ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଶ୍ରାବଣ ମାସର ପ୍ରଥମ ସୋମବାର, ସକାଳୁ ଖେଳିଗଲା ଶୋକର ଛାୟା । ସ୍ତବ୍ଧ ପାଲଟିଗଲା ସାଲୁଣୀ ଗାଁ ଓ ଆଖ ପାଖ ଅଞ୍ଚଳ। ଗୋବର୍ଦ୍ଧନଙ୍କ ପରଲୋକରେ ନିରବି ଗଲେ ବନ୍ଧୁ, ପରିଜନ, ଶିଷ୍ୟ ଓ ଶୁଭେଚ୍ଛୁ। ସାରା ରାଜ୍ୟରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ମୃଦଙ୍ଗର ବାଦସାହା ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରା। ସୂଚନାନୁସାରେ, ନୟାଗଡ ବ୍ଲକ୍ ନାଟୁଗାଁ ପଞ୍ଚାୟତ ଅଧିନରେ ଥିବା ସାଲୁଣୀ ଗ୍ରାମରେ ୧୯୩୯ ମସିହା ଜନ୍ମ ଗ୍ରହଣ କରିଥିବା ଗୋବର୍ଦ୍ଧନ ବେହେରା ପଞ୍ଚମ ପାସ କରି
ସାଂସ୍କୃତିକ ଲୋକକଳା ପାଲା ଜଗତରେ ମନ ବଳାଇଥିଲେ। ୧୫ବର୍ଷ ବୟସରୁ ପାଠକୁ ପଛରେ ପକାଇ ପାଲା ଜଗତରେ ମୃଦଙ୍ଗ ଧରିଥିଲେ। ଗାୟକ କେଶରୀ ସ୍ଵର୍ଗତ ଉଦୀୟନାଥ ଶର୍ମାଙ୍କ ସହ ମିଶି ପାଲା ପରିବେଷଣ କରିଆସୁଥିଲେ। ମୃଦଙ୍ଗରେ ସିଦ୍ଧହସ୍ତ ହୋଇ ସାରା ରାଜ୍ୟରେ ବାୟକ ସମ୍ରାଟର ମୁକୁଟ ପିନ୍ଧି ସାଲୁଣୀ ଗାଁକୁ ଅନ୍ୟ ଏକ ପରିଚୟ ଦେଇଥିଲେ।

ଗାୟକ କେଶରୀ ସ୍ଵର୍ଗତ ମିଶ୍ରଙ୍କ ସହ ୨୫ବର୍ଷ କାର୍ଯ୍ୟକରି ଆସୁଥିଲେ। ବୟସର ଅପରାହ୍ନ ଯୋଗୁଁ ପାଲା ଜଗତରୁ ଅବସର ନେଲେ ସତ କିନ୍ତୁ ରାଜ୍ୟ ବିଭିନ୍ନ କୋଣ ଅନୁକୋଣରେ ମୃଦଙ୍ଗ ବାଦକ ଶିଷ୍ୟ ତିଆରି କରି ସାଲୁଣୀ ଇତିହାସ ପୃଷ୍ଠାରେ ସ୍ଥାନିତ ହୋଇଛନ୍ତି। ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ପୁଅ ବୋହୂଙ୍କ ପାଖରେ ରହିଆସୁଥିଲେ। ତେବେ ଜୁଲାଇ ୧୪ତାରିଖ ସକାଳ ୬.୦୫ ମିନିଟ୍ ସମୟରେ ପାଲା ଜଗତର ମୃଦଙ୍ଗର ବାଦସାହା ଗୋବର୍ଦ୍ଧନ ବେହେରା (୮୬) ବୟସରେ ଇହଲୀଳା ତ୍ୟାଗ କରିଥିଲେ। ସ୍ଵର୍ଗତ ବେହେରାଙ୍କ ପରଲୋକ ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକ ଛାୟା ଖେଳିଗଲା, ଏମିତିକି ପାଲା ଜଗତ ଏକ ହୀରାକୁ ହରାଇ ଦେଲା ବୋଲି ପାଲା ଗାୟକ ଓ ବାୟକ ମାନେ ପରିପ୍ରକାଶ କରିଛନ୍ତି। ମୃଦଙ୍ଗ ବାଦକ ବାଦସାହା ସ୍ଵର୍ଗତ ବେହେରାଙ୍କ ମୃତ ଶରୀରକୁ ନାମ ସଙ୍କୀର୍ତ୍ତନ କରି ଗ୍ରାମ ପରିଭ୍ରମଣ କରି ପୁରୀ ସ୍ଵର୍ଗଦ୍ଵାରରେ ଶେଷକୃତ ସମ୍ପର୍ନ୍ନ କରିଥିଲେ। ଉକ୍ତ ସମୟରେ ପୁଅ ନନ୍ଦକିଶୋର ବେହେରା, ଉମେଶ ଚନ୍ଦ୍ର ବେହେରା, ପ୍ରତାପ ଚନ୍ଦ୍ର ବେହେରା ଓ ସାନ ପୁଅ ନିରଞ୍ଜନ ବେହେରା, ନାତି ନାତୁଣୀ, ଜ୍ବାଇଁ ଓ ସ୍ଵର୍ଗତ ବେହେରାଙ୍କ ଶୁଭେଚ୍ଛୁ, ଶିଷ୍ୟମାନେ ଉପସ୍ଥିତ ଥିଲେ। ବଡ଼ ପୁଅ ରବିନ୍ଦ୍ର ବେହେରା ମୁଖାଗ୍ନୀ ଦେଇଥିଲ।

Related posts