ସୃଜନିକାର ଦ୍ଵିତୀୟ ସ୍ଵନକ୍ଷତ୍ର ଉତ୍ସବ ଅନୁଷ୍ଠିତ

ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡର ଭାଷା ସାହିତ୍ୟ ଓ ସଂସ୍କୃତି ପରିଷଦ ‘ସୃଜନିକା’ର ଦ୍ଵିତୀୟ ସ୍ଵନକ୍ଷତ୍ର ଉତ୍ସବ ସ୍ଥାନୀୟ କେ.ସି କ୍ଲବ୍ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶଶଧର ପଣ୍ଡା ଓ ଗୋଦାବରୀ ବସନ୍ତିଆ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, କେଶବଚନ୍ଦ୍ର ରାଉତ ଓ ସଂପଦ କୁମାର ରଥ ଯୋଗଦେଇଥିଲେ । ଅତିଥିମାନେ ଆଧୁନିକ କବିତାର ସ୍ଥିତି ସମ୍ପର୍କରେ ଆଲୋଚନା କରି କହିଥିଲେ ଯେ ଆଧୁନିକ କବିତା ସାଂପ୍ରତିକ ସ୍ଥିତି ସହ ଗତି କରି ଚାଲିଛି। ବର୍ତ୍ତମାନର ସମସ୍ୟା ଘେରା ସମାଜ ବ୍ୟବସ୍ଥା ଭିତରେ ଆଧୁନିକ କବିତା ବେଳେବେଳେ ତାର ପଥକୁ ଖୋଜିପାରେ ନାହିଁ। ଏଣୁ ଏହି ଜଟିଳ ମାନସିକତା ଭିତର ଦେଇ ଆଧୁନିକ କବିତା ବର୍ତ୍ତମାନ ଗତି କରୁଛି। ଏହି ଅବସରରେ ଏକ ରାଜ୍ୟସ୍ତରୀୟ କବିତା ପାଠୋତ୍ସବର ଆୟୋଜନ ହୋଇଥିଲା ଏବଂ ମମତା ମଞ୍ଜରୀ ଦେବୀ ଓ ନୀଳମାଧବ ମିଶ୍ର କବିତା ଗୁଡ଼ିକୁ ସଂଯୋଜନା କରିଥିଲେ।

ଏହି ଅବସରରେ ଡ଼. ନିର୍ମଳ ଚନ୍ଦ୍ର ଶୂରଦେଓଙ୍କ ଲିଖିତ ଓଡ଼ିଆ କବିତା  ରାଧିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଏହି ପୁସ୍ତିକାକୁ ବିରଞ୍ଚି ନାରାୟଣ ତ୍ରୀପାଠୀ ଇଂରାଜୀରେ ଓ ଶ୍ରାବଣୀ ନାଥ ହିନ୍ଦୀରେ ମଧ୍ୟ ଅନୁବାଦ କରିଛନ୍ତି । ଏହି ଉତ୍ସବରେ ସୃଜନିକା ସମ୍ମାନ-୨୦୨୫ ମମତା ମଞ୍ଜରୀ ଦେବୀଙ୍କ ସହିତ ଅନ୍ୟ ୧୮ଜଣ ପ୍ରତିଭୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ଗୀତାଞ୍ଜଳି ଦାଶ ଜଗନ୍ନାଥ ଭଜନ ଗାନ କରିଥିବା ବେଳେ ପରେ ଡ଼. ଅନୁସୟା ପଣ୍ଡା ଓଡ଼ିଶୀ ସଙ୍ଗୀତ ଗାନ କରିଥିଲେ । ରାଧିକା କାବ୍ୟର ଇଂରାଜୀ ସମୀକ୍ଷା ଇଂ ପଦ୍ମନାଭ ପରିଡ଼ା ଓ ହିନ୍ଦୀ ସମୀକ୍ଷା ଶ୍ରାବଣୀ ନାଥ କରିଥିଲେ। ଏହି ଉତ୍ସବରେ ଡ଼. ନିର୍ମଳ ଚନ୍ଦ୍ର ଶୂରଦେଓ ଅଧ୍ୟକ୍ଷତା କରିଥିବା ବେଳେ ପରମାନନ୍ଦ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Related posts