ସିବରଞ୍ଜନ ସାହୁ, ଆଲୋକ ଚନ୍ଦ୍ର ପ୍ରଧାନ ପ୍ରମୁଖ କଂଗ୍ରେସ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।