ରାଜ୍ୟ ପରିବହନ ମନ୍ତ୍ରୀଙ୍କ ଚୋରା ବାଲି ହାଇୱା ଧରପଗଡ଼ ପ୍ରସଙ୍ଗ

ନୟାଗଡ଼(ନୟାଗଡ଼ ଦର୍ପଣ): ଖଣ୍ଡପଡା ଭାପୁର ଗଣିଆ ତହସିଲ ଅନ୍ତର୍ଗତ ମହାନଦୀର ସମସ୍ତ ସରକାରୀ ବାଲିଘାଟରୁ ନିଲାମଧାରୀମାନେ ତହସିଲଦାର, ପୋଲିସ ଏବଂ ଖଣି ଅଧିକାରୀଙ୍କ ଜାଣତରେ ଜାଲ ଟ୍ରାଞ୍ଜିଟ ପାସ କାଟି ପ୍ରତ୍ୟେକ ଦିନ ଶହଶହ ଟ୍ରିପ ବାଲି ହାଇୱା ଚୋରା ଚାଲାଣ କରାଯାଇ ଲକ୍ଷାଧିକ ଟଙ୍କା ମୁନାଫା ଉଠାଉ ଥିବାର ଯେତେ ଅଭିଯୋଗ ଦେଲେ ମଧ୍ୟ ନାଁ ଖଣି ଅଧିକାରୀ କୌଣସି ଅଭିଯୋଗ ଶୁଣୁଥିଲେ ନା ପୋଲିସ ପ୍ରଶାସନ ଶୁଣୁଥିଲା। ଯୋଜନାବଦ୍ଧ ଭାବେ ମିଲିଭଗତ ଲୁଟ ହେଉଥିଲା ମହାନଦୀ ବାଲି, ଏପରି ସ୍ଥଳେ ମାନ୍ୟବର ପରିବହନ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା କଣ୍ଟିଲୋ- ଭୁବନେଶ୍ୱର ରାସ୍ତାର ବରକୋଳି ଠାରେ ବହୁ ବାଲି ବୋଝେଇ ହାଇୱାକୁ ଅଚାନକ ଅଟକାଇ ଜାଲ ଟ୍ରାଞ୍ଜିଟ ପାସ ଥିବାର ଦେଖି ପ୍ରାୟ ୨୦ଟି ବେଆଇନ ବାଲି ହାଇୱାକୁ ପ୍ରଶାସନ ଜିମା ଦେବା ପରେ ଖଣ୍ଡପଡା, ଭାପୁର, ଗଣିଆ ତହସିଲଦାର, ଥାନା ବାବୁ ଏବଂ ଜିଲ୍ଲା ଖଣି ଅଧିକାରୀଙ୍କ ବାଲି ମାଫିଆଙ୍କ ସହ ସମ୍ପର୍କର ଅସଲ ମୁଖା ଖୋଲି ଦେଇଛି। କୋଉଠି ନା କୋଉଠି ଜିଲ୍ଲପାଳଙ୍କ ପାରିବାରପଣିଆକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରେସବାର୍ତାରେ କହିଛନ୍ତି। ମହାନଦୀରୁ ପ୍ରତ୍ୟହ ବାଲି ଚୋରି ହେଉଥିବା ଏବଂ ପ୍ରତ୍ୟେକ ବାଲି ବୋଝଇ ହାଇୱାରେ ଜାଲି ଟ୍ରାଞ୍ଜିଟ ପାସ ଥିବାର ଯେତେ ଅଭିଯୋଗ କଲେ ବି ଅସାଧୁ ଅଧିକାରୀମାନେ ଅଭିଯୋଗକାରୀଙ୍କୁ ଅଣଦେଖା କୁରୁଛନ୍ତି। ଏପରିକି ବାଲି ଚୋରାଚାଲାଣ ସମ୍ପର୍କିତ ଜିଲ୍ଲା ସଦର ମହକୁମାରେ କାର୍ଯ୍ୟରତ କନିଷ୍ଠ ଖଣି ଅଧିକାରୀ ଈଶ୍ୱର ଚନ୍ଦ୍ର ପ୍ରଧାନଙ୍କ ଟେଲିଫୋନକୁ ଯେତେ ଫୋନକଲ କଲେ ମଧ୍ୟ ସେ ମହାଶୟ ଫୋନ ଉଠାଉ ନାହାଁନ୍ତି କିମ୍ବା ହ୍ବାଟସାପ ମେସେଜ କଲେ ଉତ୍ତର ଦିଅନ୍ତି ନାହିଁ। ଏଭଳି ଅସାଧୁ ଅଧିକାରୀଙ୍କ ଦାୟିତ୍ୱରେ ଶହଶହ କୋଟି ଟଙ୍କାର ଲଘୁ ଖଣିଜ ସମ୍ପଦ ସୁରକ୍ଷିତ ନୁହେଁ ବୋଲି ଶ୍ରୀ ଦାଶ କହିଛନ୍ତି। ପ୍ରତ୍ୟେକ ବାଲିଘାଟ ନିଲାମଧାରୀମାନେ ଏତେ ସଂଖ୍ୟାରେ ଖଣିବିଭାଗର ଜାଲି ଟ୍ରାଞ୍ଜିଟ ପାସ କେଉଁଠୁ ପାଉଛନ୍ତି ତାହାକୁ ଜିଲ୍ଲାପାଳ ନିଜେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଛି।

Related posts