ନୟାଗଡ଼ ଜିଲ୍ଲାରେ ବି.ଏଡ. ପାଠ୍ୟକ୍ରମ ଖୋଲିବା ଦାବି

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଏଡ ପାଠ୍ୟକ୍ରମ ଖୋଲିଥିବା ବେଳେ ନୟାଗଡ଼ ଜିଲ୍ଲାରେ ଏହା ଖୋଲି ନାହିଁ। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ମୁତାବକ ସମସ୍ତ ଜିଲ୍ଲାରେ ବିଏଡ ପାଠ୍ୟକ୍ରମ ଖୋଲା ଯିବା କଥା। ପ୍ରାୟ ସମସ୍ତ ଜିଲ୍ଲାରେ ଏହି ପାଠ୍ୟକ୍ରମ କେବେ ଠାରୁ ଖୋଲି ପାଠ ପଢ଼ା ଆରମ୍ଭ ହେଲାଣି। କିନ୍ତୁ ଦୁର୍ଭାଗ୍ୟର କଥା ନୟାଗଡ଼ ଜିଲ୍ଲାରେ ତାହା ଏପର୍ଯ୍ୟନ୍ତ ଖୋଲି ପାରିଲା ନାହିଁ।୧୯୯୩ ମସିହାରେ ଜିଲ୍ଲା ମାନ୍ୟତା ପାଇଥିବା ବେଳେ ଏହା ରାଜ୍ୟ ରାଜଧାନୀ ଠାରୁ ମାତ୍ର ୮୫ କିଲୋମିଟର ଦୂରରେ ଅବସ୍ଥିତ। ଏହାର ଭୌଗଳିକ ପରିସୀମା ପ୍ରାୟ ୩୮୯୦ ବର୍ଗ କିଲୋମିଟର। ରାଜ୍ୟ ମାନଚିତ୍ରରେ ଯଦିଓ ଏହା ବିଶେଷ ଭାବେ ଜଣାଶୁଣା କିନ୍ତୁ ଏଠାରେ ସାଧାରଣ ଶିକ୍ଷାନୁଷ୍ଠାନ ବ୍ୟତୀତ କୌଣସି ଏକ ମାନ୍ୟତା ପ୍ରାପ୍ତ   ଅନୁଷ୍ଠାନ ନାହିଁ। ଏଠାରୁ ବହୁ ମେଧାବୀ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହେଉଥିବା ବେଳେ ଉଚ୍ଚତର ଶିକ୍ଷା ପାଇଁ ଜିଲ୍ଲା ବାହାରକୁ ଯାଇ ଅଯଥାରେ ଖର୍ଚ୍ଚାନ୍ତ ହେଉଛନ୍ତି।ଜିଲ୍ଲାସ୍ତରୀୟ  ଅନେକ କ୍ରିୟାନୁଷ୍ଠାନ କମିଟି ବିଭିନ୍ନ ସମୟରେ ମେଡିକାଲ କଲେଜ ଓ ଅନ୍ୟ ଜାତୀୟ ସ୍ତରର ଅନୁଷ୍ଠାନ ପ୍ରତିଷ୍ଠା ପାଇଁ ଦାବି କରି ଆସୁଅଛି। ସରକାରଙ୍କ ବିଶେଷ ନିଘା  ନଥିବା ଏହି ଜିଲ୍ଲାରେ କୌଣସି ଶିଳ୍ପ କିମ୍ବା ଖଣି ଖାଦାନ  ମଧ୍ୟ ନାହିଁ। କୌଣସି ବିଶେଷ ନିୟୋଜନ ପନ୍ଥା ନଥିବା ସ୍ଥଳେ ଏଠାରେ ପଢୁଥିବା ଛାତ୍ରଛାତ୍ରୀ ନିଜର ପ୍ରତିଭା ଉପରେ ନିର୍ଭର କରନ୍ତି। ଜାତୀୟ ସ୍ତରର ଅନୁଷ୍ଠାନ ଯଥା ନାଇଜର୍, ଆଇଜର୍ ଭଳି ଅନୁଷ୍ଠାନ ଏହି ଜିଲ୍ଲାରେ ସ୍ବପ୍ନ। ହେଲେ ଏଠାରେ ବି.ଏଡ଼. ଭଳି ପଠ୍ୟକ୍ରମ ମଧ୍ୟ ଜିଲ୍ଲା ସ୍ଥାପନାର ୩୩ ବର୍ଷ ପରେ ମଧ୍ୟ ଉପଲବ୍ଧ ହୋଇ ପାରି ନାହିଁ। କିଛି ବର୍ଷ ହେବ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଏକ ମାତ୍ର ସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନ ମଡେଲ ଡିଗ୍ରୀ କଲେଜ ଠାରେ ବି.ଏଡ଼. ପାଠ୍ୟକ୍ରମ ଖୋଲିବା ପାଇଁ ସରକାରଙ୍କ ପାଖେ  ଦାବି ଉପସ୍ଥାପନ କରୁଛନ୍ତି, ହେଲେ ସରକାର ଶୁଣିବାକୁ ନାରାଜ। ବି.ଏଡ଼. ଖୋଲିବା ଉଦ୍ଦେଶ୍ୟରେ ସ୍ଥାନୀୟ ବିଧାୟକ, ଜିଲ୍ଲାପାଳ ତଥା କଲେଜ ଅଧ୍ୟକ୍ଷ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗକୁ ପତ୍ର ଲେଖିଛନ୍ତି। ବାରମ୍ବାର ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ବେ ଅଦ୍ୟାବଧି କୌଣସି ସୁଫଳ ମିଳିପାରି ନାହିଁ। ଏଣେ ବି.ଏଡ଼ କରିବା ଆଶାରେ ହଜାର ହଜାର ମେଧାବୀ ଛାତ୍ରଛାତ୍ରୀ ନୟାଗଡ଼ ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ, ଜମ୍ମୁ, ହରିୟାଣା ଆଦି ରାଜ୍ୟକୁ ଯାଇ ଖର୍ଚ୍ଚାନ୍ତ ହୋଇ ହନ୍ତସନ୍ତ ହେଉଛନ୍ତି। ରାଜ୍ୟର ଲକ୍ଷ ଲକ୍ଷ ଟଙ୍କା ପଡୋଶୀ ରାଜ୍ୟ ମାନଙ୍କୁ ଅଯଥା ଚାଲିଯାଉଥିବା ବେଳେ ଆମ ସରକାର ଏପରି ପାଠ୍ୟକ୍ରମ ଖୋଲିଲେ ଜନସାଧାରଣ ସମୂହ ଭାବେ ବିଶେଷ ଉପକୃତ ହୋଇ ପାରନ୍ତେ।

ରାଜ୍ୟ ରାଜନୀତିର ପ୍ରମୁଖ ଦୁଇ ନେତା ଭାବେ  ସୁରମା ପାଢ଼ୀ ଏବେ ସମ୍ମାନନୀୟା ବାଚସ୍ପତି ଭାବେ ଅଧିଷ୍ଠିତା  ଏବଂ ଡାକ୍ତର ସମ୍ବିତ ପାତ୍ର ଏହି ଅଞ୍ଚଳରୁ ଲୋକସଭା ସଦସ୍ୟ ଭାବେ ପ୍ରତିନିଧିତ୍ବ କରୁଛନ୍ତି। ନୟାଗଡ଼ ଜିଲ୍ଲାର ସାମୂହିକ ଉନ୍ନତି ଦୃଷ୍ଟିରୁ ଉକ୍ତ ଜନ ପ୍ରତିନିଧିମାନଙ୍କୁ ବିହିତ ଦୃଷ୍ଟି ଦେବାକୁ ଅନୁରୋଧ କରାଯାଉଅଛି। ସମସ୍ତ ଭିତ୍ତିଭୂମି ଥିବା ଏହି ଜିଲ୍ଲାରେ ତୁରନ୍ତ ଆଗାମୀ ଶିକ୍ଷା ବର୍ଷ ଆରମ୍ଭରୁ  ବି.ଏଡ଼. ପାଠ୍ୟକ୍ରମ କାର୍ଯ୍ୟକ୍ଷମ କରିବା ପାଇଁ ନୟାଗଡ଼ ନାଗରିକ ମଞ୍ଚ ସମେତ ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ଶିକ୍ଷାବିତ୍ ତଥା ଛାତ୍ରଛାତ୍ରୀ ମାନେ ଦାବି କରିଛନ୍ତି।

Related posts