ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଦିନକୁ ଦିନ ପୃଥିବୀ ପୃଷ୍ଟର ତାପମାତ୍ରା ବୃଦ୍ଧି ପାଉଥିବାବେଳେ ଗ୍ଲୋବାଲ ୱର୍ମୀଙ୍ଗ ତଥା ପ୍ରଦୂଷଣ ସୃଷ୍ଟିକାରୀ ମନ୍ୟୁଷ୍ୟ କେବଳ ଆଜିର ଦିନକୁ ଖୁସି ମିଜାଜରେ ବିତେଇ ଆସନ୍ତା କାଲି ନିଜର ବଂଶଧର ମାନଙ୍କ ପାଇଁ ଚିନ୍ତିତ ନହୋଇ ସମସ୍ତ ଜୀବଜନ୍ତୁ ଓ ଉଦ୍ଭିଦ ଜଗତର ଧ୍ୱଂସ କରି ଚାଲିଛି। ୪.୬ ବିଲିଅନ ବର୍ଷ ପୂର୍ବେ ସୃଷ୍ଟି ପୃଥିବୀକୁ ମାତ୍ର ୨ ହଜାର ବର୍ଷ ଭିତରେ ଯାହା କରି ସାରିଲାଣି ଏଥିରୁ ଜଣାପଡୁଛି ଯେ ୮ ଗ୍ରହ ମଧ୍ୟରୁ ନିଆରା ଏ ପୃଥିବୀ ଆଉ ୨ ଶହ ବର୍ଷ ଜୀବିତ ହୋଇ ରହିବ ନାହିଁ। ବରଫାର୍ଚ୍ଛନ ହୋଇ ରହିଥିବା ପୃଥିବୀ ଏକ ନିଆଁ ପିଣ୍ଡୁଳା ପାଲଟି ଯିବ।

ପୃଥିବୀକୁ ସୁରକ୍ଷା ଦେବାପାଇଁ ଜୋରରେ ଅଣ୍ଟା ଭିଡିଛନ୍ତି ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ରୋହିବାଙ୍କର ଛାତ୍ରଛାତ୍ରୀମାନେ। ବିଶ୍ଵ ଧରିତ୍ରୀ ଦିବସ ଏପ୍ରିଲ ୨୨ଉପଲକ୍ଷେ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କୁ ନେଇ ତର୍କ, ଚିତ୍ରାଙ୍କନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାପରେ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର ସାହୁ ଓ ଶିକ୍ଷୟିତ୍ରୀ ଅବନ୍ତୀ ବେହେରା ଇକୋକ୍ଳବ ଛାତ୍ର ଛାତ୍ରୀମାନଙ୍କୁ ନେଇ ଗ୍ରାମ ପରିକ୍ରମା କରିଥିଲେ । ଉତ୍ତପ୍ତ ପୃଥିବୀର ମାଟି, ପାଣି ଓ ପବନ କୁ ଦୂଷିତରୁ ରକ୍ଷା କରିବାପାଇଁ ଅଧିକ ମାତ୍ରରେ ବୃକ୍ଷ ଲଗାଇବା, ଭୂତଳ ଜଳର ମାତ୍ରା ବୃଦ୍ଧି ସହିତ ତାର ସଂରକ୍ଷଣ ଓ ସୁବିନିଯୋଗ କରିବା, ନିକଟବର୍ତ୍ତି ସ୍ଥାନକୁ ଯିବାବେଳେ କାର ବାଇକ ବଦଳରେ ସାଇକେଲରେ ଯିବା, ଅସରନ୍ତି ଇନ୍ଧନ ବ୍ୟବହୃତ ଯାନ ଅଧିକରୁ ଅଧିକ ବ୍ୟବହାର କରିବା, ଏକକ ପଲିଥିନ ଓ ପ୍ଲାଷ୍ଟିକ ବୋତଲ ବର୍ଜ୍ୟବସ୍ତୁକୁ ହ୍ରାସ ପାଇଁ ଘରୁ ବାହାରିବା ବେଳ ପାଣି ବୋତଲ ଓ କପଡ଼ା ବ୍ୟାଗ ସାଥିରେ ନେଇ ଯିବା, ମାଟିରେ ରାସାୟନିକ ସାର ବଦଳରେ ଜୈବିକ ଖତର ବହୁଳ ବ୍ୟବହାର କରିବା , ଅବ୍ୟବହୃତ କାଗଜ ଓ ଖବର କାଗଜକୁ ପୁନଃ ଚକ୍ରଣ କରାଗଲେ ବହୁ ସଂଖ୍ୟାରେ ବୃକ୍ଷର ସୁରକ୍ଷା ହୋଇପାରିବ ଆଦି ସଚେତନ ବାର୍ତ୍ତା ପ୍ରଦାନ କରିଥଲେ। ଏହାପରେ ସମସ୍ତ ପ୍ରତିଯୋଗୀ ସହିତ କୃତି ଛାତ୍ର ଛାତ୍ରୀମାନଙ୍କୁ ବିଦ୍ୟାଳୟ ତରଫରୁ ଏକ ସଭା କରି ପୁରସ୍କାର ପ୍ରଦାନ କରାଯାଇ ଥିଲା। ସଭାକୁ ଖେଳ ଶିକ୍ଷକ ଆଲୋକ ନାୟକ ପରିଚାଳନା କରିଥିବାବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥଲେ।