ଓଟିଇଟିକୁ ଶିକ୍ଷକ ସଂଘର ବିରୋଧ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ଓଟିଇଟି ନିୟମକୁ ନୟାଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି। ରାଜ୍ୟ ସରକାରଙ୍କ ଚିଠି ନଂ ୧୨୬୩୬ ଅନୁଯାୟୀ ପଦୋନ୍ନତି ବେଳେ ଓଟିଇଟିକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ଏହା ଶିକ୍ଷକ ମାରଣ ନୀତି ଛଡା ଅନ୍ୟ କିଛି ନୁହେଁ ବୋଲି ସଂଘ ପକ୍ଷରୁ କୁହାଯାଇଛି। ୨୦୦୧ ମସିହାରୁ ୨୦୧୧ ପର୍ଯ୍ୟନ୍ତ ଏଭଳି ନିୟମ ନିଯୁକ୍ତି ବିଜ୍ଞାପନରେ ନଥିବା ବେଳେ ନୂଆ ନିର୍ଦ୍ଦେଶନାମା ଦେଇଛନ୍ତି ସରକାର। ଯଦି ଏହାକୁ ବାଧ୍ୟତାମୂଳକ କରାଯାଏ ତେବେ କେନ୍ଦ୍ରୀୟ ହାରରେ ବେତନ ଦେବାକୁ ସଂଘ ଦାବି କରିଛି। ଅନ୍ୟପକ୍ଷରେ ଦୀର୍ଘବର୍ଷ ହେବ କାର୍ଯ୍ୟ କରି ଅବସର ନେବା ସମୟରେ ମଧ୍ୟ ଏଭଳି ନିୟମ ମାନସିକ ନିର୍ଯ୍ୟାତନା ବୋଲି ସଂଘ ପକ୍ଷରୁ କୁହାଯାଇଛି। ସ୍ଥାନୀୟ ପ୍ରାଥମିକ ଶିକ୍ଷକ ଭବନ ଠାରେ ସଂଘ ପକ୍ଷରୁ ଅନୁଷ୍ଠିତ ବୈଠକରେ ସଭାପତି ପୀତବାସ ପ୍ରଧାନ, ସମ୍ପାଦକ ସୁରେଶ ସେଠି ଙ୍କ ସମେତ ଶିକ୍ଷକ ନେତା ସଂଗ୍ରାମ ସାହୁ, ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ, ଲକ୍ଷ୍ମୀଧର ସାହୁ,ମନ୍ମଥ ନାୟକ, ଚିତ୍ତରଞ୍ଜନ ଦାଶ, ଅକ୍ଷୟ ପରିଡ଼ା, ରବୀନ୍ଦ୍ର ମହାନ୍ତି,ରବୀନ୍ଦ୍ର ବେହେରା ପ୍ରମୁଖ ବିରୋଧ କରିବା ସହିତ ସରକାର ଯଦି ଏହାକୁ ଉଚ୍ଛେଦ ନ କରନ୍ତି, ତେବେ ଶିକ୍ଷକ ସଂଘ ତରଫରୁ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

Related posts